ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !

January 18, 2021, ଦେଶ, , Anupambharat News Bureau


ପ୍ରଘଟ ହେଉଛି ହ୍ୱାଟ୍‌ସ୍‌ଆପ୍‌ କଥାବାର୍ତ୍ତା !
Anupambharat News Bureau
January 18, 2021


ଭୁବନେଶ୍ୱର, ୧୮ା୧ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଘଟ ହେଉଛି କି ହ୍ୱାଟସଆପ୍‌ କଥାବାର୍ତ୍ତା । ଏହିଭଳି ଚର୍ଚ୍ଚା ପରେ ଏବେ ସମସ୍ତଙ୍କ ମନରେ ଛାନକା ଲାଗିଛି । ରିପବ୍ଲିକ୍‌ ଟିଭି ଚ୍ୟାନେଲ୍‌ ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଟେଲିଭିଜନ ରେଟିଂ ପ୍ରଦାନକାରୀ ସଂସ୍ଥା ବିଏଆର୍‌ସି (ବାର୍କ)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍‌ସ୍‌ଆପ୍‌ ବାର୍ତ୍ତା ବିନିମୟ ପଦାକୁ ଆସିବା ପରେ ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି । ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌ରେ ବାର୍କ ମୁଖ୍ୟଙ୍କୁ ଅର୍ଣ୍ଣବ କୁଆଡ଼େ ଜଣାଇଥିଲେ ଯେ ପାକିିସ୍ତାନ ସୀମାବର୍ତ୍ତୀ ବାଲାକୋଟ୍‌ଠାରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ତାଙ୍କ ଚ୍ୟାନେଲ୍‌ ସର୍ବପ୍ରଥମେ ବ୍ରେକିଂ ନୁ୍ୟଜ୍‌ କରିବାରେ ସଫଳ ହୋଇଥିଲା । ଏପରିକି ଏହି ସମ୍ବେଦନଶୀଳ ଘଟଣାର ଗ୍ରାଉଣ୍ଡ ଜିରୋ ରିପୋର୍ଟ କରିବାରେ ମଧ୍ୟ ତାଙ୍କ ରିପବ୍ଲିକ୍‌ ଟିଭି ଚ୍ୟାନେଲ୍‌ ଅନ୍ୟ ପ୍ରତିଦ୍ୱନ୍ଦୀଠାରୁ ପ୍ରାୟ ୨୦ ମିନିଟ୍‌ ଆଗୁଆ ଥିଲା । ପ୍ରକାଶଥାଉକି ବିଭିନ୍ନ କାରଣରୁ ମହାରାଷ୍ଟ୍ର ସରକାରଙ୍କ ବିଷଦୃଷ୍ଟିରେ ଥିବା ଅର୍ଣ୍ଣବ ଏକ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସେ ଜାମିନ ପାଇଥିଲେ । ମୁମ୍ବାଇ ପୋଲିସ୍‌ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଅର୍ଣ୍ଣବ ଓ ଦାସଗୁପ୍ତାଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ହ୍ୱାଟ୍‌ସ୍‌ଆପ୍‌ ମେସେ୍‌ଜ୍‌ ବିଷୟରେ ସବୁ କିଛି ପଦାକୁ ଆସିଥିଲା ଏବଂ ଏହା ସାର୍ବଜନୀନ ହେବା ପରେ ଅର୍ଣ୍ଣବଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇ ପୋଲିସ୍‌ ଦାବି କରିଛି ଯେ କେନ୍ଦ୍ର ସରକାରଙ୍କ ସହିତ ଅର୍ଣ୍ଣବଙ୍କର ଭିତିରିଆ ସମ୍ପର୍କ ରହିଥିବାରୁ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗୁଆ ପାଇ ପାରୁଥିଲେ । ଏପରିକି ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ୍‌ରେ ନିଆ ଯିବାକୁ ଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ସେ ସମସ୍ତଙ୍କଠାରୁ ଆଗୁଆ ଜାଣିବାରେ ସକ୍ଷମ ହେଉଥିଲେ ।
ଦେଶ ସୁରକ୍ଷା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ତାଙ୍କ ହ୍ୱାଟ୍‌ସ୍‌ଆପ୍‌ ମେସେ୍‌ଜ୍‌ରେ ଅନେକ ସାଙ୍କେତିକ ସୂଚନା ରହିଥିବା ତଦନ୍ତକାରୀ ସଂସ୍ଥା ମୁମ୍ବାଇ ପୋଲିସ୍‌ ଦାବି କରିଛି । ବାଲାକୋଟ୍‌ରେ ଭାରତୀୟ ବାୟୁସେନା ହମ୍‌ଲା କରିବାର ଅନେକ ଆଗରୁ ଅର୍ଣ୍ଣବଙ୍କ ପାଖରେ ଏହାର ସୂଚନା ପହଞ୍ଚି ସାରିଥିଲା । ବହୁଚର୍ଚ୍ଚିତ ବାଲାକୋଟ୍‌ ହମ୍‌ଲା ସଙ୍ଗଟିତ ହେବା ପୂର୍ବରୁ ଅର୍ଣ୍ଣବ ନିଜର ଘନିଷ୍ଠ ବନ୍ଧୁ ତଥା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ନିକଟକୁ ପଠାଇଥିବା ବ୍ୟକ୍ତିଗତ ମେସେଜ୍‌ରେ ସାଙ୍କେତିକ ଭାଷାରେ ଜଣାଇଥିଲେ ଯେ ’ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କିଛି ଗୋଟାଏ ବଡ଼ ଧରଣର ଘଟିବାକୁ ଯାଉଛି’ । ମୁମ୍ବାଇ ପୋଲିସ୍‌ ତନାଘନା କରି ହ୍ୱାଟ୍‌ସ୍‌ଆପ୍‌ କର୍ତୃପକ୍ଷଙ୍କଠାରୁ ଅର୍ଣ୍ଣବଙ୍କ ମେସେଜ୍‌ର ନକଲ ପାଇବା ପରେ ପରେ ଚାର୍ଜସିଟ୍‌ରେ ତାହା ଉଳ୍ଲେଖ କରିଥିଲା । ସୂଚନାଯୋଗ୍ୟ, ଅର୍ଣ୍ଣବଙ୍କ ଏହି ମେସେଜ୍‌ ଅତ୍ୟନ୍ତ ବ୍ୟକ୍ତିଗତ ତଥା ଗୋପନୀୟ କୁହାଯାଉଥିବା ମାଧ୍ୟମ ହ୍ୱାଟ୍‌ସ୍‌ଆପ୍‌ରେ ପ୍ରେରଣ କରାଯାଇଥିଲେ ମଧ୍ୟ ଏହା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଛନକା ପଶି ଯାଇଛି । କାରଣ ସୂଚନା ପ୍ରଯୁକ୍ତିର ବିକାଶ ଫଳରେ ଆଜିକାଲି ବାଣିଜ୍ୟ, ବ୍ୟବସାୟ ଠାରୁ ଆରମ୍ଭ କରି ରାଜନୀତି ଓ ପ୍ରଶାସନର ସବୁ ସ୍ତରରେ କର୍ପୋରେଟ୍‌ ଦୁନିଆର ପ୍ରଭାବ ବଢି ଚାଲିଛି । ପୂର୍ବର ପ୍ରେସ୍‌ନୋଟ୍‌ ବଦଳରେ ଏବେ ହ୍ୱାଟ୍‌ସ୍‌ଆପ୍‌ ବା ଟେଲିଗ୍ରାମ୍‌ ଭଳି ମାଧ୍ୟମରେ ସମସ୍ତ ପ୍ରକାରର ଖବର, ସୂଚନା, ଫଟୋ, ଭିଡିଓ ନିମିଷକ ମଧ୍ୟରେ ବିନା ଅତିରିକ୍ତ ଖର୍ଚ୍ଚରେ ପଠା ଯାଇ ପାରୁଛି । ରାଜନେତା ଓ ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ବଢୁଥିବାବେଳେ ସରକାରୀ ଅଧିକାରୀ ଏବଂ କରିତକର୍ମା ଦଲାଲ୍‌ ମାନଙ୍କ ମଧ୍ୟରେ ସମସ୍ତ ପ୍ରକାରର ଗୋପନୀୟ ସୂଚନା ଏବେ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ଆଦାନପ୍ରଦାନ କରାଯାଉଛି । ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ସୂଚନା ଆଦାନପ୍ରଦାନ ଗୋପନୀୟ (ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍‌କ୍ରିପେଫଡ୍‌) ବୋଲି ସେବା ପ୍ରଦାନକାରୀ ବିଦେଶୀ ସଂସ୍ଥା ହ୍ୱାଟ୍‌ସ୍‌ଆପ୍‌ ନିଜେ ଦାବି କରୁଥିଲେ ଏହା ଭରସାଯୋଗ୍ୟ ନୁହେଁ ବୋଲି ଅର୍ଣ୍ଣବଙ୍କ ମେସେଜ୍‌ ସର୍ବଜନୀନ ହେବା ଘଟଣାରୁ ଜଣା ପଡ଼ିଛି । ଏଭଳି ମେସେଜ୍‌ ସାର୍ବଜନୀନ ହେଲେ ଦେଶ ତଥା
ଆମ ରାଜ୍ୟର ଅନେକ ପ୍ରତିଷ୍ଠିତ ରାଜନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତଥାକଥିତ ସ୍ୱଚ୍ଛ ଚେହେରା ତଳେ ଲୁଚି ରହିଥିବା କଦର୍ଯ୍ୟ କାର୍ଯ୍ୟକଳାପ ଯେ କୌଣସି ମୁହୂର୍ତ୍ତରେ ପର୍ଦ୍ଦାଫାସ୍‌ ହେବାର ଆଶଙ୍କା ଦୃଢୀଭୂତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି

Read More...

ପ୍ରଥମ ଓଡ଼ିଆ:  ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ

ପ୍ରଥମ ଓଡ଼ିଆ: ଚଣ୍ଡି ପ୍ରସାଦ ସେନା ଉପମୁଖ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page