ବିଜେଡିର ନୂଆ ରଣନୀତି : ଖେଳରେ କରିବ‘ଖେଳ’

January 31, 2021, ଓଡ଼ିଶା, , Anupambharat News Bureau


ବିଜେଡିର ନୂଆ ରଣନୀତି :  ଖେଳରେ କରିବ‘ଖେଳ’
Anupambharat News Bureau
January 31, 2021


ଭୁବନେଶ୍ୱର, ୩୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ବୃଦ୍ଧବୃଦ୍ଧାଙ୍କୁ ମାସିକ ପେନସନ୍‌ରୁ ଆରମ୍ଭ କରି ଛତା, କମ୍ବଳ, ମଶାରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ, ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ, ହବିଷ୍ୟାଳିଙ୍କୁ ପୁରୀରେ ମାଗଣା ରହଣୀ ଓ ଅବଢା ସେବନ ଭଳି ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଶାସକ ବିଜୁ ଜନତା ଦଳ ଗତ କିଛି ବର୍ଷ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଏକାନ୍ତ ଭାବେ ନିଜର କରିଛି । ସେହିପରି ଏସ୍‌ଏଚ୍‌ଜିଗୁଡ଼ିକୁ ଅନୁଦାନ, ସ୍ୱଳ୍ପ ସୁଧରେ ଋଣ ଓ ଜୀବନଜୀବିକା ଲାଗି ପ୍ରଶିକ୍ଷଣ ପ୍ରଦାନ କରି ମହିଳା ବର୍ଗଙ୍କୁ ବି ଆପଣାଇବାରେ ସଫଳ ହୋଇଛି । ହେଲେ, ପଞ୍ଚାୟତ ସ୍ତରରେ ସରକାରୀ ଅର୍ଥରେ ବିଜୁ ଯୁବବାହିନୀ ଗଠନ କରି ମଧ୍ୟ ଯୁବବର୍ଗକୁ ସମ୍ପୂର୍ଣ୍ଣ ଭାବରେ ହାତେଇବାରେ ବିଜେଡ଼ି ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ନିକଟରେ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କ ବୈଠକରେ ଏ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ପ୍ୟାରୀମୋହନ ମହାପାତ୍ରଙ୍କ ପରେ ଏବେ ବିଜେଡିର ଦ୍ୱିତୀୟ ଚାଣକ୍ୟ ବୋଲାଉଥିବା ଯାଜପୁର ଜିଲ୍ଲାର ଛାମୁଆ ନେତା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏହି ବୈଠକ ଡାକିଥିଲେ । ଏଥିରେ ବ୍ୟାପକ ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ, ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଜେପି ଯୁବବର୍ଗଙ୍କୁ ହାତେଇବାରେ ଲାଗି ପଡ଼ିଥିବାବେଳେ ବିଜେଡି ନିରବ ରହିବା ଉଚିତ ହେବ ନାହିଁ । ବବି ବୈଠକରେ ଉପସ୍ଥିତ ବିଜୁ ଯୁବ ଜନତା ଦଳର ଟୋକାଳିଆ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇ କହିଥିଲେ ଯେ, ଏଣିକି ଚତୁରତାର ସହ ଖୋଲା ମଇଦାନରେ ଲଢିବାକୁ ପଡ଼ିବ । ସମୟ ସହ ତାଳ ଦେଇ ଆଗକୁ ବଢିବା ପାଇଁ ହେଲେ ଯୁବବର୍ଗର ପ୍ରଥମ ପସନ୍ଦ ଖେଳରୁ ହିଁ ରାଜନୈତିକ ଖେଳର ମାଧ୍ୟମ କରିବାକୁ ପଡ଼ିବ ।
