ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

March 11, 2021, ଓଡ଼ିଶା, , Anupambharat News Bureau


ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’
Anupambharat News Bureau
March 11, 2021


ଭୁବନେଶ୍ୱର, (ସ୍ୱତନ୍ତ୍ର ପ୍ରତିନିଧି) : ରାଜ୍ୟର ଶାସନଭାର ନେବା ଦିନଠାରୁ ବିଜେଡି କ୍ଷମତାକୁ କିଭଳି କରାୟତ କରାଯାଇ ପାରିବ ତାର ମନ୍ତ୍ର ପାଇଯାଇଥିବା ଦଳର ଲଗାତାର ସଫଳତା ପ୍ରମାଣିତ କରିଛି । ବିଭିନ୍ନ ବର୍ଗର ଭୋଟରଙ୍କୁ ଆପଣାଇବା ପାଇଁ ଦଳ ଭିନ୍ନ ଭିନ୍ନ ସମୟରେ ନୂଆ ଷ୍ଟ୍ରାଟେଜି ଆପଣାଇବାରେ ଲାଗିଥିବା ପ୍ରତୀୟମାନ ହେବାରେ ଲାଗିଛି । ବିଜେପି ସହ ମେଣ୍ଟ ଭାଙ୍ଗିବା ସମୟରେ ବିଜେଡିର ଲୋକପ୍ରିୟତା ହ ୍ରାସ ପାଇବା ନେଇ ଅତୀତରେ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାକୁ ମଧ୍ୟ ନବୀନ ଫୁ’ କରି ଉଡ଼ାଇ ଦେଇଛନ୍ତି । ଆରମ୍ଭରୁ ସ୍ୱର୍ଗତ ବିଜୁବାବୁଙ୍କ ଅପୂର୍ଣ୍ଣର୍ ସ୍ୱପ୍ନକୁ ପୂରଣ କରିବାର ନାରା ଦେଇ ନବୀନ ଭୋଟ୍‌ ସାଉଁଟିବାର ଯେଉଁ ଧାରା ଆରମ୍ଭ କରିଥିଲେ ଆଜି ମଧ୍ୟ ତାକୁ ଚାଲୁ ରଖିଛନ୍ତି । ଯୁବବର୍ଗଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଚଳିତବର୍ଷ ଠାରୁ ବିଜେଡି ଖୁବ୍‌ ଚତୁରତାର ସହ ଖେଳ-ରାଜନୀତି ଆରମ୍ଭ କରିଛି । ଏହା ପରବର୍ତ୍ତୀ ମହିଳା ଭୋଟରଙ୍କୁ ଲକ୍ଷ୍ୟରେ ରଖି ଦଳ ମହିଳା କାର୍ଡ ଖେଳିବାକୁ ଆରମ୍ଭ କରିଛି । ରାଜ୍ୟରେ ମହିଳାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ବିଜୁବାବୁ ହିଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଓଡ଼ିଶାରେ ମହିଳା ସଶକ୍ତିକରଣର ଖଡ଼ିଛୁଆଁ ହେବା ସହ ସାରା ଦେଶରେ ଓଡ଼ିଶାର ଏକ ନିଆରା ପରିଚୟ ସୃଷ୍ଟି ହୋଇଥିଲା । ବହୁ ସଂଖ୍ୟାରେ ମହିଳାମାନେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଯୋଡ଼ି ହୋଇ ସରପଞ୍ଚ ଓ ସମିତି ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ । ତେବେ ମହିଳା କାର୍ଡର ଏହି ପରୀକ୍ଷା ବିଜୁବାବୁଙ୍କୁ ଆଶାନୁରୂପ ରାଜନୈତିକ ଫାଇଦା ଦେଇ ନଥିଲା । ୧୯୯୫ ନିର୍ବାଚନରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଜନତା ଦଳ ପରାସ୍ତ ହେବା ସହ କଂଗ୍ରେସ କ୍ଷମତାକୁ ଫେରିଥିଲା । ଅବଶ୍ୟ ତାଙ୍କ ପରଲୋକ ପରେ ଅନୁଷ୍ଠିତ ପରବର୍ତ୍ତୀ ନିର୍ବାଚନରେ ରାଜ୍ୟରେ ନବଗଠତ୍‌ ବିଜେଡି ଓ ବିଜେପି ମେଂଟକୁ ସଫଳତା ମିଳିଥିଲା । ରାଜ୍ୟରେ ଅଣ-କଂଗ୍ରେସ ସରକାର ଗଠିତ ହୋଇଥିଲା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରିତ୍ୱ ଭାବେ କ୍ଷମତାସୀନ ହୋଇଥିଲେ । କିଛି ବର୍ଷ ପରେ ବିଜେଡିର ନାରା ‘ମା’କୁ ସମ୍ମାନ, ଗାଁକୁ କାମ’ ଅନୁଯାୟୀ ରାଜ୍ୟ ସରକାର ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ କରି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ । ମିଶନ ଶକ୍ତି ଏକ ସମ୍ପୂର୍ଣ୍ଣ ସରକାରୀ ଅଭିଯାନ ହୋଇଥିଲେ ବି ବିଜେଡି ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ପ୍ରୟାସ କରିଛି । ପ୍ରଥମ ଥର ପାଇଁ ବିଶ୍ୱ ମହିଳା ଦିବସକୁ ବିଜେଡି ଧୂମ୍‌ଧାମ୍‌ରେ ପାଳନ କରିବା ସହ ବ୍ଲକ୍‌ ସ୍ତରରେ ମହିଳା ସମାବେଶ ଆୟୋଜନ କରିଛି । ମହିଳା ଦିବସର ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଏସ୍‌ଏଚ୍‌ଜି ସଦସ୍ୟା ମହିଳାମାନଙ୍କୁ ପ୍ରଚୁର ପ୍ରଶଂସାରେ ପୋତି ପକାଇଛନ୍ତି । ଏହି ମହିଳାମାନେ କୁଆଡ଼େ ଅପୂର୍ବ ସାହସ ପ୍ରଦର୍ଶନ କରି ମହାମାରୀ କରୋନାର ମୁକାବିଲା ବେଳେ ଦୃଢ ପ୍ରାଚୀର ଭଳି ଛିଡ଼ା ହୋଇଥିଲେ ବୋଲି ନବୀନଙ୍କ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ନବୀନ ଆଉ ପାଦେ ଆଗେଇ ଯାଇ ମହିଳା ଦିବସରେ ହିଁ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କର ଏକ ନୂତନ ସ୍ୱତନ୍ତ୍ର ବିଭାଗ ରୂପେ ଘୋଷଣା କରିଦେଲେ । ବିଜେଡି ସୁପ୍ରିମୋଙ୍କର ଏହି ସୁଚିନ୍ତିତ ଘୋଷଣାରୁ ରାଜ୍ୟର ମହିଳା ଭୋଟର୍‌ଙ୍କ ମନ ଜିଣିବା ପାଇଁ ବିଜେଡି ମହିଳା କାର୍ଡ ଖେଳିଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ପୂର୍ବରୁ ‘ମିଶନ ଶକ୍ତି’ ମହିଳା ଓ ଶିଶୁବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲା । ଏବେ ଏହା ଏକ ସ୍ୱତନ୍ତ୍ର ବିଭାଗରେ ପରିଣତ ହୋଇଛି । ମହିଳା ଓ ଶିଶୁବିକାଶ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ ଏବେ ନବ-ଘୋଷିତ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ପୂର୍ବରୁ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ୍‌ ମିଶନ ଶକ୍ତି ପ୍ରକଳ୍ପର ନିର୍ଦ୍ଦେଶିକା ଓ କମିଶନର
ଭାବେ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ପରେ ବି ସୁଜାତାଙ୍କ ହାତରେ ମିଶନ ଶକ୍ତି ରହିଛି, ତେବେ ସେ ମିଶନ ଶକ୍ତିର ପ୍ରଥମ ସଚିବ ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକଣାରେ ପାଳିତ ଜାଗର ଯାତ୍ରା

କଟକଣାରେ ପାଳିତ ଜାଗର ଯାତ୍ରା

Read More...

ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page