କାମ କରି ଦରମା ମାଗିଲେ ନାଲିଆଖି

May 14, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


କାମ କରି ଦରମା ମାଗିଲେ ନାଲିଆଖି
Anupambharat News Bureau
May 14, 2019

ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ): କାମ କରି ଦରମା ମାଗିଲେ ନାଲି ଆଖି ଦେଖାଉଛି ଓଏସଆରଟିସି କମ୍ପାନୀ । ୭ମାସ ଧରି କାମ କରିଥିବା ଶତାଧିକ ଡ୍ରାଇଭର ଓ କଣ୍ଡକଫରଙ୍କ ଦରମା ଏଯାଏଁ ମିଳିନି । ଅପରପକ୍ଷରେ ଦରମା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ଏଠାରୁ ୟୁନିଟ୍‌ ଉଠାଇ ଦେବାକୁ ଧମକ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ୟୁନିଟ୍‌ରେ ଥିବା ସବୁ ରୁଟ୍‌ର ବସ୍‌କୁ ଏଠାରୁ ବିଭିନ୍ନ ୟୁନିଟ୍‌କୁ ଟ୍ରାନ୍ସଫର କରିବାକୁ ବିଭାଗୀୟ ନିର୍ଦ୍ଦେଶ ଆସିଛି । ଯାହାକି କର୍ମଚାରୀମହଲକୁ ତାଜୁବ୍‌ କରିପକାଇଛି । ୭ ମାସ ଧରି କାମ କରି ଦରମା ପାଇନଥିବାରୁ କର୍ମଚାରୀମାନେ ଆନ୍ଦୋଳନ ଆରମ୍ଭ କରିଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ଏଠାରୁ ବସ୍‌ ସବୁକୁ ଅନ୍ୟତ୍ର ପଠାଇବାକୁ ମଙ୍ଗଳବାର ଚିଠି କରିଛନ୍ତି । ଫଳରେ ଭଞ୍ଜନଗର ଓଏସଆରଟିସି ୟୁନିଟ୍‌କୁ ବନ୍ଦ କରିଦେବାକୁ ଉପରସ୍ତରରେ ଏକ ବଡଧରଣର ଚକ୍ରାନ୍ତ ଚାଲିଥିବା ଏକପ୍ରକାର ସ୍ପଷ୍ଟ ଜଣାପଡୁଛି ।
ଭଞ୍ଜନଗର ଓଏସଆରଟିସି ୟୁନିଟ୍‌ ରାଜ୍ୟର ଏକ ସର୍ବ ପୁରାତନ ୟୁନିଟ୍‌ । ଏଠାରେ ବିଭାଗର ବହୁ ଆସେଟ୍‌ ରହିଛି । ପୂର୍ବରୁ ଫୁଲବାଣୀ, ନୟାଗଡ ଓ ଆସିକା ଭଳି ଅନେକ ୟୁନିଟ୍‌ ବନ୍ଦ ହେବାପରେ ଏହି ୟୁନିଟ୍‌ରେ ସେସବୁକୁ ସାମିଲ କରାଯାଇଥିଲା । ଏହି ୟୁନିଟ୍‌ ମଧ୍ୟ ଠିକ୍‌ ଠାକ୍‌ ଚାଲିଥିଲା । ତେବେ ପରିଚାଳନାଗତ ଦକ୍ଷତା ଅଭାବ କାରଣରୁ ଭଞ୍ଜନଗର ୟୁନିଟ୍‌ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି । ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ହିଁ ଦାୟୀ ବୋଲି କର୍ମଚାରୀ ମହଲ ଅଭିଯୋଗ କରିଛନ୍ତି । ଏଠାରେ ନିୟମିତ ଭାବେ ଜଣେ ଡିଟିଏମ୍‌ ନରହିବା ଓ କାମଚଳା ଡିଟିଏମ୍‌ଙ୍କ ପରିଚାଳନା ଦକ୍ଷତା ନଥିବା କାରଣରୁ ୟୁନିଟ୍‌କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ହିଁ ଜାଣିଶୁଣି ପଙ୍ଗୁ କରିଦେବାକୁ ଚକ୍ରାନ୍ତ ଆରମ୍ଭ କରିଥିବା ଏକପ୍ରକାର ସ୍ପଷ୍ଟ ହେଉଛି । ୨୦୧୮ ସେପେଫମ୍ବର ମାସରୁ ଓଏସଆରଟିସିକୁ ରାଜ୍ୟସ୍ତରରେ ଡି ସେଣ୍ଟ୍ରାଲାଇଜେସନ୍‌ କରାଗଲା । ଫଳରେ ପ୍ରତ୍ୟେକ ୟୁନିଟ୍‌ରୁ ଆଦାୟ ହେଉଥିବା ଅର୍ଥରାଶି ସିଧା ଅନଲାଇନ୍‌ ବ୍ୟବସ୍ଥାରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଚାଲିଗଲା । ଏଠାରେ ଅସ୍ଥାୟୀ ଡିଟିଏମ୍‌ଙ୍କ ସହ ବିଭାଗୀୟ କର୍ମଚାରୀମାନେ ବିଭାଗର ଆଦାୟ ଅର୍ଥକୁ ହରିଲୁଟ୍‌ କରିବାସହ ଆଦାୟ ଅର୍ଥକୁ କମ୍‌ ଦେଖାଇବା ନେଇ ମଧ୍ୟ କର୍ମଚାରୀମାନେ ଗୁରୁତର ଅଭିଯୋଗ ବାଢିଛନ୍ତି । କେଉଁଠି ରହିଛି ଦୁର୍ନିତୀର ଗନ୍ଧ ତାକୁ ଖୋଳତାଡ କରିବା ବଦଳରେ କାମ କରି ଦରମା ମାଗିଲେ ୟୁନିଟ୍‌ ବନ୍ଦ କରିଦେବାକୁ ବ୍ୟବସ୍ଥା କରିବା ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥୀ ବୋଲି ଓଏସଆରଟିସି କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ବଟକୃଷ୍ଣ ପଣ୍ଡା ଉଲ୍ଲେଖ କରିଛନ୍ତି । ଯଦି ବିଭାଗ ପକ୍ଷରୁ ଉପରସ୍ତରରେ ଏଭଳି କିଛି ଚକ୍ରାନ୍ତ ଚାଲିଥାଏ ତେବେ ଏହାକୁ କର୍ମଚାରୀ ସଂଘ ଦୃଢ ହସ୍ତରେ ଦମନ କରିବେ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।
