ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

June 24, 2021, ଓଡ଼ିଶା, , Anupambharat News Bureau


ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
Anupambharat News Bureau
June 24, 2021


ପୁରୀ,୨୪ା୬(ଅନୁପମ ମିଡ଼ିଆ): ଗତବର୍ଷପରି ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଭକ୍ତଶୂନ୍ୟଭାବେ ସମ୍ପନ୍ନ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ର । ପ୍ରତ୍ୟହ ରତ୍ନସିଂହାସନରେ ମନ୍ତ୍ରସ୍ନାନ କରୁଥିବା ଶ୍ରୀଜିଉମାନେ ସ୍ନାନବେଦୀରେ ଚୁଆ ଚନ୍ଦନ, କର୍ପୂର ଓ କେଶର ମିଶ୍ରିତ ସୁଗନ୍ଧିତ ଜଳରେ କରିଛନ୍ତି ଦିବ୍ୟସ୍ନାନ । ସ୍ନାନବେଦୀରେ ମହାପ୍ରଭୁଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା । ଭକ୍ତଙ୍କ ବିନାସମାଗମରେ ବୁଧବାର ବିଳମ୍ବିତ ରାତ୍ରରୁ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ନୀତିକାନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୪୦ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ନୀତି । ଗତକାଲି ରାତି ଗୋଟାଏ ୪୦ମିନିଟ୍‌ରେ ମଙ୍ଗଳାର୍ପଣ କରାଯାଇ ଡ଼ୋରାଲାଗି ଓ ପୁଷ୍ପାଞ୍ଜଳି ପରେ ଗୋଟାଏ ୫୫ମିନିଟ୍‌ରୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ଧାଡି ପହଣ୍ଡିରେ ଆସି ଜୟବିଜୟ ଦ୍ୱାର ଠାରେ ପହଞ୍ଚିବା ପରେ ସେଠାରେ ଟାହିଆ ପରିଧାନ କରିଥିଲେ । ଟାହିଆ ପରିହିତ ଦାରୁବିଗ୍ରହମାନେ ପହଣ୍ଡି ହୋଇ ୩ଟା ୨୦ ସୁଦ୍ଧା ସ୍ନାନମଣ୍ଡପରେ ବିରାଜମାନ କରିଥିଲେ । ୪ଟା ସୁଦ୍ଧା ରୁନ୍ଧାଶେଷହୋଇଥିଲା । ୪ଟା ୧୫ରେ ମଦନମୋହନ ସ୍ନାନମଣ୍ଡପରେ ବିଜେ ହେବା ପରେ ୪ଟା ୫୦ରେ ମଙ୍ଗଳ ଆଳତି ସମ୍ପନ୍ନ ହୋଇଥିଲା । ଭୋର୫ଟାରେ ମଇଲମ୍‌ ,୫ଟା୨୫ରେ ତଡପଲାଗି ପରେ ସାଢେ ୫ଟାରେ ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା । ସକାଳ୬ଟାରେ ଅବକାଶ ବଢ଼ିଥିଲା । ୬ଟା୫ରେମଇଲମ, ୬ଟା୨୦ରେ ରୋଷହୋମ, ସାଢେ୬ଟା ରେ ବେଶ ଶେଷ ହୋଇ ୭ଟାରେ ସୂର୍ଯ୍ୟପୂଜା, ୭ଟା ୨୦ରେ ଦ୍ୱାରପାଳ ପୂଜା କରାଯାଇଥିଲା । ସକାଳ ୭ଟା ୫୫ରୁ ୮ଟା ୩୦ ମଧ୍ୟରେ ସମ୍ପନ୍ନ ହୋଇଥିଲା ଜଳ ବିଜେ ନୀତି । ପୂର୍ବରୁ ଆନନ୍ଦ ବଜାରର ଐଶାନ୍ୟ କୋଣରେ ଅବସ୍ଥିତ ଦେବୀ ଶୀତଳାଙ୍କ ମନ୍ଦିର ବେଢ଼ାରେ ଥିବାସୁନା କୂଅରୁ ସଂଗ୍ରହ କରାଯାଇଥିବା ୧୦୮ ଗଡୁ ଜଳ ଅଣାଯାଇ ଅଧିବାସ ଘରେ ରଖାଯାଇଥିଲା । ସେହି ଅଭିମନ୍ତ୍ରିତ ଜଳକୁ ଗରାବଡୁ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ଜଳ ଛେକ ଆଣି ୪ଧାଡିରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ୩୫ଗଡୁ, ବଳଭଦ୍ରଙ୍କ ସମ୍ମୁଖରେ ୩୩, ସୁଭଦ୍ରାଙ୍କ ସମ୍ମୁଖରେ ୨୨ ଓ ସୁଦର୍ଶନଙ୍କ ସମ୍ମୁଖରେ ୧୮ଗଡୁ ଜଳ ରଖିଥିଲେ । ପୂଜାପଣ୍ଡା ସେବାୟତ ଷୋଡଶ ଉପଚାରରେ ପୂଜା କରିବା ପରେ ରୂପା ପିଙ୍ଗଣରେ ମେକାପ ସେବାୟତ ଅଭିମନ୍ତ୍ରିତ ଜଳ ପୂଜାପଣ୍ଡାଙ୍କ ହାତକୁ ବଢ଼ାଇଥିଲେ । ପୂଜାପଣ୍ଡା ତାହାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ ପ୍ରଥମେ ଢ଼ାଳିବା ପରେ ଗରାବଡୁ ସେବକ ଓ ତାଙ୍କ ପରେ ଦଇତାପତିମାନେ ଅଭିମନ୍ତ୍ରିତ ଗଡୁର ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । କୌଣସି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିନଥିବାବେଳେ ଖରାରେ ବଡଦାଣ୍ଡରେ ପୋଲିିସ ଏବଂ ସରକାରୀ ଅଧିକାରୀଙ୍କ କାଁ ଭାଁ ଚଳପ୍ରଚଳ ପରିଲକ୍ଷିତ ହୋଇଥିଲା । ସ୍ନାନମଣ୍ଡପରେ ମଧ୍ୟ ସୀମିତ ସଂଖ୍ୟକ ସେବାୟତଥିବା ଲକ୍ଷ୍ୟ କରାଯାଇଥିଲା । ସକାଳ ୯ଟା ୫୦ରେ ମହାପ୍ରଭୁଙ୍କୁ ମଇଲମ,୧୦ଟା୫ରେ
ମେକାପ ସର୍ବାଙ୍ଗ ଓ ନୂଆଲୁଗା ଲାଗି କରାଯାଇ ବେଶ କରାଯାଇଥିଲା । ଚଳିତବର୍ଷ ଗଜପତି ମହାରାଜା ସ୍ନାନବେଦୀକୁ ଆସିନଥିବାରୁ ତାଙ୍କର ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରାପହଁରା କରିଥିଲେ । ୧୯୭୬ ମସିହାରେ ଗଜପତି ମହାରାଜ ଆମେରିକାରେ ଏଲ୍‌ଏଲ୍‌ଏମ୍‌ ପଢ଼ୁଥିବା ସମୟରେ ସ୍ନାନ ପୂର୍ଣ୍ଣିମାରେ ଛେରାପହଁରା କରିପାରିନଥିବାବେଳେ ଗତବର୍ଷ ପରି ଚଳିତବର୍ଷ ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇନଥିଲେ । ପରେ ସକାଳ ୧୧ଟା ୨୦ରେ ଆରମ୍ଭ ହୋଇଥିଲା ହାତୀବେଶ । ୧୨ଟା ୫ସୁଦ୍ଧା ମହାପ୍ରଭୁଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା । ଘଣ୍ଟ, ଛତା ଓ କାହାଳୀ ସହ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରୁ ପଟୁଆରରେ ଅଣାଯାଇଥିଲା ହାତୀବେଶ ସାଜ । ମହାପ୍ରଭୁ ହାତୀବେଶରେ ସଜ୍ଜିତ ହେବା ପରେ ମହନ୍ତ ଶାଢ଼ିବନ୍ଧା ନୀତି କରାଯାଇ ଘଣ୍ଟ ଛତା ସକାଳ ଧୂପ ଶେଷ ହୋଇଥିଲା । ହାତୀବେଶ ଥାଇ ମହାପ୍ରଭୁଙ୍କୁ ମଇଲମ କରାଯାଇଥିଲା । ଅପରାହ୍ନ ୫ଟାରେ ଅନବସର ପିଣ୍ଡିକୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ପ୍ରଥମେ ଚଳନ୍ତି ପ୍ରତିମା ରାମକୃଷ୍ଣ ଓ ମଦନମୋହନ ବିଜେ କରିଥିଲେ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଅନବସର ପିଣ୍ଡିକୁ ବିଜେ କରିଥିଲେ । ବାହୁଡା ପହଣ୍ଡି ପରେ ସୁନା ଚିତା ଓ ରାହୁରେଖା ଲାଗି କରାଯାଇଥିଲା । ଆସନ୍ତାକାଲି ଠାରୁ ଶ୍ରୀବିଗ୍ରହମାନେ ଅନବସରରେ ରହିବେ । ଏହି ସମୟରେ ପଟ୍ଟିଦିଅଁ ପୂଜା ପାଇବେ । ଆଜି ରାତିରେ ତାଟି ବନ୍ଧାଯାଇ ଦଶାବତାର ବିଜେ କରିଛନ୍ତି । ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ଦକ୍ଷିଣିଘର ଭୋଗ କରାଯାଇ ମଧ୍ୟରାତ୍ରରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହରଣ ଦ୍ୱାର ଫିଟିବ । ଭୋରରୁ ଅନବସର ନୀତି ସମ୍ପନ୍ନ ହେବ । ମହାପ୍ରଭୁ ପଣା ଭୋଗ ଖାଇବା ପରେ ବେହରଣ ଦ୍ୱାର ବନ୍ଦ ହେବ ଓ ଜୟବିଜୟ ଦ୍ୱାର ଫିଟିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼କଫର କ୍ରିଷନ କୁମାର,ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ବିଷ୍ଣୁ ପଦସେଠୀ,ଜିଲ୍ଲାପାଳ ସମର୍ଥ ବର୍ମା, ଏଡ଼ିଜି (ଆଇନ୍‌ ଶୃଙ୍ଖଳା)ଯଶୱନ୍ତ ଜେଠୁଆ,ଏସ୍‌ପି କନୱାର ବିଶାଳ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଉପସ୍ଥିତି ରହି ନୀତି ସମ୍ପାଦନ କାର୍ଯ୍ୟର ତଦାରଖ କରିଥିଲେ । ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସହରର ୫ଟି ପ୍ରବେଶପଥକୁ ସିଲ୍‌ କରିଦିଆଯାଇଥିଲା । ୧୬୦ଜଣ ପୋଲିସ ଅଧିକାରୀ ଓ ୩୫ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ୪୪ଜଣ ଇନ୍ସିପେକଫର,୨୦ଜଣ ଡ଼ିଏସ୍‌ପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟପାହ୍ୟା ଅଧିକାରୀ ଓ ୬ ଜଣ ଅତିରିକ୍ତ ଏସ୍‌ପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ପୁରୀର ୫ଟି ପ୍ରବେଶ ପଥରେ ପୋଲିସ ଅଧିକାରୀ ଓ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଞ୍ଚଳକୁ ୭ଟି ଜୋନ୍‌ରେ ବିଭକ୍ତ କରାଯାଇ ସବୁ ଅଞ୍ଚଳକୁ ବ୍ୟାରିକେଡରେ ଆବଦ୍ଧ କରାଯାଇଥିଲା । କାହାରିକୁ ସାହି, ଗଳି କନ୍ଦିରୁ ବଡଦାଣ୍ଡକୁ ଆସିବାକୁ ଦିଆଯାଇନଥିଲା । କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜାରି କରାଯାଇଥିବା ୧୪୪ଧାରାକୁ କାର୍ଯ୍ୟକାରୀ କରିବାରେ ଭକ୍ତମାନେ ସହଯୋଗ କରିଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି କନୱାର ବିଶାଳ ସିଂ ଭକ୍ତମାନଙ୍କୁ ସାଧୁବାଦ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏସ୍‌ ସ୍ତରରେ ଅଦଳବଦଳ  : ଯଶବନ୍ତ  ଭିଜିଲାନ୍ସ ନିର୍ଦ୍ଦେଶକ

ଆଇପିଏସ୍‌ ସ୍ତରରେ ଅଦଳବଦଳ : ଯଶବନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ

Read More...

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page