୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !

June 29, 2021, ଓଡ଼ିଶା, , Anupambharat News Bureau


୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !
Anupambharat News Bureau
June 29, 2021


ଭୁବନେଶ୍ୱର, ୨୯ା୬ (ସ୍ୱତନ୍ତ୍ର ପ୍ରତିନିଧି): ଭୟଙ୍କର କରୋନାର ମୁକାବିଲା ପାଇଁ ଦୀର୍ଘକାଳୀନ ଲକ୍‌ଡାଉନ୍‌ ଓ ସଟ୍‌ଡ଼ାଉନ୍‌ କଟକଣା ଭିତରେ ବିଦ୍ୟାଳୟ ଶ୍ରେଣୀଗୃହରେ ପିଲାଙ୍କ ପାଠପଢା ଇତିହାସ ପାଲଟିଛି । କରୋନାର ପ୍ରଥମ ଲହର ବେଳେ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ପାଠପଢା ଗପ ଶୁଣାଇ ଶିକ୍ଷାମନ୍ତ୍ରୀ ପୂରା ଗୋଟିଏ ଶିକ୍ଷାବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫାଙ୍କି ଦେଲେ । କେବଳ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶ୍ରେଣୀ ଡିଆଁଇ ଦେଲେ । ଏବର୍ଷ ପରୀକ୍ଷା ନ କରାଇ ମାଟ୍ରିକ୍‌ ଫଳାଫଳ ପ୍ରକାଶ କରିବାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଛି । ଯଦିଓ ଏଥର ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଜୁଲାଇ ୩୧ ଯାଏଁ ୟୁଟୁ୍ୟବ୍‌ ଓ ଦୂରଦର୍ଶନରେ ପାଠପଢା ବ୍ୟବସ୍ଥା କରାଯାଇଛି, ତଥାପି ଦାମୀ ହ୍ୟାଣ୍ଡସେଟ୍‌ ଓ ଫୋର୍‌-ଜି ନେଟ୍‌ୱାର୍କ ଅଭାବରୁ ଯୋଜନା ବାଟବଣା ହୋଇ କଷ୍ଟେମଷ୍ଟେ ଚାଲିଛି । ଏହି ପରିପ୍ରେକ୍ଷୀରେ ଚଳିତ ଶିକ୍ଷାବର୍ଷରେ ପିଲାମାନେ ପୁଣି ଶ୍ରେଣୀଗୃହରେ ନିଜ ବିଦ୍ୟାଳୟର ଶିକ୍ଷକମାନଙ୍କ ଠାରୁ ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣ କରିବାର ସମ୍ଭାବନା ମଉଳିବାରେ ଲାଗିଛି । ସ୍କୁଲ୍‌ କେବେ ଖୋଲିବ ସେ ବାବଦରେ ଖୋଦ୍‌ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ କିଛି କହୁ ନାହାନ୍ତି । ତେବେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବିଶେଷଜ୍ଞ ଡ଼ାକ୍ତର ରଣଦୀପ ଗୁଲେରିଆ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ସୂଚନାରୁ ଦେଶର କୌଣସି ବିଦ୍ୟାଳୟ ନିକଟରେ ଖୋଲିବାର ସମ୍ଭାବନା ନଥିବା ସ୍ପଷ୍ଟ ହୋଇଛି ।
