ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

August 25, 2022, ଓଡ଼ିଶା, , Anupambharat News Bureau


ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା
Anupambharat News Bureau
August 25, 2022


ଭୁବନେଶ୍ୱର,୨୫ା୮(ସ୍ୱତନ୍ତ୍ର ପ୍ରତିନିଧି) : ରାଜ୍ୟ ସ୍ତରରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ନୀତିକୁ ଜାବୁଡ଼ି ଧରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିର ଜାତୀୟ ସ୍ତରର ନେତାଙ୍କ ସହ ସୁସମ୍ପର୍କ ରଖିଛନ୍ତି । ଏହାଫଳରେ ଜାତୀୟ ରାଜନୀତିରେ ନବୀନଙ୍କ ପତିଆରା ବଢିଛି । ରାଜନୈତିକ ବାଧ୍ୟବାଧକତା ଦୃଷ୍ଟିରୁ ରାଜ୍ୟ ବିଜେପିର କିଛି ନେତା ନବୀନଙ୍କ ବିରୋଧରେ ସମୟେ ସମୟେ ବିଷୋଦ୍‌ଗାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳୀୟ ସଙ୍ଗଠନରେ ଅତ୍ୟନ୍ତ ପ୍ରଭାବଶାଳୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରିୟପାତ୍ର ପାଲଟିଛନ୍ତି ନବୀନ । ଅତୀତରେ ନବୀନଙ୍କୁ ତୀବ୍ର ସମାଲୋଚନା କରିଥିବା ଶାହା କଟକରେ ଏକ ସଭାରେ ତାଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ଓଡ଼ିଶାରେ ଅଛେ ଦିନ୍‌ ଚାଲିଛି ବୋଲି ମତ ଦେଇଥିଲେ ।
ତିନି ଦିନ ତଳେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ବିଜେଡି କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗ ଆଧାରିତ ସମର୍ଥନ ନ ଦେଇ ଏନ୍‌ଡିଏର ଅଂଶୀଦାର ହୋଇଯାଉ । ଏହା ସହିତ ପ୍ରଲୋଭନ ବି ଶୁଣାଇଲେ - ନବୀନ ଏନ୍‌ଡିଏରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ ରାଶି ବଢାଇଦେବେ । ନବୀନଙ୍କୁ ଏନ୍‌ଡିଏର ଅଂଶ କରିବା ପାଇଁ ଅଠୱାଲେ ଯେଉଁ ଲୋଭନୀୟ ଆହ୍ୱାନ ଦେଲେ, ଏହା ପଛରେ ବିଜେପିର ହେଭିେୱଟ୍‌ ନେତାମାନଙ୍କ ବଳିଷ୍ଠ ସମର୍ଥନ ନିଶ୍ଚୟ ରହିଛି ।
ବିଜେପିର ଏଭଳି ନବୀନ-ପ୍ରୀତି ମଧ୍ୟ ଅବାନ୍ତର ବା ଅମୂଳକ ନୁହେଁ । ପ୍ରଥମତଃ, ମିଶନ-୧୨୦ ଭଳି ଶ୍ରୁତିମଧୁର ଲକ୍ଷ୍ୟଧାର୍ଯ୍ୟ କରି ଓଡ଼ିଶାରେ ବିଜେଡ଼ିର ଜୟଯାତ୍ରାକୁ ରୋକିବାରେ ନିର୍ଘାତ ଫେଲ୍‌ ମାରିଥିବା ବିଜେପି ଓଡ଼ିଶାରେ ନବୀନଙ୍କୁ କଡ଼ା ଟMର୍‌ ଦେବା ଲାଗି ଏବେ ବି ଆତ୍ମବିଶ୍ୱାସ ଠୁଳାଇ ପାରୁନାହିଁ । ସେପଟେ, ବିହାରରେ ଆର୍‌ଜେଡି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶକୁମାରଙ୍କ ଜେଡି(ୟୁ) ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକାର ପରିସମାପ୍ତି ଘଟିବା ସହ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଉଦ୍ଧବ ଠାକରେଙ୍କ ଶିବସେନା ଏନ୍‌ଡିଏର ହାତ ଛାଡ଼ି ଦେବା କାରଣରୁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଶକ୍ତି ହ ୍ରାସ ପାଇଛି ।
