ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌

January 24, 2021, ଦେଶ, , Anupambharat News Bureau


ଏପ୍ରିଲ ସୁଦ୍ଧା ପ୍ରତ୍ୟାହାର ହୋଇପାରେ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍‌
Anupambharat News Bureau
January 24, 2021


ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆର୍ବିଆଇର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି । ଦେଶରୁ ଖୁବ୍‌ ଶୀଘ୍ର ପୁରୁଣା ୫ ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଯୋଜନା କରୁଥିବା ଜଣାପଡ଼ିଛି । ସେହିଭଳି ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଏହିସବୁ ପୁରୁଣା ନୋଟ୍‌ ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତାବ ରହିଛି । ଦେଶର ଶୀର୍ଷ ବ୍ୟାଙ୍କ୍‌ ଏହିସବୁ ପୁରୁଣା ନୋଟ ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି । ବର୍ତ୍ତମାନ ପ୍ରଚଳନରେ ଥିବା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନିଆଯାଇପାରେ । ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍‌ ବେଳକୁ ଏହି ନୋଟ ଗୁଡ଼ିକୁ ହଟାଇ ଦିଆଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଉଛି । ରିଜର୍ଭ ବ୍ୟାଙ୍କର ଏଜିଏମ୍‌ ମହେଶଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ନୋଟ୍‌ ପ୍ରତ୍ୟାହାର ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ ।
ଜିଲ୍ଲାସ୍ତରୀୟ ସିକ୍ୟୁରିଟି କମିଟି (ଡିଏଲ୍‌ଏସ୍ସି) ଏବଂ ଜିଲ୍ଲାସ୍ତରୀୟ ମୁଦ୍ରା ପରିଚାଳନା କମିଟି (ଡିଏଲ୍‌ଏମ୍ସି) ବୈଠକରେ ଉଦେ୍ୱାଧନ ଦେଇ ଶ୍ରୀ ମହେଶ କହିଛନ୍ତି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲରେ ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟକୁ ହଟାଇ ନିଆଯିବ । ତେଣୁ ଏହି ନୋଟ ଗୁଡ଼ିକ ପର୍ଯ୍ୟାୟକ୍ରମେ ବଜାରରୁ ଅଦୃଶ୍ୟ ହୋଇଯିବ । ଉକ୍ତ ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ ଆସିଯାଇଛି । ୨୦୧୯ ମସିହାରେ ଜାରି ହୋଇଥିବା ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ହାଲୁକା ବାଇଗଣି ହୋଇଥିବାବେଳେ ଏଥିରେ ଗୁଜରାଟର ପାଟଣା ଜିଲ୍ଲାର ସରସ୍ୱତୀ ନଦୀକୂଳରେ ରହିଥିବା ଐତିହ୍ୟ ‘ରାଣୀ କୂପ’ର ଚିତ୍ର ରହିଛି । ତେବେ ସବୁ ପୁରୁଣା ୧୦୦ ଟଙ୍କିଆ ନୋଟ୍‌ ପୂର୍ବପରି ପ୍ରଚଳନରେ ରହିବ ବୋଲି ସେହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ଅଚଳ ଘୋଷଣା କରିବାବେଳେ ଦେଶରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ସେଭଳି ଅବସ୍ଥା ଯେମିତି ଦେଖା ନଯିବ ତାହାକୁ ନିଶ୍ଚିତ କରିବା ପାଇଁ ପୁରୁଣା ନୋଟ୍‌ ପ୍ରତ୍ୟାହାର ପୂର୍ବରୁ ନୂଆ ନୋଟ ଉପଲବ୍ଧ କରାଇବା ଯୋଜନା ହୋଇଥିବା ଏକ ସୂତ୍ରରୁ ଜଣାଯାଇଛି । ପୁରୁଣା ନୋଟ ଗୁଡ଼ିକୁ ପ୍ରତ୍ୟାହାର କରି ନିଆଗଲେ ସେଗୁଡ଼ିକ ଇତିହାସ ପାଲଟିଯିବ ।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର (ଏଜିଏମ୍‌) ବି.ମହେଶ ଜିଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲାସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ମତ ଦେଇଥିବା ଜଣାପଡିଛ । ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ଶେଷ ସୁଦ୍ଧା ପୁରୁଣା ୫ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍‌ ସବୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ପକ୍ଷରୁ ଯୋଜନା କରାଯାଉଥିବା ବିଷୟରେ ସେ ମତ ପ୍ରକାଶ କରିଛନ୍ତି । ବିମୁଦ୍ରୀକରଣ ସମୟରେ ଟଙ୍କାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯ରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ କରିଥିଲା । ଏହାର କୌଣସି ପ୍ରକାର ଅସୁବିଧା ନ ଆସୁ ବୋଲି ଚିନ୍ତା କରି ରିଜର୍ଭ ବ୍ୟାଙ୍କ ପୁରୁଣା ନୋଟ ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟ ପ୍ରଚଳନକରି ବଜାର ଆବଶ୍ୟକତା ପୂରଣ କରିଥିଲା ବୋଲି ସୂଚନା ମିଳିଛି । ୨୦୧୬ ନଭେମ୍ବର ୮ ତାରିଖ ରାତି ୮ ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ଅଚଳ କରି ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା କରିଥିଲେ । ସେହିଭଳି ନୋଟ୍‌ ବନ୍ଦୀ ପରଠାରୁ ଦେଶରେ ଏ ପର୍ଯ୍ୟନ୍ତ ଆର୍ବିଆଇ ଭିନ୍ନ ଭିନ୍ନ ମୂଲ୍ୟର ୭ଟି ନୋଟ୍‌ ଜାରି କରି ସାରିଛି । ଫଳରେ ୨୦୦୦, ୫୦୦, ୨୦୦, ୧୦୦, ୫୦, ୨୦ ଓ ୧୦ ଟଙ୍କିଆ ନୋଟ୍‌ ସାମିଲ ହୋଇଛି । ଏହିସବୁ ମହାତ୍ମା ଗାନ୍ଧୀଙ୍କ ସିରିଜ ନୋଟ୍‌ ପଛରେ ଐତିହାସିକ ସ୍ଥାନର ଫଟୋକୁ ସ୍ଥାନ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜେଟ୍‌ ଆପ୍‌ ଉନ୍ମୋଚିିତ

ବଜେଟ୍‌ ଆପ୍‌ ଉନ୍ମୋଚିିତ

Read More...

ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page