ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

August 30, 2022, ଓଡ଼ିଶା, , Anupambharat News Bureau


 ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?
Anupambharat News Bureau
August 30, 2022


ଭୁବନେଶ୍ୱର, ୨୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟର ସବୁଠାରୁ ନୂଆ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଟିଆରକୁ ଓଡ଼ିଶା ସରକାର ୧୫୦୦ କୋଟି ଟଙ୍କାର ପ୍ୟାକେଜ ଦେଲେ । ଏହା ପରେ ବିଳମ୍ବରେ ହେଲେ ମଧ୍ୟ ସବୁଠୁ ପୁରୁଣା ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟର ବିକାଶ ପାଇଁ ହଜାରେ କୋଟିର ଲୋଭନୀୟ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସୁଟର ଉନ୍ନତିକରଣ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଆଗାମୀ ଦିନରେ ଭିସୁଟକୁ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ କରାଯିବ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦୦ରୁ ୧୦୦୦୦ କୁ ବଢ଼ାଇବା ପାଇଁ ଯୋଜନା କରାଯାଉଛି । କ୍ୟାମ୍ପସ ସଂପ୍ରସାରଣ ପାଇଁ ଆହୁରି ୮୦ ଏକର ଜମି ଭିସୁଟକୁ ମିଳିବ ଓ ଅନୁଷ୍ଠାନକୁ ଜମିର ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ମଧ୍ୟ ସରକାରୀ ଭାବେ ସୂଚନା ଦିଆଯାଇଛି । ବିପୁଳ ପ୍ୟାକେଜ ଘୋଷଣା ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌-ଟି ସଚିବ ଭିସୁଟ ଗସ୍ତ କରି ଆନୁଷଙ୍ଗିକ ସମୀକ୍ଷା କରିଥିଲେ ।
ବୈଷୟିକ ଶିକ୍ଷାର ବିକାଶ ଦିଗରେ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ହେଲେ ନୂତନ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଟିଆରକୁ ୧୫୦୦ କୋଟି ଦିଆଯିବା ବେଳେ ପୁରାତନ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟକୁ ୧୦୦୦ କୋଟି ପ୍ରଦାନ ଘୋଷଣାକୁ ନେଇ ପଶ୍ଚିମ ଓଡ଼ିଶାର ବହୁ ଶିକ୍ଷାବିତ ଓ ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ୱର ବାହାର ବିଶ୍ୱବିଦ୍ୟାଳୟ ପାଇଁ ସରକାରଙ୍କ ଦରଦ କମ୍‌ ବୋଲି ଶାସନ କଳର ଏହି କାର୍ଯ୍ୟକଳାପ ପ୍ରମାଣିତ କରୁଥିବା କୁହାଯାଉଛି ।
ସେହିପରି ସମଲେଇ ମନ୍ଦିର ଉନ୍ନୟନମୂଳକ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବ । ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି ଓ ଏହା ମଧ୍ୟ ଜଲଦି ସରିଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ପଶ୍ଚିମ ଓଡ଼ିଶା ପରି ଉତ୍ତର ଓଡ଼ିଶା ବି ଅନୁଦାନ ପାଇବା କ୍ଷେତ୍ରରେ ଫାଇଦାରେ ରହିବାର ସୁଯୋଗ ପାଇଛି । ଗତ ଏପ୍ରିଲ୍‌ ୧୬ରୁ ବାଲେଶ୍ୱର ଏମ୍‌ସ ସାଟେଲାଇଟ ହସ୍ପିଟାଲର ଓପିଡି ସେବା କାର୍ଯ୍ୟକ୍ଷମ ହୋଇଛି । ଏମ୍‌ସର ନୂତନ ବିଲïିଂରେ ଡାକ୍ତରମାନେ ପ୍ରଥମେ ସପ୍ତାହରେ କେବଳ ଦୁଇଦିନ ତିନୋଟି ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ରୋଗୀ ଦେଖିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ଓପିଡି ସେବାର ସଂପ୍ରସାରଣ ଘଟି ଅବିଭକ୍ତ ବାଲେଶ୍ୱର ଜିଲାରେ ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ଘଟିଛି । ସେହିପରି ଏବେ ଦେଶର ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜକୁ ମଧ୍ୟ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି ମୟୁରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଣ୍ଠୁ ପକାଇବା ଦୃଷ୍ଟି ଗୋଚର ହେଉଛି । ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ ନିର୍ମାଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରୁ କରୁ ନିଜେ ମୁଖ୍ୟମନ୍ତ୍ରୀ ବାରିପଦା ଯାଇ ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ମାଇଲେଜ୍‌ ପାଇବା ଚMରରେ ଊଭୟ କେନ୍ଦ୍ର ଓ ରାଜ୍ୟ ସରକାର କେମିତି ପଡିଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଦକ୍ଷିଣ ଓଡ଼ିଶା ପ୍ରତି ରାଜ୍ୟ ସରକାର କାହିଁକି ଏଭଳି ଦୃଷ୍ଟି ପକାଉ ନାହାନ୍ତି? କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର
ଲୋକ ହୋଇଥିବାବେଳେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ହେଉଛନ୍ତି ବିଶେ୍ୱଶ୍ୱର ଟୁଡୁ ଉତ୍ତର ଓଡ଼ିଶାର ଲୋକପ୍ରତିନିଧି । ଦୁଇ କେନ୍ଦ୍ର ମନ୍ତ୍ରୀ ନିଜ ନିଜ ଅଞ୍ଚଳର କେନ୍ଦ୍ର ସରକାରଙ୍କ ପାଣ୍ଠିରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରି ନିଜର ଓ ଦଳର ଲୋକପ୍ରିୟତା ବଢାଇବା ପାଇଁ ଚେଷ୍ଟା ଚାଲୁ ରଖିଛନ୍ତି । ଏହାକୁ ପ୍ରତିହତ କରିବା ପାଇଁ ବିଜେଡି ସରକାର ବି ପାରୁ ପର୍ଯ୍ୟନ୍ତ ଲାଗିଛନ୍ତି । ପଶ୍ଚିମ-ଉତ୍ତର ଫୋକସ୍‌ ଭିତରେ ଦକ୍ଷିଣ ଓଡ଼ିଶା ଏବେ ଏକପ୍ରକାର ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଉଥିବା ଭଳି ଜଣାପଡ଼ୁଛି । ବ୍ରହ୍ମପୁର ସହରାଞ୍ଚଳର ଅଭିବୃଦ୍ଧି ଏହାର ସମକକ୍ଷ ସହର ସହ ସମାନୁପାତିକ ହୋଇ ପାରୁନାହିଁ । ସେହିପରି ଛତ୍ରପୁର, କୋରାପୁଟ, ଜୟପୁର, ନବରଙ୍ଗପୁର ଓ ରାୟଗଡା ଆଦି ଦକ୍ଷିଣ ଓଡ଼ିଶାର ଅନ୍ୟ ପ୍ରମୁଖ ସହରର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ କିମ୍ବା ଦୃଷ୍ଟି ଦିଆଯାଉ ନାହିଁ । ଆଶ୍ଚର୍ଯ୍ୟର କଥା ଏ ଦିଗରେ ଏହି ବିଶାଳ ଭୂଖଣ୍ଡର ନିର୍ବାଚିତ ଲୋକପ୍ରତିନିଧିମାନେ ପାଟି ଫିଟାଉ ନାହାନ୍ତି । ଏହାର ସୁଯୋଗ ନେଇ ସମ୍ଭାବ୍ୟ ରାଜନୈତିକ ଫାଇଦାର ହିସାବ ନିକାଶ କରି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ସମୟସୁବିଧା ଦେଖି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ପାଇ ଅର୍ଥନୈତିକ ବିପର୍ଯ୍ୟୟ ଘଟିବାର ଆଶଙ୍କା ବି ରହିଛି । ତେଣୁ, ଦକ୍ଷିଣ ଓଡ଼ିଶାର ବୃହତ୍ତର ବିକାଶ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଯଥା ସମୟରେ ଏ ଦିଗରେ ଗୁରୁତ୍ୱ ନ ଦେଇ ଅଧିକ ବିଳମ୍ବ କଲେ, ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ବଢିବାର ଆଶଙ୍କା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

Read More...

୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page