ଏହି ପରିପ୍ରେକ୍ଷୀରେ ସଂସଦରେ ବିଲ୍‌ ପାସ୍‌ଠାରୁ ନେଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ସବୁ ସମୟରେ ଏନ୍‌ଡିଏ ସରକାରଙ୍କୁ ସହଯୋଗ କରି ଆସୁଥିବା ବିଜେଡି ସୁପ୍ରିମୋଙ୍କୁ ମନାଇବାରେ ଲାଗିଛି ବିଜେପି । ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟରୁ ଏହା ସ୍ପଷ୍ଟ ଯେ, ରାଜନୀତି ମଇଦାନରେ ପାଦ ଦେବା ପରଠାରୁ ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ରୂପେ ନିଜକୁ ପ୍ରମାଣିତ କରି ଆସିଥିବା ନବୀନ ଏବେ ଏନ୍‌ଡିଏରେ ସାମିଲ ହେବାର ସାମାନ୍ୟତମ ସମ୍ଭାବନା ନାହିଁ । କାରଣ ଓଡ଼ିଶାରେ ବିଜେଡିର ଭୋଟ୍‌ ହାର ନିରନ୍ତର ବଢି ଚାଲିଥିବାବେଳେ ନିଜର ସ୍ୱତନ୍ତ୍ର ଆଭିମୁଖ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନଙ୍କର ଜାତୀୟ ରାଜନୀତିରେ ସେଭଳି ରୁଚି ନାହିଁ ।
ଏନ୍‌ଡିଏ ମେଣ୍ଟର ମହାସ୍ରୋତରେ ସାମିଲ ହେବା ପାଇଁ ନବୀନଙ୍କୁ ସିଧା ଡାକରା ମିଳିବାର ଅର୍ଥ ଜାତୀୟ ସ୍ତରରେ ତାଙ୍କ ପତିଆରା ବଢିଛି । ରାଜନୈତିକ ଦୃଷ୍ଟିରୁ ଦେଖିଲେ ଏବେ ଓଡ଼ିଶାର ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି । ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ମଧ୍ୟ ଜଣେ ଓଡ଼ିଆ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ଚାଣକ୍ୟ ତଥା ବିଶେଷ କ୍ଷମତାଶାଳୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡïାଙ୍କର ଅତ୍ୟନ୍ତ ବିଶ୍ୱସ୍ତ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶଦାତା ମଣ୍ଡଳୀରେ ବହୁ ଅଭିଜ୍ଞ ସେବାନିବୃତ ଓଡ଼ିଆ ଆଇଏଏସ୍‌ ରହିଛନ୍ତି । ତେଣୁ, ଭୁବନେଶ୍ୱରରେ ଇଏସ୍‌ଆଇ ହସ୍ପିଟାଲ୍‌ ପ୍ରତିଷ୍ଠା କିମ୍ବା ରାଉରକେଲାଠାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ୍‌ ହେଉ ଓଡ଼ିଶାର ସବୁ ନାର୍ଯ୍ୟ, ବୃହତ ଓ ଦୀର୍ଘକାଳୀନ ଦାବି ପୂରଣ ପାଇଁ ଏକାଠି ଲଢିବାର ଏହା ହିଁ ପ୍ରକୃଷ୍ଟ ସମୟ । ସେହିପରି ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳପଥ କାମ କିଭଳି ଶୀଘ୍ର ଶେଷ ହେବ ଓ ନୂଆପଡ଼ା-ଗୁଣୁପୁର ରେଳପଥ କାର୍ଯ୍ୟକ୍ଷମ ହେବ, ଏସ୍‌ସିବି ସମେତ ସବୁ ବଡ଼ ମେଡ଼ିକାଲ୍‌ର ଉନ୍ନତିକରଣ ପାଇଁ ଦଳମତ ନିର୍ବିଶେଷରେ ସବୁ ଓଡ଼ିଆ ସାଂସଦ ଏକସ୍ୱରରେ ଦାବି ଉଠାନ୍ତୁ । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ମହାନଦୀର ମୃତୁ୍ୟ ପାଇଁ ଚେଷ୍ଟିତ ଛତିଶଗଡ଼ର ଦାଦାଗିରିକୁ ରୋକିବା ପାଇଁ ମଧ୍ୟ ସେମାନେ ମୁଣ୍ଡ ଖେଳାନ୍ତୁ । ଲୁହା କଅଁଳ ଥିବାବେଳେ କାମୁଡ଼ିଲେ ହିଁ ସୁଫଳ ମିଳି ପାରିବ ଅନ୍ୟଥା ଲେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ କେବଳ କପାଳରେ କର ମାରିବା ସାର ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀ ସରକାର ଭାଙ୍ଗିବାକୁ  ୮୦୦ କୋଟିର ଡିଲ୍‌ ,  ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

ଦିଲ୍ଲୀ ସରକାର ଭାଙ୍ଗିବାକୁ ୮୦୦ କୋଟିର ଡିଲ୍‌ , ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

Read More...

ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page