ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

May 20, 2019, ଓଡ଼ିଶା, , Anupambharat News Bureau


ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ
Anupambharat News Bureau
May 20, 2019

କେନ୍ଦୁଝର, ୨୦ା୫ (ଅନୁପମ ମିଡିଆ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦେଶ ସ୍ୱାଧିନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳର ଉନ୍ନତି ଯେଉଁ ତିମିରେ କୁ ସେହି ତିମିରେ ରହିଛି । ଏହିକ୍ରମରେ ମେଦିନିପୁର ଗାଁର ସମସ୍ୟା ନକହିଲେ ଭଲ । ବହୁବିଧ ସମସ୍ୟାରେ ଜର୍ଜରିତ ଏହି ମେଦିନିପୁର ଗାଁ । ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ଏହି ଗାଁ ପାଇଁ କିଛି ନୂଆ ନୁହେଁ । ନିର୍ବାଚନ ଆସିଲେ ଏହି ଅଞ୍ଚଳବାସୀଙ୍କ ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସିଥାନ୍ତି । ଆଗାମୀ ଦିନରେ ଅନେକ ବିକାଶ କରାଯିବ ବୋଲି ସେମାନଙ୍କୁ ସ୍ୱପ୍ନ ଦେଖାଇଥାନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଲୋକଙ୍କ ସମସ୍ୟା ପୂର୍ବପରି ଲାଗି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ଜର୍ଜରିତ ଗ୍ରାମବାସୀମାନେ କର୍ମକୁ ଆଦରି ଜୀବନଯାପନ କରୁଥିବାବେଳେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଶହ ଶହ ଯୋଜନା ଏମାନଙ୍କ ପାଇଁ ସାତସପନ ପାଲଟିଛି । ମୌଳିକ ଅଧିକାରଗୁଡିକରୁ ମଧ୍ୟ ଏହି ଗ୍ରାମବାସୀମାନେ ବଞ୍ଚିତ ହୋଇ ଆସୁଥିବା ଦେଖାଯାଏ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟ ଜଳ ସମସ୍ୟା ସାଙ୍ଗକୁ କର୍ମନିଯୁକ୍ତି ନମିଳିବା କାରଣରୁ ସଂପୃକ୍ତ ଗାଁମାନଙ୍କର ଅନେକ ଯୁବକ ଯୁବତୀ ବାହାରେ ଯାଇ ମୂଲ ମଜୁରୀ ନକଲେ ସେମାନଙ୍କର ଚୁଲି ଜଳେ ନାହିଁ । ଏମିତି ଏକ ଅଗମ୍ୟ ଅଞ୍ଚଳ ହେଉଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳକଇଁସାରୀ ପଞ୍ଚାୟତ ଅଧିନସ୍ଥ ମେଦିନିପୁର ଗ୍ରାମ । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୨କିମି ଦୂରତାରେ ଅବସ୍ଥିତ ମେଦିନିପୁର ଗାଁ ସତେ ଯେପରି ସବୁ କ୍ଷେତ୍ରରେ ଅବହେଳିତ ।
ଏହି ଗାଁରେ ୧୭ଗୋଟି ପରିବାରର ୮୦ରୁ ଅଧିକ ଜନସାଧାରଣ ବସବାସ କରୁଥିବାବେଳେ ଗୋଟିଏ ଦୁଇଟି ପରିବାରକୁ ଛାଡିଦେଲେ ସମସ୍ତେ ପ୍ରାୟ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି ଅଟନ୍ତି । ଏମାନଙ୍କ ପାଇଁ ରାଜ୍ୟ ସରକାର ଅନେକଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ମେଦିନିପୁର ଗାଁକୁ ଦେଖିଲେ ଲାଗେ ନାହିଁ ଏହି ଯୋଜନାର ସୁଫଳ ଗ୍ରାମବାସୀମାନେ ପାଇଛନ୍ତି ବୋଲି । ପର୍ଯ୍ୟଟନସ୍ଥଳ ବଡଘାଗରା ରାସ୍ତାରେ ଏହି ମେଦିନିପୁର ଗାଁକୁ ଯିବାକୁ ପଡେ । କିମ୍ବା କେନ୍ଦୁଝର ସିଦ୍ଧମଠ ଦେଇ ଜଙ୍ଗଲିଆ ପାଦଚଲା ରାସ୍ତାରେ ଗଲେ ମଧ୍ୟ ଏହି ଗାଁ ପଡିଥାଏ । ଏହି ଗାଁରେ ସରକାରଙ୍କ ତରଫରୁ ଅଙ୍ଗନୱାଡି ଘରଟିଏ ହୋଇଛି ସିନା କିନ୍ତୁ କୌଣସି ସୁବିଧା ନାହିଁ । ଗାଁରେ ଅନେକ ଦିନ ତଳୁ ଟାଇଲ ଛପରରେ ନିର୍ମିତ ମଣ୍ଡଘରଟିଏ କରାଯାଇଥିଲା । କିନ୍ତୁ ଏହା ଭାଙ୍ଗି ଦଦରି ଗଲାଣି । ତଥାପି ଗ୍ରାମବାସୀମାନେ ଏହି ଭଙ୍ଗା ଘରେ ସେମାନଙ୍କର ବସ୍ତିର କାମରେ ଆସୁଥିବା ବିଭିନ୍ନ ସରାମ ଅତି ଯତ୍ନ ସହକାରେ ସାଇତି ରଖିଛନ୍ତି ।
