ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ

May 26, 2020, ଓଡ଼ିଶା, , Anupambharat News Bureau


ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ
Anupambharat News Bureau
May 26, 2020

ଭୁବନେଶ୍ୱର, ୨୬ା୫(ଅନୁପମମିଡ଼ିଆ): କଡ଼ାକଡ଼ି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ କରୋନା ମହାମାରୀକୁ ସଫଳ ଭାବରେ ନିୟନ୍ତ୍ରଣ କରିପାରିବା । ବିପଦସଙ୍କୁଳ ଜନସାଧାରଣ, ବିଶେଷକରି ବୟସ୍କ ଲୋକ ଏବଂ ଗୁରୁତର ରୋଗରେ ପୀଡ଼ିତ ଲୋକମାନଙ୍କର ଅଧିକ ଯତ୍ନି ଆବଶ୍ୟକ । ତେଣୁ ଏହିସବୁ ବିଷୟକୁ ପ୍ରାଧାନ୍ୟ ଦେଇ ୧୫ଦିନ ବ୍ୟାପୀ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଅଧିକ ଆହ୍ୱାନମୂଳକ ହେବ । କି;ୁ ମାନବିକତାକୁ ଆଗରେ ରଖି ବୃତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକ ପରେ ସେ କହିଥିଲେ ଯେ, ସାମାଜିକ ଦୂରତ୍ୱକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍‌ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା । ଏହା ହିଁ ଚଳିତ ସପ୍ତାହରେ ଆମ ପାଇଁ ଲକ୍ଷ୍ୟ । କରୋନା ନିୟନ୍ତ୍ରଣ ପାଇଁ ଆଗ ଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ବିପଦସଂକୁଳ ଜନସାଧାରଣଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ବାଧ୍ୟତାମୂଳକ ସଂଗରୋଧ ବ୍ୟବସ୍ଥା ଆଇସିଏମଆର ସୁପାରିଶ ଅନୁଯାୟୀ କରାଯାଇଛି । ସେହିପରି ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କୋଭିଡ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।
ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ କରୋନା ପଜିଟିଭ୍‌ କେସ୍‌ର ୯୫ ପ୍ରତିଶତ କେବଳ ଏହି ସଙ୍ଗରୋଧ କେନ୍ଦ୍ରରୁ ହିଁ ମିଳିଛି । ଏହା ଆମର ବ୍ୟବସ୍ଥାର ସୁଦୃଢ଼ତାକୁ ପ୍ରତିପାଦନ କରିବା ସହିତ ସରପଞ୍ଚ, ଲୋକପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳସ୍ତରରୁ ଉପର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି । କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗକରି ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ଭିତରେ ଅନ୍ୟ ରାଜ୍ୟର ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଜିରୋ ୱାକିଂ ଇନସାଇଡ ଓଡ଼ିଶା ନୀତି କାର୍ଯ୍ୟକାରୀ କରିଛୁ । ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ପ୍ରଶଂସାଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସେମାନଙ୍କ ଏହି ଭଲ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୧୪,୬୬୯ ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍‌ ଯୋଗେ ବଡର ଚେକପୋଷ୍ଟରେ ପହଞ୍ଚାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ ଏବଂ ଏପର୍ଯ୍ୟନ୍ତ ଆମେ ଏହାକୁ ସଫଳତାର ସହିତ ପରିଚାଳନା କରିଆସିଛୁ । ଆମର ଅନୁଭୂତିକୁ ଆଧାର କରି କୌଶଳର ପୁନଃନିର୍ଦ୍ଧାରଣ କରିବା ଦିଗରେ ଆଭିମୁଖ୍ୟ ପ୍ରସ୍ତୁତ କରିବାକୁ ହେବ । ଆମର ସଂଗରୋଧ କେନ୍ଦ୍ରମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଯେଉଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି, ତାହା ଭବିଷ୍ୟତର ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରିବାରେ ବିଶେଷ ଭାବରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ଫାନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଂଚାଇବା ପାଇଁଯେଭଳି ସାହସିକତା ଓ ନିଷ୍ଠାର ସହିତ କାମ କଲେ ଏବଂ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିପାରିଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର ଏବଂ ୪୮ ଘଣ୍ଟା ମଧ୍ୟରେ ବିଦୁ୍ୟତ ଯୋଗାଣ ସ୍ୱାଭାବିକ କରି ଆମର କର୍ମଚାରୀମାନେ ଯେଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚପ୍ରଶଂସା କରିଥିଲେ । ଓଡ଼ିଶାବାସୀ ଏଭଳି ବିପତ୍ତି ସମୟରେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି ଏବଂ ସରକାରଙ୍କୁ ସବୁବେଳେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଦେଇଛନ୍ତି । ଓଡ଼ିଶାବାସୀଙ୍କର ଏହି ତ୍ୟାଗ ହିଁ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଦେବା ସହିତ ଅଧିକ କଠିନ ପରିଶ୍ରମ କରିବା ପାଇଁ ଆମକୁ ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା

ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା

Read More...

କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା

କଣ୍ଟେନମେଣ୍ଟ ଜୋନକୁ ନେଇ ନିଆଁ ଜଳିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page