ଇତିମଧ୍ୟରେ ବିଜେଡିର ସ୍ଥିତି ନିହାତି ଖରାପ ଥିବା ମୟୂରଭଞ୍ଜ ଜିଲ୍ଲାରେ ଏହାକୁ ପ୍ରୟୋଗ କରାଯାଇ ଯଶୀପୁର ସମେତ କେତେକ ସ୍ଥାନରେ ଶଙ୍ଖ ‘ଫୁଟବଲ୍‌’ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ଗ୍ରାମାଞ୍ଚଳକୁ କ୍ରିକେଟ୍‌ କିଟ୍‌, ଫୁଟବଲ୍‌ ଓ ଭଲିବଲ୍‌ ଖେଳରେ ବ୍ୟବହୃତ ନେଟ୍‌ ପଠାଇ ଦିଆଯିବ । ଶୁଣାଯାଉଛି ଯେ, ଏସବୁ ସାମଗ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ପହଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କ୍ରୀଡ଼ାମନ୍ତ୍ରୀ ତୁୁଷାରକାନ୍ତି ବେହେରାଙ୍କୁ କୁଆଡ଼େ ଅଲିଖିତ ଆଦେଶ ଦିଆ ସରିଛି । ସବୁ ପଞ୍ଚାୟତରେ ବିଜେଡି କର୍ମକର୍ତ୍ତାମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବବିଙ୍କ ଫର୍ମୁଲା ଅନୁଯାୟୀ, ଏହା ଫଳରେ ଯୁବବର୍ଗ ବିଜୁ ଜନତା ଦଳର ସ୍ଥାୟୀ ସମର୍ଥକ ପାଳଟି ଯିବେ ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଯେତେ ଯାହା କଲେ ବି ଆଉ ସେମାନଙ୍କ ଲାଞ୍ଜରେ ହାତ ମାରି ପାରିବେ ନାହିଁ । ସରକାରୀ ଅନୁଦାନକୁ ବ୍ୟବହାର କରି ଅତି ସୁବିଧାରେ ଦଳୀୟ ପ୍ରଚାର ପ୍ରସାର କରାଯିବା ସହ ଦଳୀୟ ଭୋଟ ହାର ବଢାଇବା ମଧ୍ୟ ଖୁବ୍‌ ସୁଗମ ହେବ ।ଇତିମଧ୍ୟରେ ବବିଙ୍କ କାର୍ଯ୍ୟଧାରାରୁ ମଧ୍ୟ ଏହାର ଆଭାସ ମିଳି ସାରିଲାଣି । ନିକଟରେ ବବି ବାରିପଦାର ପ୍ରଖ୍ୟାତ ବିଦ୍ୟାଳୟ ଏମ୍‌କେସି ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛନ୍ତି । କେହି କେହି ଭାବି ପାରନ୍ତି, ବବି ତ ଯାଜପୁର ଜିଲ୍ଲାର ନେତା, ତାଙ୍କର ଏତେ ମୂୟରଭଞ୍ଜ ପ୍ରୀତି କାହିଁକି ? ଅସଲ କଥାଟା ହେଲା ମୟୁରଭଞ୍ଜ ଲୋକସଭା ଆସନଟି ଏବେ ପଦ୍ମ ଦଳ ଦଖଲରେ ଅଛି । ଗଲା ପଞ୍ଚାୟତ ନିର୍ବାଚନରେ ବି ବିଜେପି ସେହି ଜିଲ୍ଲାରେ ବାଜି ମାରି ନେଇଥିଲା ଓ ବିଜେଡି ଆଖିଦୃଶିଆ ସଫଳତା ହାସଲ କରିବାରେ ଫେଲ୍‌ ମାରିଥିଲା ।
ଭୋଟ୍‌ ଗଣିତ ଦୃଷ୍ଟିରୁ ଦେଖିବାକୁ ଗଲେ ଯୁବବର୍ଗଙ୍କ ଭୋଟ୍‌ ଅତ୍ୟନ୍ତ ମୂଲ୍ୟବାନ୍‌ । କାରଣ ବରିଷ୍ଠ ନାଗରିକ ଓ ମହିଳାବର୍ଗଙ୍କୁ ବିଜେଡି ନିଜର କରି ପାରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକେ ଭୋଟ୍‌ ଦେବାକୁ ଯାଆନ୍ତି ନାହିଁ । ଅନ୍ୟପକ୍ଷରେ ଯୁବବର୍ଗଙ୍କ ମତଦାନ ପ୍ରାୟ ଶତ ପ୍ରତିଶତ ସୁନିଶ୍ଚିତ । ତେଣୁ ଖେଳରେ ରାଜନðତିକ ଗୋଟି ଚଳାଇବାର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଫଳରେ ବିଜେଡି ଗୋଟିଏ ଗୁଳିରେ ଯୁବବର୍ଗଙ୍କୁ ଶାସକ ଦଳ ଆଡ଼କୁ ଆକୃଷ୍ଟ କରିବା, କ୍ରୀଡ଼ା ବିକାଶରେ ସରକାରଙ୍କ ଭୂମିକାର ଡିଣ୍ଡିମ ପିଟିବା ଓ ଗ୍ରାମଞ୍ଚଳରେ ବିଜେଡିର ଭୋଟ୍‌ ହାର ବୃଦ୍ଧି କରିବା ଭଳି ତିନୋଟି ଶିକାର କରିବା ପାଇଁ ଯୋଜନାବଦ୍ଧ ଭାବରେ ଆଗକୁ ଅଗ୍ରସର ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ:  ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

ପିକଅପ୍‌ ଭ୍ୟାନ୍‌ ଓଲଟି ୧୦ ମୃତ: ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ

Read More...

ଆଜି କେନ୍ଦ୍ର ବଜେଟ୍‌

ଆଜି କେନ୍ଦ୍ର ବଜେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page