୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

September 18, 2022, ଓଡ଼ିଶା, , Anupambharat News Bureau


୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର
Anupambharat News Bureau
September 18, 2022


ଭୁବନେଶ୍ୱର, ୧୬ା୯ (ସ୍ୱତନ୍ତ୍ର ପ୍ରତିନିଧି): ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଦେଇଛି ରଣହୁଙ୍କାର । ଜୋରଦାର ଲଢ଼େଇ କରି ବିଜେଡିକୁ ଗାଦିଚୁ୍ୟତ କରିବା ପାଇଁ ପୁଣି ଥରେ ଅଣ୍ଟା ଭିଡି ଲାଗି ପଡ଼ିଲାଣି ଗୈରିକ ଦଳ । ୨୦୨୪ର କଠିନ ମୁକାବିଲା ପାଇଁ ଦଳର ନିର୍ବାଚନୀ ରଣନୀତି ବାବଦରେ ବିଜେପି ରାଜ୍ୟ ଶାଖାର କିଛି ଟାଣୁଆ ନେତାଙ୍କ ମନ୍ତବ୍ୟରୁ ସଙ୍କେତ ମିଳୁଛି ଯେ ଓଡ଼ିଶାରେ ବାରମ୍ବାର ପରାଜୟର ସାମ୍ନା କରି ଚାଲିଥିବା ବିଜେପି ଏଥର ଘାଇଲା ବାଘ ପରି ଆକ୍ରମଣାତ୍ମକ ମୁଦ୍ରାରେ ଲଢିବା ପାଇଁ ଶକ୍ତି ଠୁଳ କରୁଛି ।
ପ୍ରଥମେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମଙ୍କ ବିଜେଡି ବିରୋଧୀ ତାଜା ମନ୍ତବ୍ୟର ତର୍ଜମା କରିବା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଖୋଲାଖୋଲି କହିଛନ୍ତି ଯେ, ଏଥର କେବଳ ବ୍ୟାଲଟ୍‌ ଲଢେଇ ହେବନାହିଁ ବରଂ ନିର୍ବାଚନ ପୂର୍ବରୁ ବିଜେଡି ସହିତ କଡ଼ା ସଂଘର୍ଷ ହେବା ସୁନିଶ୍ଚିତ । ଲଢେଇ ମଧ୍ୟ ନିଆରା ଷ୍ଟାଇଲରେ ହେବ । କୌଣସି ପରିସ୍ଥିତିରେ ବିଜେଡିକୁ ସହଜରେ ବାଟ ଛଡାଯିବ ନାହିଁ । ବିଜେପି ଏଥର ନିଜର ପୁରା ଦମ୍‌ ଲଗାଇ ଲଢିବ, ଏପରିକି ଆବଶ୍ୟକ ପଡିଲେ ମାରପିଟ ମଧ୍ୟ ହେବ ବୋଲି ଜୁଏଲ୍‌ ସିଧା ସିଧା ଶୁଣାଇ ଦେଇଛନ୍ତି । ମଣିକାଞ୍ଚନ ସଂଯୋଗ ଭଳି ବିଧାନସଭାର ନୂତନ ବିରୋଧୀ ଦଳ ନେତା ହୋଇଛନ୍ତି ବିଜେପିର ଅନ୍ୟତମ ଅଗ୍ନି ସ୍ପୁଲିଙ୍ଗ ଲୋକପ୍ରତିନିଧି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ପ୍ରଶାସନିକ ଅଧିକାରୀମାନଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେବା, କଟକଣା ସେ‰ ଧାର୍ମିକ ଶୋଭାଯାତ୍ରାରେ ଯାଇ ସର୍ବସାଧାରଣ ସ୍ଥାନରେ ଖଣ୍ଡା ବୁଲାଇବା ଆଦି ମାମଲାରେ ବିବାଦୀୟ ହୋଇ ଗିରଫ ହେବା ମିଶ୍ରଙ୍କ ପାଇଁ ନୂଆ ନୁହେଁ । ସେହିପରି ସ୍ନାୟୁଉତ୍ତେଜକ ଭାଷଣ ଦେବାରେ କଳାହାଣ୍ଡିର ବିଜେପି ନେତା ସାଂସଦ ବସନ୍ତ ପଣ୍ଡା, ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ ଓ ପଦ୍ମପୁରର ପୂର୍ବତନ ବିଧାୟକ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ୍ତ ପୁରୋହିତ ମଧ୍ୟ କିଛି କମ୍‌ ନୁହନ୍ତି । ଅନ୍ୟତମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିଶ୍ୱଶେ୍ୱର ଟୁଡୁଙ୍କ କଥା ନ କହିଲେ ଭଲ । ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ଉତ୍ତର ଓଡ଼ିଶାର ଏହି ଆଦିବାସୀ ନେତା ତଥା ମୟୂରଭଞ୍ଜ ସାଂସଦ ଦୁଇ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ଛନ୍ଦି ହୋଇଛନ୍ତି । ଏହି ବିବାଦ ଏବେ ବି ତୁଟିନାହିଁ ।
