ଗୁଳି ବିନିମୟ, ଚାରି ମାଓବାଦୀ ନିହତ

July 05, 2020, ଓଡ଼ିଶା, , Anupambharat News Bureau


ଗୁଳି ବିନିମୟ, ଚାରି ମାଓବାଦୀ ନିହତ
Anupambharat News Bureau
July 05, 2020

ଫୁଲବାଣୀ, ୫ା୭(ଅନୁପମ ମିଡ଼ିଆ): କନ୍ଧମାଳ ପୋଲିସକୁ ରବିବାର ବଡ଼ ସଫଳତା ମିଳିଛି । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ସିର୍ଲା ଗ୍ରାମପଞ୍ଚାୟତର ଶିରିକୁଟି ଗ୍ରାମର ବଙ୍ଗେରି ପାହାଡ଼ରେ ଏସଓଜି, ଡ଼ିଭିଏଫ ଯବାନ ସହ ଗୁଳିବିନିମୟରେ ଚାରି କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି ।
ଏହାପରେ ସେଠାରେ ଥିବା ମାଓ କ୍ୟାମ୍ପରୁ ମିଳିତ ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ, ଆଜି ଭୋର୍‌ ପ୍ରାୟ ୫ଟା ସମୟରେ ଏସଓଜି ଓ ଡ଼ିଭିଏଫ ଯବାନ ମାନେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ବଙ୍ଗେରି ପାହାଡ଼ରେ ସେମାନେ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଦୀର୍ଘ ସମୟ ଧରିି ଗୁଳି ବିନିମୟ ହୋଇଥିଲା । ମିଳିତ ବାହିନୀର ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହତ କରିନପାରି ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ଯବାନ ମାନେ ସେଠାରେ ସର୍ଚ୍ଚ ଅପରେସନ ଜାରୀ ରଖିଥିଲେ । ଘଟଣାସ୍ଥଳରୁ ୪ ମାଓବାଦୀଙ୍କ ମୃତଦେହକୁ ଜବତ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମାଓନେତା ବାସ୍ରୁ ଏବଂ ଅନ୍ୟ ଜଣେ ମହିଳା କ୍ୟାଡ଼ର ମାଓବାଦୀ ରହିଥିବା ବେଳେ ଅନ୍ୟ ଦୁଇ ଜଣ ଆଗ ଧାଡିର ମାଓବାଦୀ ଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ବେଳେ ସେଠାରେ ଥିବା ଏକ ମାଓ କ୍ୟାମ୍ପକୁ ପୋଲିସ ଧ୍ୱଂସ କରିବା ସହ ଏକ୍ସଏଲଆର, ଇନ୍‌ସାସ୍‌, ରାଇଫଲ୍‌ ସହ ବହୁ ମାଓସାମଗ୍ରୀ ମଧ୍ୟ ଜବତ କରିଛି । ମାଓ କ୍ୟାମ୍ପରେ ପ୍ରାୟ ୩୦/୩୫ ମାଓବାଦୀ ମାନେ ଥିବା ପୋଲିସ ଡିଜି ଅଭୟ କହିଛନ୍ତି । ଖବର ପାଇ ରାଜ୍ୟ ପୋଲିସ ଡିଜି ଅଭୟଙ୍କ ସମେତ ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ଫର୍ସେନାଲ ପ୍ରବୀଣ କୁମାର, ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଫୁଲବାଣୀରେ ପଂହଚି ମାଓ ଦମନ ନେଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ମାଓବାଦୀ ମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ଡିଜି ଅଭୟ । ସେହିପରି ଆଗକୁ ମଧ୍ୟ କମ୍ବିଂ ଅପରେସନ ଜାରୀ ରହିବ । ପୋଲିସ ଜିଲ୍ଲାରେ ମାଓ ଗତିବିଧି ଉପରେ ସତର୍କ ନଜର ରଖିଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।
ଗୁଇନ୍ଦା ସୂଚନା ଆଧାରରରେ ଯବାନ ମାନେ ଏହି ଅଭିଯାନ ଚଳାଇଥିଲେ । ନିହତ ମାଓବାଦୀମାନେ ସମସ୍ତେ ବାଶଧାରା-ଘୁମୁସର-ନାଗାବଳୀ(ବିଜିଏନ୍‌) ଡିଭିଜନର ବୋଲି ଜଣାପଡିଛି । ସମସ୍ତ ମୃତ ମାଓବାଦୀଙ୍କ ଇନକେ୍ୱଷ୍ଟ୍‌ ହେବା ପରେ ଶବ ବ୍ୟବଛେଦ କରାଯିବ । ସେହିପରି କନ୍ଧମାଳ ପୋଲିସର ମାଓ ଦମନ କ୍ଷେତ୍ରରେ ସଫଳତାକୁ ଉଚ୍ଚପ୍ରଶଂସା କରିଥିଲେ ଡିଜି ଅଭୟ । ଏଠାରେ ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରେ କେକେବିଏନ ମାଓ ସଂଗଠନ ସହିଦ୍‌ ସପ୍ତାହ ପାଳନ କରିବାକୁ ଯାଉଛି ।
ଏହି ସମୟରେ ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ଘଟାଇବାର ଯୋଜନା ଜାରୀ ରହିଥିବା ଜାଣି କନ୍ଧମାଳ ପୋଲିସ ଏହି କୁମ୍ବିଂ ଅପରେସନ ଜାରୀ ରଖିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ କହିଛନ୍ତି । ଗତ ୨୦୧୮ ମେ ୧୩ ରେ ମଧ୍ୟ କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ସଦର ଥାନା ଅନ୍ତର୍ଗତ ମଲିକପଡା ଜଙ୍ଗଲରେ ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିଲେ । ବାଲିଗୁଡା ଅଞ୍ଚଳରେ ମଧ୍ୟ ପୋଲିସ ଏନକାଉଣ୍ଟରରେ ଜଣେ କ୍ୟାଡର ମହିଳା ମାଓବାଦୀ ଗତବର୍ଷ ନିହତ ହୋଇଥିଲେ । ଚାରି ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ କରିଥିଲା କନ୍ଧମାଳ ପୋଲିସ । ସେଠାରୁ ମାଓ କ୍ୟାଡ଼ର ବାସ୍ରୁ, ଆକାଶ ଭଳି ଅନ୍ୟ ମାଓବାଦୀ ମାନେ ଫେରାର୍‌ ହେବାରେ ସଫଳ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

ମୌସୁମୀ ସକ୍ରିୟ, ପ୍ରବଳ ବର୍ଷିବ

Read More...

କରୋନା ନେଲା ଆଉ ପାଞ୍ଚ ମୁଣ୍ଡ

କରୋନା ନେଲା ଆଉ ପାଞ୍ଚ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page