ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

July 01, 2020, ଦେଶ, , Anupambharat News Bureau


ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ
Anupambharat News Bureau
July 01, 2020

ନୂଆଦିଲ୍ଲୀ,୧ା୭: ଦେଶରେ କରୋନା ମହାମାରୀ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୦୭ ଜଣଙ୍କ ମୁଣ୍ଡ ନେଇଛି । ଏହି କରୋନା ଭୂତାଣୁର ସଂକ୍ରମଣରେ ଦିନକରେ ସର୍ବାଧିକ ୧୮,୬୫୩ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ଼ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜୁନ୍‌ ମାସର ଶେଷ ପର୍ଯ୍ୟାୟ ଠାରୁ ଜୁଲାଇ ମାସର ପ୍ରାରମ୍ଭରେ ଏହି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରେକର୍ଡ ସ୍ତରର ବୃଦ୍ଧି ଘଟିଛି । ଭାରତରେ ଏହି କରୋନା ରୋଗରେ ଆଜିସୁଦ୍ଧା ସମୁଦାୟ ୧୭, ୪୦୦ ସଂଖ୍ୟକ ଲୋକ ଜୀବନ ହରାଇଲେଣି ଏହା ବ୍ୟତୀତ ୫, ୮୫,୪୯୩ ସଂଖ୍ୟକ ଲୋକ କରୋନା ବା କୋଭିଡ଼-୧୯ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ସମଗ୍ର ଭାରତ ବର୍ଷରେ ଆଜି ସୁଦ୍ଧା ମାତ୍ର ୩,୪୭,୯୭୯ ସଂଖ୍ୟକ ଲୋକ ସୁସ୍ଥ ହୋଇଥିବା ମଧ୍ୟ କୁହାଯାଉଛି । ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଭୂତାଣୁର ନିରାକରଣ ପାଇଁ କୌଣସି ଔଷଧ ନଥିବା ଯୋଗୁଁ କେବଳ ସାମାଜିକ ଦୂରତାକୁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇଛି । ଲକ୍‌ଡ଼ାଉନ୍‌, ସଟ୍‌ଡ଼ାଉନ୍‌ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି । ଇତିମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ସମ୍ପୂର୍ଣ୍ଣ ହୋଇଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଅବଧି ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ ମଧ୍ୟ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବା ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୮୭୮ ସଂଖ୍ୟକ ଲୋକ ନୂତନ ଭାବେ ଆକ୍ରାନ୍ତ ହୋଇଥିବା ଯୋଗୁଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧,୭୪,୭୬୧କୁ ପହଞ୍ଚି ଯାଇଛି , ଠିକ୍‌ ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୪୫ ଜଣ ରୋଗୀ ପ୍ରାଣ ହରାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୭୮୫୫କୁ ବୃଦ୍ଧି ପାଇଛି । ରାଜ୍ୟରେ ୯୦,୯୧୧ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି । ଯଦିଓ ଗୋଟିଏ ଦିନରେ ୧୯୫୧ ସଂଖ୍ୟକ ଲୋକ ରାଜ୍ୟରେ ସୁସ୍ଥ ହେଉଛନ୍ତି ତେବେ ପାଖାପାଖି ୫ ହଜାର ଲୋକ ଆକ୍ରାନ୍ତ ହେଉଥିବା ଘଟଣା ନିଶ୍ଚିତ ଆତଙ୍କ ସୃଷ୍ଟି କରିଛି । ଠିକ୍‌ ସେହିଭଳି ତାମିଲନାଡ଼ୁର ସ୍ଥିତି ମଧ୍ୟ ଅତ୍ୟନ୍ତ ସାଂଘାତିକ ରହିଛି । ୨୪ ଘଣ୍ଟାରେ ସର୍ବାଧିକ ୩୯୪୩ ସଂଖ୍ୟକ ଲୋକ ଏହି କରୋନା ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୯୦୧୬୭କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ତାମିଲନାଡ଼ୁରେ ଗତ ୨୪ ଘଣ୍ଟାରେ ୬୦ ଜଣ ରୋଗୀ ପ୍ରାଣ ହାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୧୨୦୧କୁ ପହଞ୍ଚି ଯାଇଛି । ରାଜ୍ୟରେ ମାତ୍ର ୫୦, ୦୭୪ ସଂଖ୍ୟକ ଲୋକ ସୁସ୍ଥ ହୋଇଥିବା ଜଣାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ପୂର୍ବ ଭଳି ସଂଗୀନ ରହିଛି । ଦିନରେ ୨୧୯୯ ସଂଖ୍ୟକ ଲୋକ ନୂତନ ଭାବେ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ୮୭ ହଜାର ଟପି ଯାଇଛି । ମୃତକଙ୍କ ସଂଖ୍ୟା ୨୭୪୨କୁ ବୃଦ୍ଧି ପାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ବୁଧବାର କହିଛନ୍ତି ଯେ, କଠିନ ପରିଶ୍ରମ ଯୋଗୁଁ ଦିଲ୍ଲୀର ସ୍ଥିତିକୁ ନିୟନ୍ତ୍ରଣ କରାଯରାଇ ପାରିଛି । ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଫଳରେ ଦିଲ୍ଲୀରେ ୬୭ ପ୍ରତିଶତ ରୋଗୀ ସୁସ୍ଥ ହେଉଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେଜରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ଜୁନ ମାସ ୨୩ ତାରିଖରେ ଗୋଟିଏ ଦିନରେ ୩୯୫୦ ସଂଖ୍ୟକ ଲୋକ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି କିନ୍ତୁ ୨୧୯୯ ସଂଖ୍ୟକ ଲୋକ ପଜିଟିଭରେ ଚିହ୍ନଟ ହୋଇଛନ୍ତି । ତେଣୁ ସୁସ୍ଥ ସଂଖ୍ୟା ଯାହା ୩୮ ପ୍ରତିଶତ ଥିଲା ତାହା ୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ଠିକ୍‌ ସେହିଭଳି ଗୁଜୁରାଟରେ ମଧ୍ୟ ଗୋଟିଏ ଦିନରେ ୬୧୯ ଜଣ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତ ରାଜ୍ୟରେ ୩୨ ହଜାର ଟପି ଯାଇଛି । ମୃତକ ୧୮୪୬କୁ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପି ଯାଇଥିବା ବେଳେ ପଶ୍ଚିମବଙ୍ଗ ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାରରୁ ଉର୍ଦ୍ଧ୍ୱ ଲେଖାଏଁ ଟପି ଯାଇଛି । ତେଲେଙ୍ଗାନାରେ ଗୋଟିଏ ଦିନରେ ୯୪୫ ନୂତନ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୩୯କୁ ବୃଦ୍ଧି ପାଇଛି । କର୍ଣ୍ଣାଟକର ସ୍ଥିତି ମଧ୍ୟ ଗମ୍ଭୀରଜନକ ରହିଛି । ରାଜ୍ୟରେ ପୁଣି ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୨୪୬କୁ ପହଞ୍ଚି ଯାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପି ଯାଇଛି । ଆନ୍ଧ୍ରପ୍ରଦେଶ ଓ ହରିଆନାରେ ୧୪ ହଜାରରୁ ଉର୍ଦ୍ଧ୍ୱ ଲେଖାଏଁ ଆକ୍ରାନ୍ତଙ୍କ ସଂଖ୍ୟା ଟପି ଯାଇଥିବା ବେଳେ ମଧ୍ୟପ୍ରଦେଶରୁ ୧୩ ହଜାରରୁ ଉର୍ଦ୍ଧ୍ୱ ଏବଂ ବିହାରରେ ୧୦ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରବାସୀଙ୍କ ସ୍ଥାନାନ୍ତରଣ ଯୋଗୁଁ ଓଡ଼ିଶାରେ ମଧ୍ୟ ପୁଣି ୨୦୬ ଜଣ ପଜିଟିଭ ଚିହ୍ନଟ ହେବା ଯୋଗୁଁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ପହଞ୍ଚିଛି । ପୁରି ୨ ଜଣଙ୍କ ମୃତୁ୍ୟ ଘଟିବା ଯୋଗୁଁ ସମୁଦାୟ ମୃତକ ୨୭ରେ ପହଞ୍ଚିଛି । କେତେକ ରାଜ୍ୟରେ ମୃତକଙ୍କ ସଖ୍ୟା ସାମାନ୍ୟ ଥିବା ବେଳେ ଆକ୍ରାନ୍ତ କିନ୍ତୁ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

Read More...

ବଢିଲା ବସ୍‌ ଭଡ଼ା

ବଢିଲା ବସ୍‌ ଭଡ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page