ବିଜେପିର କିଛି ଛାମୁଆ ନେତାଙ୍କ ଗତିବିଧି, କାର୍ଯ୍ୟକଳାପ ଓ ବୟାନବାଜିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ୨୦୨୪ ନିର୍ବାଚନରେ ବିଜେଡ଼ିକୁ ହରାଇ ନବୀନଙ୍କୁ ଗାଦଚୁ୍ୟତ କରିବା ପାଇଁ ଦଳ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛି । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତାମାନେ ସମ୍ମିଳିତ ରଣହୁଙ୍କାର ଦେଇ କହିଛନ୍ତି ଏଥର କର ବା ମର ସ୍ଥିତି । ଏକମାତ୍ର ଲକ୍ଷ୍ୟ ନବୀନଙ୍କୁ ଗାଦିଚୁ୍ୟତ କରି କ୍ଷମତା ଦଖଲ କରିବା । ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ମଧ୍ୟ ‘ଆଗ୍ରେସିଭ୍‌ ପଲିଟିକ୍ସ’ ବା ଆକ୍ରମଣାତ୍ମକ ରାଜନୈତିକ ରଣନୀତି ଆପଣାଇବା ପାଇଁ ତୃଣମୃଳ ସ୍ତରର ଯୁବକର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସାମଗ୍ରିକ ଭାବରେ ବିଜେପି ନେତୃବର୍ଗଙ୍କ ଏଭଳି ଉତ୍ତେଜନାମୂଳକ ଭାଷଣରୁ ଅନୁମାନ କରାଯାଉଛି ଯେ, ପଶ୍ଚିମବଙ୍ଗରେ ଏବେ ତୃଣମୂଳ କଂଗ୍ରେସ ସମର୍ଥକ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଯେଭଳି ସଂଘର୍ଷ ଚାଲିଛି ଓଡିଶାରେ ସେଭଳି ପରିସ୍ଥିତି ହୋଇପାରେ । କାରଣ ବିଜେପି ନେତାମାନେ ସିଧାସଳଖ କହିଲେଣି ଯେ, ୨୦୨୪ରେ ଏପରି ଜୋରଦାର ଲଢ଼େଇ ହେବ ଯାହା କେହି କଳ୍ପନା କରି ନ ଥିବେ । ପରିସ୍ଥିତି ଯାହା ବି ହେଉ ନା କାହିଁକି, ଭାଜପା ସମର୍ଥକ ଏଥର ଆଉ ପଛକୁ ହଟିବେ ନାହିଁ । ରାଜ୍ୟର ଯେଉଁ ସରକାରୀ କର୍ମଚାରୀମାନେ କ୍ଷମତାସୀନ ସରକାରୀ ଦଳର ଇଙ୍ଗିତରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ଚେତାବନୀ ଦେଇଛି ବିଜେପି । ତେଣୁ ଆଗାମୀ ଦିନରେ ଓଡିଶାରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଘମାଘୋଟ ହେବାକୁ ଯାଉଛି । ଏହା ସହିତ ଦୁଇ ଦଳର ଯୁବକର୍ମୀଙ୍କ ମଧ୍ୟରେ ଛକାପrା ନିୟମିତ ଭାବରେ ବୃଦ୍ଧି ପାଇବ । ଏହାର ପ୍ରଭାବରେ ରାଜ୍ୟ ରାଜନୀତି ଅଧିକ ରୋଚକ ହେବା ସହ ଅନେକ ଆସନରେ ବିସ୍ପୋରକ ମୁକାବିଲା ଦେଖିବାକୁ ମିଳିବ । ଏକପ୍ରକାର ନିଶ୍ଚିତ ।
ତେବେ ଏହି ପରିପ୍ରେକ୍ଷୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓଡ଼ିଶା ପରି ଶାନ୍ତିପୂର୍ଣ୍ଣ ରାଜ୍ୟର ଭୋଟରମାନେ ଆତଙ୍କରାଜ୍‌ ଓ ହିଂସାବାଦର ରାଜନୀତିକୁ କାଳେ କାଳେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ସତୁରୀ ଦଶକରେ ଅତ୍ୟନ୍ତ କ୍ଷମତାଶାଳୀ ନେତା ବିଜୁ ପଟ୍ଟନାୟକ ଓ ନବେ ଦଶକରେ ଦ୍ୱିତୀୟ ପାଳି ସରକାର ପରେ ଜାନକୀଙ୍କ ପରି କୁଶଳୀ ନେତା ଉତ୍ତେଜନାପୂର୍ଣ୍ଣ ରାଜନୀତି ଯୋଗୁ ମାଟି କାମୁଡ଼ିବାକୁ ବାଧ୍ୟ ହୋଇଥିଲେ । ତେଣୁ ଏଥର ବିଜେପିର ‘ଆଗ୍ରେସିଭ୍‌ ପଲିଟିକ୍ସ’ କେତେ ଦୂର ସଫଳ ହେବ ତାହା କେବଳ ସମୟ କହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

Read More...

୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page