ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

July 02, 2020, ଓଡ଼ିଶା, , Anupambharat News Bureau


ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି
Anupambharat News Bureau
July 02, 2020

ପୁରୀ,୨ା୭ (ଅନୁପମ ମିଡିଆ):ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଅପରାହ୍ନରେ ରଥାରୁଢ଼ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ବେଶରେ ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂସମ୍ପନ୍ନ ଭାବେ ଦର୍ଶନ ଦେଇଛନ୍ତି । ତେବେ ପ୍ରଶାସନର କରୋନା କଟକଣା ପାଇଁ ସିଧାସଳଖ ଶ୍ରୀଜୀଉମାନଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି ଭକ୍ତ । ଦୂରଦର୍ଶନର ସିଧା ପ୍ରସାରଣ ଓ ମୋବାଇଲ ଇଣ୍ଟରନେଟ୍‌ ଜରିଆରେ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି । ସୁବର୍ଣ୍ଣ ପ୍ରିୟ ମହାପ୍ରଭୁଙ୍କୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଛି । ଉଜ୍ଜ୍ୱଳ ଆଲୋକ ପ୍ରଭୁଙ୍କ ସ୍ୱର୍ଣ୍ଣ କିରଟୀ ଉପରେ ପଡି ଝଟକୁଛି । ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହାତୀରେ ମହଣ ମହଣ ସୁନା ଆଣି ପ୍ରଭୁଙ୍କୁ ଅର୍ପଣ କରିଥିଲେ । ଚଢ଼ଉ କରଣଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କର ଶ୍ରୀହସ୍ତ, ଶ୍ରୀପୟର, ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ନିର୍ମିତ ହୋଇଥିଲା । ଶ୍ରୀମନ୍ଦିର ଭିତରେ ବର୍ଷକରେ ଚାରି ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । କେବଳ ବାହୁଡ଼ା ଯାତ୍ରା ପରେ ରଥ ଉପରେ ହେଉଥିବା ସୁନାବେଶକୁ ସବୁ ବର୍ଗର ଭକ୍ତ ମାନେ ଦର୍ଶନ କରିପାରିଥାନ୍ତି । ଚଳିତ ବର୍ଷ ଦ୍ୱାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାରରୁ ସେବାୟତ ମାନେ ସ୍ୱର୍ଣ୍ଣ ଅଳଙ୍କାର ସବୁ ରଥ ଉପରେ ଆଣି ରଖିଥିଲେ । ଚତୁର୍ଦ୍ଧାମର୍ତ୍ତିଙ୍କୁ ପାଟବସ୍ତ୍ରରେ ସଜ୍ଜିତ କରାଯିବା ପରେ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥିଲା । ସକାଳ ସାଢ଼େ ୬ଟାରେ ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ସକାଳ ୯ଟା ୨୦ ରେ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା ।
ମଧ୍ୟାହ୍ନ ଧୂପ ପରେ ମାଜିଷ୍ଟ୍ରେଟ ଓ ପୋଲିସଙ୍କ ଉପସ୍ଥିତିରେ ପାଳିଆ ସେବକ, ଖଣ୍ଟିଆ ମେକାପ, ମନ୍ଦିର ଅଧିକାରୀ, ଶ୍ରୀମନ୍ଦିର ଗାରଦ କର୍ମଚାରୀ ରତ୍ନ ଭଣ୍ଡାରରୁ ସୁବର୍ଣ୍ଣ ଅଳଙ୍କାର ମାନ ଆଣି ରଥ ଉପରେ ରଖିଥିଲେ । ପାଳିଆ ପୁଷ୍ପାଳକ, ଦଇତାପତି, ତଳୁଚ୍ଛ, ଭିତରୁଚ୍ଛ ସେବାୟତ ମାନେ ପାଟ ବସ୍ତ୍ର ଓ ସୁବର୍ଣ୍ଣ ଅଳଙ୍କାରରେ ତିନିଠାକୁର ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସଜାଇ ଥିଲେ । ସମ୍ପୂର୍ଣ୍ଣ ଅଳଙ୍କାର ସଜାଇବା ପରେ ରଥାରୁଢ଼ ଠାକୁର ମାନେ ଭକ୍ତଙ୍କୁ ଅପୂର୍ବ ଦିବ୍ୟ ଦର୍ଶନ ଦେଇଥିଲେ । ଅପରାହ୍ନ ୪ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ସୁବର୍ଣ୍ଣ ବେଶରେ ଶ୍ରୀଜୀଉମାନେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ରାତି ୧୧ଟା ପରେ ସ୍ୱର୍ଣ୍ଣ ବେଶ ଓଲାଗି (କଢ଼ାଯିବ) କରାଯିବ ।
ରଥ ଚାରିପାଖରେ ବ୍ୟାପକ ପୋଲିସ ମୁତୟନ ସହିତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

ରାଜ୍ୟରେ ୪୯୫ ଆକ୍ରାନ୍ତ, ୨୨୯ ସୁସ୍ଥ

Read More...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page