ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା

July 19, 2022, ଓଡ଼ିଶା, , Anupambharat News Bureau


ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା
Anupambharat News Bureau
July 19, 2022


ଭୁବନେଶ୍ୱର, ୧୯ା୭ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାରଙ୍କ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେବା ପରେ ଓଡ଼ିଶାବାସୀ କେତେ ସ୍ୱପ୍ନ ଦେଖିଥିଲେ । ସାଧାରଣତଃ ପୂର୍ବରୁ ଯେଉଁ ନେତା ରେଳମନ୍ତ୍ରୀ ହୁଅନ୍ତି ସିଏ ନିଜ ରାଜ୍ୟକୁ କିମ୍ବା ରାଜ୍ୟ ଭିତର ଦେଇ ନୂଆ ଟ୍ରେନ୍‌ ଚଳାଇବା ବ୍ୟବସ୍ଥା କରିବାର ଅନେକ ନଜିର୍‌ ଥିବାରୁ ଏଭଳି ଆଶା ପୋଷଣ କରିବା ମଧ୍ୟ ଅସ୍ୱାଭାବିକ ନଥିଲା । ଶ୍ରୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ, ରେଳମନ୍ତ୍ରୀ ଭାବରେ ଏପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟାଇବା ଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ।
ଆଇଟିଆଇ କିମ୍ବା ଉଚ୍ଚତର ବୈଷୟିକ ଶିକ୍ଷାପ୍ରାପ୍ତ ନିଯୁକ୍ତି ଆାଶାୟୀ ଓଡ଼ିଆ ଯୁବକଯୁବତୀଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି କରି ନାହାନ୍ତି । ଓଡ଼ିଶାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ବା ସୁରାଟ ଭଳି ସମୃଦ୍ଧ ସହରକୁ ନୂତନ ଟ୍ରେନ୍‌ ଚଳାଚଳ କରାଇବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେଇ ନାହାନ୍ତି ।
ରେଳ ସଂଯୋଗରୁ ବଞ୍ଚିତ ଆମ ରାଜ୍ୟର ଅନେକ ଅଞ୍ଚଳକୁ ରେଳପଥ ସଂପ୍ରସାରଣ ପାଇଁ କୌଣସି ଯୋଜନାବଦ୍ଧ ଉଦ୍ୟମ ହୋଇନାହିଁ । ରାଜ୍ୟରେ ନୂଆ ରେଳଡ଼ବା ନିର୍ମାଣ କାରଖାନା କିମ୍ବା ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ବ୍ୟୟବରାଦ ହୋଇନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ମଧ୍ୟ ତ୍ୱରାନ୍ୱିତ ହେବା ବଦଳରେ ଏତେ ମନ୍ଥର ଗତିରେ ଚାଲିଛି ଯେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଆଉ କେତେ ବର୍ଷ ଲାଗିବ ଅନୁମାନ ଲଗାଇବା ଅସମ୍ଭବ ହୋଇ ପଡ଼ିଛି । ନୂଆପଡ଼ା-ଗୁଣୁପୁର ରେଳପଥ ଏବେ ବି କୋମାରେ । ରେଳମନ୍ତ୍ରୀ ଭାବେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାରେ ଏପର୍ଯ୍ୟନ୍ତ ଅସଫଳ ବୈଷ୍ଣବ ଯୋଗାଯୋଗ ମନ୍ତ୍ରୀ ଭାବେ ମଧ୍ୟ ଓଡ଼ିିଶାର ଆଶାଆକାଂକ୍ଷା ପୂରଣ କରିବା ପାଇଁ ସକ୍ଷମ ହୋଇ ନାହାନ୍ତି ।
କରୋନାକାଳରେ ସମଗ୍ର ଦେଶରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନ୍‌ଲାଇନ୍‌ ପାଠପଢା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆ ଯାଇଥିବାବେଳେ ଓଡ଼ିଶାର ବିକଳ ଚିତ୍ର ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା । ସୁନ୍ଦରଗଡ଼, ମାଲକାନଗିରି ଆଦି ଉପାନ୍ତ ଜିଲ୍ଲାରେ ବହୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ନେଟୱର୍କ ଅନେ୍ୱଷଣରେ ଗଛ ଓ ପାହାଡ଼ ଚଢିବାର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳି ନଥିଲା ।
ଅବିଭକ୍ତ କଟକ ଓ ପୁରୀ ଭଳି ଉପକୂଳିଆ ଜିଲ୍ଲାରେ ଜୁମ୍‌, ଗୁଗୁଲ୍‌ ମିଟ୍‌ ଓ ୟୁୁଟୁ୍ୟବ୍‌ ଜରିଆରେ ପାଠପଢାର ଅବସ୍ଥା ମଧ୍ୟ ତଦ୍ରୁପ ଥିଲା । ମୋବାଇଲ୍‌ ଫୋର୍‌-ଜି ନେଟୱର୍କ ଅଭାବଜନିତ ପରିସ୍ଥିତି ସେତେବେଳେ ଶିକ୍ଷା ସହିତ ସଂପୃକ୍ତ ଅଧିକାରୀ, ଶିକ୍ଷକ, ଶିକ୍ଷାବିତ୍‌ ଓ ଅଭିଭାବକମାନଙ୍କୁ ଆନ୍ଦୋଳିତ କରିଥିଲା । ଆଶା କରାଯାଉଥିଲା ଯେ, ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଅଶ୍ୱିନୀ ବୈଷ୍ଣବ ନିଶ୍ଚିତ ରୂପେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଦୁଃଖ ଦୂର କରିବା ପାଇଁ ସମୁଚିତ ପଦକ୍ଷେପ ନେବେ ଏବଂ ଉଚ୍ଚଶିକ୍ଷା ଆହୂରି ସୁଗମ ହେବ । ହେଲେ ସେହି ସ୍ୱପ୍ନ ଇତିମଧ୍ୟରେ ମିଳାଇ ଯାଇଛି । ଫାଇଭ୍‌-ଜି ସଂପ୍ରସାରଣର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦେଶର ୧୩ଟି ସହରକୁ ସାମିଲ କରାଯାଇଛି । ସେଥିରେ ୪ପ୍ରମୁଖ ମେଟ୍ରୋପଲିଟାନ୍‌ ସହର ସହ ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡୀଗଡ଼, ଗାନ୍ଧୀନଗର, ଗୁର୍‌ଗାଓଁ, ଜାମନଗର, ଲକ୍ଷ୍ନୌ ଓ ପୁଣେକୁ ସାମିଲ କରାଯାଇଥିବାବେଳେ ଓଡ଼ିଶାର କୌଣସି ସହରକୁ ସାମିଲ୍‌ କରା ଯାଇନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପରେ ଭୁବନେଶ୍ୱର ଗସ୍ତରେ ଆସି ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା କରିଥିଲେ ଯେ, ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ କେନ୍ଦ୍ର ରୂପେ ପ୍ରତିଷ୍ଠା କରାଯିବ । ଫାଇଭ୍‌-ଜି ନେଟୱର୍କ ସଂପ୍ରସାରଣର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସାମିଲ ହୋଇଥିଲେ ଏହା ମଣିକାଞ୍ଚନ ସଂଯୋଗ କରି ହୋଇଥାନ୍ତା । ହେଲେ ଓଡ଼ିଶାକୁ ଫାଇଭ୍‌-ଜି ଟେଲିକମ୍‌ ସେବା ଶୀଘ୍ର ଆସିବାର କୌଣସି ସମ୍ଭାବନା ନାହିଁ ।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ତରଫରୁ ଆବଶ୍ୟକ ତପିରତା ଅଭାବରୁ ଟେଲିଯୋଗାଯୋଗ କ୍ଷେତ୍ରରେ ଏବେ ବି ଖୁବ୍‌ ପଛୁଆ ରହିଥିବା ଓଡ଼ିଶାର ସ୍ଥିତି ଆହୁରି ତଳକୁ ଖସିବାର ଆଶଂକା ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

Read More...

୧୭ଟି ପ୍ରସ୍ତାବକୁ ଅନୁମୋଦନ

୧୭ଟି ପ୍ରସ୍ତାବକୁ ଅନୁମୋଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page