ଇନ୍ଦିରାଆବାସ କିମ୍ବା ସରକାରଙ୍କ ତରଫରୁ ମିଳୁଥିବା ଅନ୍ୟାନ୍ୟ ଯୋଜନା ମଧ୍ୟ ଏଠାକାର ଅନେକ ପରିବାର ପାଇଁ ସାତସପନ ହୋଇଛି । ଗ୍ରାମବାସୀଙ୍କ ହାତରେ କୌଣସି କାମ ନାହିଁ । ବାଧ୍ୟ ହୋଇ କେତେକ ଲୋକ କେନ୍ଦୁଝର ସହର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇ କାମଧନ୍ଦା କରିବାକୁ ବାଧ୍ୟ ହୁଅନ୍ତି । ବେଳେବେଳେ ଜଙ୍ଗଲରୁ ଶୁଖିଲା କାଠ ଗୋଟାଇ ୧୦/୧୨କିମି ପାଦରେ ଚାଲି କେନ୍ଦୁଝର ସହରରେ ବିକ୍ରୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ବର୍ଷାଦିନେ ଜଙ୍ଗଲରୁ ବାହାରୁଥିବା ଛତୁ ସାଙ୍ଗକୁ ପତ୍ର ତୋଳି,ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଗ୍ରାମର ଅନେକ ଲୋକଙ୍କର କେତେକାଂଶରେ ଚାଷଜମି ରହିଛି । କିନ୍ତୁ ବଣୁଆ ହାତୀଙ୍କ ଯୋଗୁଁ ଏଠାରେ କେହି ଚାଷ କରିପାରୁନାହାଁନ୍ତି । ବାଡିବଗିଚାରେ ପାରମ୍ପରିକ ଫସଲରୁ କେତେକ ବ୍ୟକ୍ତି ତାଙ୍କର ଗୁଜୁରାଣ ମେଣ୍ଟାଇଥାନ୍ତି । ସରକାରଙ୍କର ମାଗଣା ବିଦୁ୍ୟତ ଯୋଜନାରେ ଏହି ଗାଁକୁ ଲାଇନ୍‌ ଯାଇଛି । କିନ୍ତୁ ୨/୩ ପରିବାରକୁ ଛାଡିଦେଲେ ଅନ୍ୟ ସମସ୍ତ ପରିବାର ବିଦୁ୍ୟତ ଆଲୁଅରୁ ବଞ୍ଚିତ ହୋଇଛନ୍ତି । ଏ ଅଞ୍ଚଳଟି ହାତୀ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ବିଭିନ୍ନ ଜଙ୍ଗଲୀ ଜୀବଜନ୍ତୁଙ୍କର ଉପଦ୍ରବ ଲାଗି ରହୁଛି । ପାନୀୟ ଜଳ ପାଇଁ ବୋରେୱଲଟିଏ ତିଆରି ହୋଇ ସୋଲାର ମାଧ୍ୟମରେ ଜଳ ଯୋଗାଣ ହୋଇଥିଲେ ମଧ୍ୟ ଅନେକ ସମୟରେ ଏହା ଅଚଳ ହୋଇପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସ୍ୱାସ୍ଥ୍ୟସେବା ପାଇଁ ଏଠାରେ କୌଣସି ସୁବିଧା ନାହିଁ ।
ମେଦିନିପୁର ଗ୍ରାମବାସୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଲେ ସେମାନେ ଶୁଆକାଟୀ କିମ୍ବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସିାଳୟ ଉପରେ ନିର୍ଭର କରିଥାନ୍ତି । ଗାଁର କୋମଳମତି ଶିଶୁମାନେ ପାଠ ପଢିବା ପାଇଁ ଜଙ୍ଗଲରେ ଦୁଇ କିଲୋମିଟର ଗଲା ପରେ ଭେଜିଡିହି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥାନ୍ତି । ଜଙ୍ଗଲ ମଧ୍ୟରେ ଯାତାୟତ କରୁଥିବାରୁ ପିଲାମାନଙ୍କର ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ସବୁ କ୍ଷେତ୍ରରେ ପଛରେ ପଡି ଯାଇଥିବା ଓ ବିକାଶର ସ୍ୱାଦ ବାରି ପାରୁନଥିବା ଜଙ୍ଗଲୀ ଗାଁ ମେଦିନିପୁର ଗାଁ ପ୍ରତି ସରକାରଙ୍କର କେବେ ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

Read More...

 ମଦ ନେଲା ଜୀବନ

ମଦ ନେଲା ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page