ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

April 11, 2021, ଓଡ଼ିଶା, , Anupambharat News Bureau


ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ
Anupambharat News Bureau
April 11, 2021


ଭୁବନେଶ୍ୱର, ୧୧ା୪ (ସ୍ୱତନ୍ତ୍ର ପ୍ରତିନିଧି) : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନୀ ତାତି ବଢିବାରେ ଲାଗିଥିବା ବେଳେ ସବୁ ବର୍ଗର ଭୋଟର୍‌ଙ୍କୁ ମନାଇବା ପାଇଁ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇ ଚାଲିଛି । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆ ନୂଆ ଘୋଷଣା ରାଜ୍ୟରେ କ୍ଷମତା ଦଖଲ ଆଶାୟୀ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି । ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟବହାର ନ ହୋଇ ପଡ଼ି ରହିଥିବା ସରକାରୀ କୋଠାବାଡ଼ି, ଦୋକାନ ଘର ଓ ପୋଖରୀ ଗାଡ଼ିଆ ଇତ୍ୟାଦିର ମାଲିକାନା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦେବାକୁ ଘୋଷଣା କରି ନବୀନ ମହିଳା ମହଲରେ ନିଜର ଲୋକପ୍ରିୟତା ବୃଦ୍ଧି ପାଇଁ ପ୍ରୟାସ କରିଛନ୍ତି । ମହିଳାମାନେ ଏହା ଦ୍ୱାରା ସଶକ୍ତ ହେବେ ବୋଲି ସରକାରୀ ଭାଷାରେ କୁହା ଯାଇଥିଲେ ବି ଉପନିର୍ବାଚନ ସମୟରେ ଏଭଳି ମଧୁର ଘୋଷଣା ଦଳକୁ ଦୀର୍ଘକାଳୀନ ରାଜନୈତିକ ଫାଇଦା ଦେବ ବୋଲି ବିଜେଡି ଅଙ୍କ କଷିଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ପାଣିପାଗକୁ ଦେଖିଲେ ବିଜେଡିର ପତିଆରାକୁ ହଟାଇବା ବିରୋଧୀ ବିଜେପି ପାଇଁ କଷ୍ଟକର ବ୍ୟାପାର ଭଳି ମନେ ହେଉଛି । କାରଣ କ୍ଷମତା ଦଖଲ ପାଇଁ କେବଳ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ । ଏଥିପାଇଁ କିଛି ଆଖିଦୃଶିଆ କାମ କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇ ପାରିଲେ ରାଜ୍ୟ ବିଜେପି ଫାଇଦା ପାଇପାରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ଏକମାତ୍ର ଓଡ଼ିଆ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ତଥା ବିଶ୍ୱସ୍ତ ଧର୍ମେନ୍ଦ୍ର ପ୍ରଧାନ ଏବେ ରାଜ୍ୟ ବିଜେପିର ପୋଷ୍ଟରବୟ । ବିଜେପି ମଧ୍ୟ କିଛି ବର୍ଷ ହେଲା ତାଙ୍କୁ ରାଜ୍ୟରେ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରି ଆସୁଛି । ବିଜେପିର କେନ୍ଦ୍ରୀୟ ନେତାମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ ତାଙ୍କ ଦଳ ଲଢି ଆସୁଛି । ତେଣୁ ରାଜ୍ୟର କେତେକ ପ୍ରମୁଖ ସମସ୍ୟା ସମାଧାନର ଦାୟିତ୍ୱ ସ୍ୱାଭାବିକ ଭାବେ ଧର୍ମେନ୍ଦ୍ରଙ୍କ କାନ୍ଧରେ ପଡ଼ି ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ।ଇତିମଧ୍ୟରେ ରାଜ୍ୟର କିଛି ଶିଳ୍ପାନୁଷ୍ଠାନରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମେନ୍ଦ୍ର ଅଗ୍ରାଧିକାର ଭିତ୍ତିରେ ଏହି ପୁଞ୍ଜି ପ୍ରତ୍ୟାହାରକୁ ବନ୍ଦ କରାନ୍ତୁ । ଏହା ଦ୍ୱାରା ତାଙ୍କର ପତିଆରା ବଢିବ ଓ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ସେ ଯୋଗ୍ୟତମ ନେତା ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯିବ । ସେହିପରି ବିଭିନ୍ନ ଶିଳ୍ପରେ କାର୍ଯ୍ୟରତ ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଇଏସ୍‌ଆଇ ହସ୍ପିଟାଲ୍‌ ଖୋଲିବାକୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ତାହା ଏବେ ବି ପ୍ରତିଶ୍ରୁତି ହୋଇ ରହି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ରାଉରକେଲାରେ ଏକ ନିର୍ବାଚନୀ ସଭାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ ପାଣିର ଗାର ହୋଇ ରହିଛି । ଏପେଟେ, ରାଜ୍ୟର ଅନ୍ୟତମ ପୁରାତନ ଶିଳ୍ପାନୁଷ୍ଠାନ ତାଳଚେର ତାପଜ ବିଦୁ୍ୟତ କେନ୍ଦ୍ର (ଥର୍ମାଲ୍‌ ପାୱାର ଷ୍ଟେସନ୍‌)କୁ ନେଇ ଆଶଙ୍କା ବଢିବାରେ ଲାଗିଛି । ତାଳଚେର ଥର୍ମାଲ୍‌ ବନ୍ଦ ଘୋଷଣାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଯୋଗାଯୋଗ କ୍ଷେତ୍ରରେ ବି କେନ୍ଦ୍ର ଓଡ଼ିଶାକୁ ଅବହେଳା କରି ଚାଲିଛି । ରାଷ୍ଟ୍ରାୟତ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ରାଜ୍ୟରେ ଅତ୍ୟାବଶ୍ୟକ ଫୋର୍‌ଜି ସେବା ଯୋଗାଇବାରେ ବିଫଳ ହୋଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୪ରେ ହେବାକୁ ଥିଲେ ମଧ୍ୟ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଶାସକ ବିଜେଡି ବିଶେଷ ଗୁରୁତ୍ୱ ଦେଉଛି । କାରଣ ଏହି ନିର୍ବାଚନରେ ଭୋଟର୍‌ଙ୍କ ମତିଗତି ଆଗୁଆ ପରଖି ହୋଇଯିବ । ତେଣୁ ବିଜେପି ଯଦି ଏକାକୀ ନିଜ ଦମ୍‌ରେ ଓଡ଼ିଶାରେ କ୍ଷମତା ଦଖଲ କରିବାର ସ୍ୱପ୍ନକୁ ସଫଳ କରିବାକୁ ଚାହୁଁଥାଏ, ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ଏକମାତ୍ର ଧ୍ୱଜାଧାରୀ ଧର୍ମେନ୍ଦ୍ରଙ୍କୁ ଖାସ୍‌ ପରିଶ୍ରମ କରିବାକୁ ପଡ଼ିବ ବୋଲି ଏବେ ଚର୍ଚ୍ଚା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

Read More...

୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page