ଅସ୍ତିତ୍ୱକୁ ନେଇ ଆଶଙ୍କା : ଦୁର୍ଦ୍ଦିନରେ ଦୂରଦର୍ଶନ ଓ ଆକାଶବାଣୀ

September 05, 2021, ଓଡ଼ିଶା, , Anupambharat News Bureau


 ଅସ୍ତିତ୍ୱକୁ ନେଇ ଆଶଙ୍କା : ଦୁର୍ଦ୍ଦିନରେ ଦୂରଦର୍ଶନ ଓ ଆକାଶବାଣୀ
Anupambharat News Bureau
September 05, 2021


ଭୁବନେଶ୍ୱର, ୫ା୯ (ସ୍ୱତନ୍ତ୍ର ପ୍ରତିନିଧି): ଦିନ ଥିଲା ଟେଲିଭିଜନ୍‌ କହିଲେ ଲୋକ ସରକାରୀ ଟିଭି ଚ୍ୟାନେଲ୍‌ ବା ଦୂରଦର୍ଶନକୁ ବୁଝୁଥିଲେ । ବେତାର କେନ୍ଦ୍ର କହିଲେ ଓଡ଼ିଶାବାସୀ ଆକାଶବାଣୀ କଟକକୁ ହିଁ ଜାଣୁ ଥିଲେ । ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରରେ ୧୯୭୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପରେ କଟକରେ ଏକ ରିଲେ କେନ୍ଦ୍ର ହେଲା ।
ବହୁ ବିଳମ୍ବରେ ଭୁବନେଶ୍ୱରରେ ଦୂରଦର୍ଶନ (ଓଡ଼ିଆ)ର କେନ୍ଦ୍ର ଖୋଲିଲା ଏବଂ ସେଠାରୁ ନିଜସ୍ୱ ଷ୍ଟୁଡ଼ିଓରେ ବିଭିନ୍ନ ମନୋରଞ୍ଜନଧର୍ମୀ ଧାରାବାହିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ପ୍ରସାରିତ ହେଲା । ପରେ ଡିଡି-ଓଡ଼ିଆରେ ସମାଚାର ପ୍ରସାରିତ ହେଲା । ସମ୍ବଲପୁର ସମେତ ବିଭିନ୍ନ ରିଲେ କେନ୍ଦ୍ର ଜରିଆରେ ଏହାକୁ ରିଲେ କରି ପ୍ରସାରିତ କରାଗଲା । ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ର ବା ଡିଡି-ନ୍ୟାସନାଲ୍‌ ଚ୍ୟାନେଲ୍‌ରେ ରାମାୟଣ ଓ ମହାଭାରତ ଭଳି ଲୋକପ୍ରିୟ ଧାର୍ମିକ କାହାଣୀ ଧାରାବାହିକ ଭାବେ ପ୍ରସାରିତ ହେବା ପରେ ଓଡ଼ିଶାରେ ଟିଭି ବିପ୍ଲବର ସୂତ୍ରପାତ ହେଲା । ଘରେ ଘରେ ଟିଭି ପହଞ୍ଚିଲା । ଅନେକ ବର୍ଷ ଧରି ମନୋରଞ୍ଜନ ଦୁନିଆରେ ଦୂରଦର୍ଶନର ଏକଚାଟିଆ ଆଧିପତ୍ୟ ପରେ ଜାତୀୟ ଓ ପ୍ରାଦେଶିକ ସ୍ତରରେ ଏକାଧିକ ଘରୋଇ ଚ୍ୟାନେଲ୍‌ ଖୋଲିବାର ଧାରା ଆରମ୍ଭ କଲା । ଏବେ ଘରୋଇ ଚ୍ୟାନେଲ୍‌ଗୁଡ଼ିକ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ପ୍ରସାରଭାରତୀ ନିୟନ୍ତ୍ରଣରେ ଥିବା ଦୂରଦର୍ଶନ ଘୋର ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି । ଅଭିଯୋଗ ଉଠୁଛି ଯେ, ସମ୍ବଲପୁରସ୍ଥିତ ରାଜ୍ୟର ପ୍ରଥମ ଦୂରଦର୍ଶନ କେନ୍ଦ୍ରକୁ ସଂପୂର୍ଣ୍ଣ ବନ୍ଦ କରି ଦେବାକୁ ପ୍ରସାର ଭାରତୀର କିଛି ବରିଷ୍ଠ ଅଧିକାରୀ ମସୁଧା କରୁଛନ୍ତି । ଏହା ମଧ୍ୟ ସତ ଯେ, ସମ୍ବଲପୁର ଷ୍ଟୁଡ଼ିଓରେ ଅନେକ ଦିନ ହେଲା କୌଣସି ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ନାହିଁ । ଏଠାରେ ଥିବା ଦାମୀ କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି, ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ଦୂରଦର୍ଶନ ପରି ଆକାଶବାଣୀ ମଧ୍ୟ ଏବେ ଘୋର ସଙ୍କଟରେ । କଟକରେ ୧୯୪୮ ଜାନୁୟାରୀ ୨୮ରେ ରାଜ୍ୟର ପ୍ରଥମ ବେତାର କେନ୍ଦ୍ର ସ୍ଥାପିତ ହେବାର ବହୁ ବର୍ଷ ପରେ ସମ୍ବଲପୁର, ଜୟପୁରରେ ବେତାର କେନ୍ଦ୍ର ଖୋଲିଥିଲା । ପରବର୍ତ୍ତୀ କାଳରେ କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେବା ପରେ ରାଜ୍ୟରେ ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ଅଦ୍ଭୁତପୂର୍ବ ବିକାଶ ଘଟିଥିଲା । ସମୟକ୍ରମେ ଭବାନୀପାଟଣା, ପୁରୀ, କେନ୍ଦୁଝର, ବ୍ରହ୍ମପୁର, ବଲାଙ୍ଗୀର, ବାରିପଦା, ରାଉରକେଲା ଭଳି ସହର ସହିତ ଜୋରନ୍ଦା ଭଳି ସ୍ଥାନରେ ବେତାର କେନ୍ଦ୍ର ସ୍ଥାପିତ ହେଲା । ଏଫ୍‌ଏମ୍‌ କେନ୍ଦ୍ର ଜରିଆରେ ସ୍ଥାନୀୟ ଅଞ୍ଚଳର କଳାସଂସ୍କୃତିର ପ୍ରସାର ଘଟିଲା ।
ସରକାରୀ ଅବହେଳା ଯୋଗୁ ଏବେ ଆକାଶବାଣୀର ସ୍ୱର ବି ହଜିବାକୁ ବସିଲାଣି । ଅତୀତରେ ପ୍ରାୟ ୧୦୦ କିମି ପର୍ଯ୍ୟନ୍ତ ସ୍ପଷ୍ଟ ଶୁଭୁଥିବା ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରର ଶକ୍ତିଶାଳୀ ପ୍ରସାରଣ ଆଉ ୧୦/୨୦ କିମି ଦୂରକୁ ବି ଭଲରେ ଶୁଭୁ ନାହିଁ । ଏପରିକି ଜୟପୁର କେନ୍ଦ୍ରର ସର୍ଟେୱଭ୍‌ ପ୍ରସାରଣକୁ ବି ପ୍ରସାର ଭାରତୀ ତରଫରୁ ବନ୍ଦ କରି ଦିଆଗଲା । ଏହାଦ୍ୱାରା ପ୍ରବାସୀ ଓଡ଼ିଆମାନେ ମାତୃଭାଷାରେ ସମ୍ବାଦ ଓ ସାହିତ୍ୟ ଓ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ଶୁଣିବାରୁ ବଞ୍ଚିତ ହେଲେ । ରାଜ୍ୟର ସରକାରୀ ଏଫ୍‌ଏମ୍‌ ବେତାର କେନ୍ଦ୍ରଗୁଡ଼ିକ ଏବେ ଥାଇ ନଥିବା ଭଳି । ଘରୋଇ ବେତାର କେନ୍ଦ୍ରଗୁଡ଼ିକ ଲୋକପ୍ରିୟ ହୋଇ ଚାଲିଥିବାବେଳେ ଠିକା କର୍ମଚାରୀଙ୍କୁ ନେଇ ଚାଲୁଥିବା କେନ୍ଦ୍ରଗୁଡ଼ିକ କେବଳ ନାମକୁ ମାତ୍ର ଚାଲିଛି । ଏପରିକି କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ବି ମିଳୁନାହିଁ । ବେତାର କେନ୍ଦ୍ରଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ବଦଳରେ ସେଗୁଡ଼ିକୁ ବନ୍ଦ କରି ଦେବା ପାଇଁ ଉଚ୍ଚ ସ୍ତରରେ ମସୁଧା କରାଯାଉଛି । ଅତୀତରେ ଦୂରଦର୍ଶନରେ ପ୍ରସାରିତ ସାପ୍ତାହିକ ଓଡ଼ିଆ ସିନେମା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ମନୋରଞ୍ଜନ କାର୍ଯ୍ୟକ୍ରମକୁ ପୁରୁଖା ଲୋକେ ଏବେ ବି ଝୁରୁଛନ୍ତି । ଘରୋଇ ଚ୍ୟାନେଲ୍‌ର ଖବରରେ ଦୂରଦର୍ଶନ ଓ ଆକାଶବାଣୀ ସମାଚାର ଭଳି ବିଶ୍ୱସନୀୟତା ନାହିଁ । କେନ୍ଦ୍ରୀୟ ସ୍ତରରେ ଏପରି ଅଣଦେଖା ଯଦି ଲାଗି ରହେ, ତେବେ ରାଜ୍ୟରେ ଦୂରଦର୍ଶନ ଓ ଆକାଶବାଣୀର ଅସ୍ତିତ୍ୱ ସଂପୂର୍ଣ୍ଣ ହଜିଯିବାର ଆଶଙ୍କାକୁ ଆଦୌ ଏଡ଼ାଇ ହେବ ନାହିଁ ।







Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଶିକ୍ଷକ ପୁରସ୍କାର ସମାରୋହ

ଜାତୀୟ ଶିକ୍ଷକ ପୁରସ୍କାର ସମାରୋହ

Read More...

୪୪୩ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି :  ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେବ ରୋଲ ମଡ଼େଲ’

୪୪୩ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି : ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେବ ରୋଲ ମଡ଼େଲ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page