ସୂଚନାଯୋଗ୍ୟଯେ ଭଞ୍ଜନଗର ଓଏସଆରଟିସି ୟୁନିଟ୍‌ରେ ଏବେ ମୋଟ ୨୨ ଖଣ୍ଡ ବସ ରହିଛି । କେତେକ ରୁଟ୍‌ପାଇଁ ରୁଟ ପରମିଟ୍‌ ବନ୍ଧା ଯାଇଥିଲେ ମଧ୍ୟ ଏହିସବୁ ବସ୍‌କୁ ଜାଣିଶୁଣି ବନ୍ଦ କରି ରଖାଯାଇଛି । ଏବେ ଏହି ୨୨ଟି ବସ ମଧ୍ୟରୁ ବିଭିନ୍ନ ରୁଟ୍‌ରେ ଗଡୁଥିବା ମୋଟ ୧୭ଟି ବସ୍‌କୁ ପ୍ରଥମ ପର୍ଯ୍ୟାୟରେ ଏଠାରୁ ଟ୍ରାନ୍ସଫର କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପୁରୀକୁ ୨ ଟି ବସ୍‌ ଏଠାରୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ବ୍ରହ୍ମପୁର ୟୁନିଟ୍‌କୁ ୭ଟି, ମାଲକାନଗିରିକୁ ୪ଟି, କଟକକୁ ୨ଟି, ଭୁବନେଶ୍ୱରକୁ ଗୋଟିଏ ଓ ଫୁଲବାଣୀକୁ ଗୋଟିଏ ବସ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଆସିଛି । ପୂର୍ବରୁ ମଙ୍ଗଳବାର ବ୍ରହ୍ମପୁର ଡିଭିଜନ୍‌ ଡିଟିଏମ୍‌ କମ୍‌ ଡିଏମ୍‌ ରବିନ୍ଦ୍ର କୁମାର ବେହେରା ଭଞ୍ଜନଗର ଆସି କର୍ମଚାରୀଙ୍କ ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଭଞ୍ଜନଗର ବାର ଆସୋସିଏସନ୍‌ର କିଛି ଓକିଲ ବନ୍ଧୁ ମଧ୍ୟ ଡିଏମ୍‌ ବେହେରାଙ୍କ ସହ ଆଲୋଚନା କରିଥିଲେ । ଏକ ସମାଧାନ ଉଦ୍ୟମ ଚାଲିଥିବାବେଳେ ହଠାତ୍‌ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ ଏକ ଚିଠି ଆସି ପହଞ୍ଚିବାସହ ଏଠାରୁ ବିଭିନ୍ନ ରୁଟ୍‌ରେ ଗଡୁଥିବା ସବୁବସ୍‌କୁ ତୁରନ୍ତ ବିଭିନ୍ନ ୟୁନିଟ୍‌କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶନାମା ଆସିଥିଲା । ଆଉ ସେହି ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହି ଏଠାରୁ ଡିଏମ୍‌ ରବୀନ୍ଦ୍ର ବେହେରା ବ୍ରହ୍ମପୁର ଫେରି ଯାଇଥିଲେ । ଫଳରେ ଏହା ଉପର ମହଲର ଏକ ଷଡ଼ଯନ୍ତ୍ର ବୋଲି କର୍ମଚାରୀ ସଂଘ ଆପତ୍ତି ଉଠାଇଛନ୍ତି । କେଉଁଠି ରହିଛି ଦୁର୍ନିତୀ ? କିଏ ଏଥିପାଇଁ ଦାୟୀ ? ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ସୀମକ୍ଷା କରିବାସହ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଏକ ପୁରାତନ ୟୁନିଟ୍‌କୁ ବନ୍ଦ କରିବାକୁ ମସୁଧା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି କର୍ମଚାରୀ ସଂଘ ପ୍ରଶ୍ନ ଉଠାଇଛନ୍ତି । ତେବେ ଆମ ପେଟ ପାଟଣାକୁ ଲାତ ମାରି ଏଠାରୁ ବସ୍‌ସବୁକୁ କୌଣସି ପରିସ୍ଥିତିରେ ବି ଛାଡି ଦିଆଯିବନାହିଁବୋଲି ଆନ୍ଦୋଳନରତ ଡ୍ରାଇଭରମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

Read More...

ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌,  କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ

ଅମିତ୍‌ ଶାହାଙ୍କୁ ଟାର୍ଗେଟ୍‌, କୋଲକାତା ରୋଡ଼ସୋରେ ବିଜେପି-ଟିଏମ୍‌ସି ସଂଘର୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page