ଗୁଲେରିଆ କହିଛନ୍ତି ଯେ, ଏବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କ ଉପରେ କୋଭାକ୍ସିନ୍‌ ଟିକାର ପ୍ରଭାବ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଚାଲିଛି । ଏହି ଗୁରୁତ୍ୱପୂର୍ଣ୍ଣର୍ ପରୀକ୍ଷାର ଫଳାଫଳ ଆସନ୍ତା ସେପ୍‌ଟେମ୍ବର୍‌ ମାସ ବେଳକୁ ଆସି ଯାଇପାରେ । ଏହା ପରେ ବିଦ୍ୟାଳୟ ଓ ପ୍ରାକ୍‌-ବିଦ୍ୟାଳୟ ଯାଉଥିବା ଶିଶୁମାନଙ୍କୁ କୋଭାକ୍ସିନ୍‌ ଟିକା ଦିଆଯିବ । ବିଦେଶୀ ଔଷଧ ନିର୍ମାତା କମ୍ପାନି ଫାଇଜର୍‌ ମଧ୍ୟ କରୋନା ମୁକାବିଲା ଅଭିଯାନରେ ସାମିଲ ହେବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛି । ଫାଇଜର୍‌ ଟିକା ବଡ଼ଙ୍କ ପାଇଁ ଉପାଦେୟ ହେବା ସହିତ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଫଳପ୍ରଦ ବୋଲି କୁହାଯାଉଛି । ସେପ୍‌ଟେମ୍ବର୍‌ ପୂର୍ବରୁ ଫାଇଜର୍‌ ଟିକାକୁ କେନ୍ଦ୍ରର ସବୁଜ ସଙ୍କେତ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ପର୍ଯ୍ୟାପ୍ତ କୋଭାକ୍ସିନ୍‌ ଟିକା ଉପଲବ୍ଧ ହେବା ପୂର୍ବରୁ ଯଦି ଫାଇଜର୍‌ ଟିକାକୁ କେନ୍ଦ୍ର ସରକାରଙ୍କ ଅନୁମତି ମିଳେ ତାହା ମଧ୍ୟ ଶିଶୁ ଟିକାକରଣ କ୍ଷେତ୍ରରେ ଅନ୍ୟ ଏକ ବିକଳ୍ପ ହୋଇ ପାରିବ ।
ଡାକ୍ତର୍‌ ଗୁଲେରିଆଙ୍କ ମତରେ, ବିଦ୍ୟାଳୟ ପରିସରରେ ଶିଶୁମାନଙ୍କ ପାରସ୍ପରିକ ମିଳାମିଶାକୁ ଆଦୌ ରୋକି ହେବ ନାହିଁ । ଟିକା ନ ନେଇ ଜଣେ ବି ପିଲା ଯଦି ବିଦ୍ୟାଳୟକୁ ଚାଲି ଆସନ୍ତି ତେବେ ସ୍ଥିତି ପୁଣି ଥରେ ଜଟିଳ ହେବାକୁ ଅଧିକ ସମୟ ଲାଗିବ ନାହିଁ । ତେଣୁ ଦେଶର ୨ରୁ ୧୮ ବର୍ଷର ସମସ୍ତ ଶିଶୁ ଟିକା ନେଇ ସାରିବାକୁ ପ୍ରଥମେ ସୁନିଶ୍ଚିତ କରିବାକୁ ପଡ଼ିବ । ତା’ପରେ ସେମାନଙ୍କୁ ଅଙ୍ଗନବାଡ଼ି ବା ପ୍ରାକ୍‌-ବିଦ୍ୟାଳୟ ପ୍ରାଥମିକ ତଥା ଉଚ୍ଚମାଧମିକ ବିଦ୍ୟାଳୟକୁ ଆସିବା ପାଇଁ ସୁଯୋଗ ଦିଆଯିବ । ସେପ୍‌ଟେମ୍ବର୍‌ରେ ଶିଶୁଙ୍କ ଟିକାକରଣ ଆରମ୍ଭ ହେଲେ ସମସ୍ତେ ଟିକା ନେଇ ସାରିବା ବେଳକୁ ନଭେମ୍ବର୍‌ ମାସ ସରି ଯାଇପାରେ । ଏହାପରେ କ୍ୟାମ୍ପସ୍‌କୁ ଶିକ୍ଷାଦାନ ଉପଯୋଗୀ କରିବା ପାଇଁ ଅତି କମ୍‌ରେ ସପ୍ତାହେ ବା ଦୁଇ ସପ୍ତାହ ଲାଗିବ । ତେଣୁ କରୋନାରେ ପ୍ରଭାବିତ କୌଣସି ରାଜ୍ୟରେ ୨୦୨୨ ପୂର୍ବରୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବିଧିବଦ୍ଧ ଭାବରେ ଖୋଲିବାକୁ ସରକାର ଅନୁମତି ଦେବେ ନାହିଁ ବୋଲି ଅନୁମାନ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌

୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌

Read More...

କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page