 
      Anupambharat News Bureau
Anupambharat News Bureau
ହିିଳିକାଟୁ, ୨୩ା୮(ଅନୁପମ ମିଡ଼ିଆ): ହିଞ୍ଜିଳି ଥାନା ସ୍ଥିତ କାଳିଦାସପୁରରେ ବାଲି ଚାଲାଣକୁ ବିରୋଧ କରି ଗାଡ଼ି ପୋଡ଼ି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରବିବାର ଗ୍ରାମବାସୀ ଥାନା ଘେରାଉକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଲୋକଙ୍କୁ ଘଉଡାଇବାକୁ ପୋଲିସର ଲାଠିଚାର୍ଜ ଘଟଣାକୁ ନେଇ ଆଜି ଦିନ ତମାମ ହିଞ୍ଜିଳି ଥାନା ଆଗରେ ଉତ୍ତେଜନା ଲାଗି ରହିଥିଲା । ସୂଚନାନୁଯାୟୀ କାଳିଦାସପୁରରେ ବାଲି ଚାଲାଣକୁ ବିରୋଧ ଉତ୍ତ୍ୟକ୍ତ ଲୋକେ ତିନି ଟ୍ରକ, ଗୋଟିଏ ଟ୍ରାକଫର ଓ ଦୁଇଟି ବାଇକକୁ ପୋଡ଼ିବା ସହ ଗୋଟିଏ ଜେସିବିକୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ନେଇ ହିଞ୍ଜିଳି ପୋଲିସ ଗ୍ରାମର ୫ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ତେବେ ଗ୍ରାମର ଶତଧିକ ଲୋକ ଅଟକ ପାଞ୍ଚକୁ ଛାଡ଼ିବା ଓ ବେଆଇନ ବାଲି ଚାଲାଣରେ ସମ୍ପୃକ୍ତ ମାଫିଆଙ୍କୁ ଗିରଫ ଦାବିରେ ଆଜି ଥାନା ଘେରାଉ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଦୀର୍ଘ ସମୟ ଧରି ଥାନା ଘେରାଉ ସହ ପୋଲିସ ପ୍ରଶାସନ ବାଲି ମାଫିଆଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛି ଓ ନିରୀହ ଲୋକଙ୍କୁ ଆଣି ଥାନାରେ ଅଟକ ରଖିଥିବା ଅଭିଯୋଗ କରି ପାଟିତୁଣ୍ଡ କରିବାରେ ଲାଗିଥିଲେ । ଘଟଣାକୁ ନେଉ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଥିବାରୁ ନିୟନ୍ତ୍ରଣ ପାଇଁ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଆଇଆଇସି ଅଜୟ ବାରିକ, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଏବଂ ଶେରଗଡ଼ ଆଇଆଇସି ରମେଶ ଚନ୍ଦ୍ର ଦାସଙ୍କ ସହ ସଶସ୍ତ୍ର ବାହିନୀ ହଞ୍ଜିଳି ଥାନାରେ ପହଞ୍ଚଥିଲେ । ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନୁ୍ୟ ଦାଶ ଓ ଅନ୍ୟ ପୋଲିସ ଅଫିସରଙ୍କ ସହ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଆଲୋଚନା କରିଥିଲେ । ତେବେ ଅଟକଙ୍କୁ ଛାଡ଼ିବା ନିମନ୍ତେ ଗ୍ରାମବାସୀ ଜିଦ ଧରିଥିଲେ । ଆଲୋଚନାର କୌଣସି ନିର୍ଯ୍ୟାସ ନ ବାହାରିବାରୁ ଗ୍ରାମବାସୀ ଅଧିକ ଉତ୍ତେଜିତ ହୋଇଥିଲେ । ଫଳରେ ଲୋକଙ୍କୁ ଘଉଡ଼ାଇବା ପାଇଁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଲିସ ଲାଠି ଚାର୍ଜ କରିଥିଲା । ଲୋକଙ୍କୁ ରାସ୍ତା ଉପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିବାରେ ଲାଗିଥିଲା । ଏପରିକି କେତେକଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ଥାନା ପରିସରକୁ ଆଣିବାକୁ ଉଦ୍ୟମ କରିଥିଲା । ପୋଲିସର ମାଡ଼କୁ ଦେଖି ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ । ଲାଠି ମାଡ଼ରେ ବହୁ ଲୋକ ଲହୁଲୁହାଣ ହେବାରେ ଲାଗିଥିଲେ । ପୋଲିସର ଉପରୋକ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ ମେଳି ହୋଇଥିବା ଗ୍ରାମବାସୀ ଆହୁରି ତାତିବାରେ ଲାଗିଥିଲେ । ତେବେ ଲୋକଙ୍କ ମଧ୍ୟରେ ଆହୁରି ଚାପା ଅସନ୍ତୋଷ ଦେଖି ପୋଲିସ ପ୍ରଶାସନ ପୁଣି ଥରେ ଗ୍ରାମବାସୀଙ୍କୁ ଆଲୋଚନା ପାଇଁ ଡ଼ାକିଥିଲା । ୩୫ନଂ ଜିଲା ପରିଷଦ ସଭ୍ୟ ପି ନାରାୟଣ ରାଓ ଓ ଗ୍ରାମର ଅନ୍ୟ ମାନଙ୍କ ସହ ପୋଲିସ ଓ ପ୍ରଶାସନର ଦ୍ୱିତୀୟ ଥର ଆଲୋଚନା କରିଥିଲେ । ସିଆରପିସି ୪୧ ଧାରାରେ ପୋଲିସ ଦ୍ୱାରା ଅଟକ ପାଞ୍ଚ ଗ୍ରାମବାସୀଙ୍କୁ ଜିଲା ପରିଷଦଙ୍କ ଜିମାରେ ଥାନାରୁ ଛାଡ଼ିଥିଲା । ଘଟଣାର ନିପେକ୍ଷ ତଦନ୍ତ କରାଯିବ , ଉକ୍ତ ଅଞ୍ଚଳରୁ ବେନିୟମ ବାଲି ଚାଲାଣ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ବୋଲି ଜିଲା ପରିଷଦ ସଭ୍ୟ ରାଓ କହିଛନ୍ତି । ଅନ୍ୟ ପକ୍ଷରେ ବାଲି ଚାଲାଣ ପାଇଁ ତୁମୁଳକାଣ୍ଡରେ ରାଜସ୍ୱ ଓ ପୋଲିସ ବିଭାଗ ସହ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକା ନେଇ ବିଭିନ୍ନ ସ୍ତରରେ ପ୍ରଶ୍ନବାଚୀ ଉଠିଛି । ହିଞ୍ଜିିଳି ଅଞ୍ଚଳର କିଛି ପୂର୍ବତନ ସରପଞ୍ଚ, ରାଜନୈତିକ ବ୍ୟକ୍ତି ଓ ଅସାମାଜିକ ବ୍ୟକ୍ତିଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ଉଠିଛି । କୋଳିଦାସପୁର ଘଟଣା ପରେ ସିଙ୍ଗିପୁର,ଚାନ୍ଦୁଲି ଓ ହିଞ୍ଜିଳିକାଟୁ ଘୋଡ଼ାହାଡ ନଦୀ ନନ୍ଦିକ,ଖରିଡ଼ା, ଶିକିରି, ଆଲପୁର ଋଷିକୂଲ୍ୟା ନଦୀରୁ ଅବାଧରେ ବାଲି ମାଫିଆଙ୍କ ରାଜୁତି ନେଇ ଭବିଷ୍ୟତରେ ହିଂସା ସୃଷ୍ଟିକୁ ଅସ୍ୱୀକାର କରି ହେଉନାହିଁ ।
