ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ

September 01, 2021, ଓଡ଼ିଶା, , Anupambharat News Bureau


ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ
Anupambharat News Bureau
September 01, 2021


ଭୁବନେଶ୍ୱର, ୧ା୯ (ସ୍ୱତନ୍ତ୍ର ପ୍ରତିନିଧି): ମୌସୁମୀ ବାୟୁ ଏବର୍ଷ ଠିକ୍‌ ସମୟରେ ଆସିଥିଲା, ପାଣିପାଗ ବିଶେଷଜ୍ଞମାନେ ସ୍ୱାଭାବିକ ବୃଷ୍ଟିପାତର ପୂର୍ବାନୁମାନ କରିଥିଲେ ଏବଂ ଧାନଚାଷୀ ଆଶା ବାନ୍ଧି ବସିଥିଲେ ଏଥର ଧାନ ଫସଲ ଭଲ ହେବ । ହେଲେ ନିଅଣ୍ଟିିଆ ବର୍ଷା ସବୁ ବିଗାଡ଼ି ଦେଲା । ଚଳିତବର୍ଷ ମୌସୁମୀ ବର୍ଷା ୨୫% କମ୍‌ ହୋଇଥିବାବେଳେ, କେବଳ ଅଗଷ୍ଟ ମାସରେ ହାରାହାରି ବୃଷ୍ଟିପାତଠାରୁ ୪୪% କମ୍‌ ବର୍ଷା ହୋଇଥିବାରୁ ସାରା ରାଜ୍ୟରେ ଧାନ ଫସଲର ସ୍ଥିତି ଉତ୍କଟ ରୂପ ନେଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ ମଧ୍ୟ, ଧାନଚାଷୀଙ୍କ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି । ଉପରଠାଉରିଆ ଭାବରେ ସ୍ଥିତି ଉପରେ ନଜର ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବର୍ଷା ଅଭାବ ଯୋଗୁ ଚାଷବାସରେ ହେଉଥିବା ସମସ୍ୟା ପ୍ରସଙ୍ଗ ଉଠିଥିଲା । କୃଷିମନ୍ତ୍ରୀ ଅରୁଣ ସାହୁ ଗୃହରେ କହିଥିଲେ ଯେ, କେବଳ କମ୍‌ ବର୍ଷା ଯୋଗୁ ଧାନଚାଷ ହେଉଥିବା ୨୩ଟି ଜିଲ୍ଲାରେ ସମସ୍ୟା ଦେଖା ଦେଇଛି, ଅନ୍ୟ ଫସଲ ଠିକ୍‌ଠାକ୍‌ ଅଛି । ସମ୍ଭବ୍ୟ ମରୁଡ଼ି ପରିସ୍ଥିତିକୁ ମନ୍ତ୍ରୀ ସ୍ୱୀକାର କରିନଥିଲେ ମଧ୍ୟ ଏହା ସତ ଯେ, ବର୍ଷା ଅଭାବରୁ ଯୋଗୁ ଅନେକ ସ୍ଥାନରେ ଖରିଫ୍‌ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାକୁ ବସିଲାଣି । କୃଷି ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କଲେ, ଧାନ କ୍ଷେତର ପ୍ରକୃତ ଅବସ୍ଥା କ’ଣ ନିଜ ଆଖିରେ ଦେଖି ରିପୋର୍ଟ ଦାଖଲ କରି ପାରନ୍ତେ । ହେଲେ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଅସଲ ସମସ୍ୟାର ସମାଧାନ ପାଇଁ ଆନ୍ତରିକ ଉଦ୍ୟମ କରୁନାହାନ୍ତି । ବିଭାଗ ତରଫରୁ କୃଷି ଅଧିକାରୀଙ୍କୁ ସଂଭାବ୍ୟ ମରୁଡ଼ି ସ୍ଥିତି ଉପରେ କେବଳ ନଜର ରଖିବାକୁ କୁହାଯାଇଛି । ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଅନୁଧ୍ୟାନ ସାରି ରିପୋର୍ଟ ଦେବା ପାଇଁ ଆନୁଷ୍ଠାନିକ ନିର୍ଦ୍ଦେଶ ଦିଆଯାଇନାହିଁ । ବିଡ଼ମ୍ବନାର ବିଷୟ, ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରି ରାଜ୍ୟ ସରକାର ବାହାବା ନେଉଛନ୍ତି, ହେଲେ ମରୁଡ଼ି ଆଶଙ୍କାରେ ଥିବା ଚାଷୀମାନଙ୍କୁ ସହାୟତା ଦେବା ଲାଗି ରାଜ୍ୟରେ କୌଣସି ବିଧିବଦ୍ଧ ନୀତି ନାହିଁ । ସମସ୍ତ ଚାଷୀଙ୍କ ପଞ୍ଜୀକରଣ ହୋଇନାହିଁ । କିଛି ଚାଷୀ କିସାନ ସମୃଦ୍ଧି ଯୋଜନା ଓ କାଳିଆ ଯୋଜନାରେ ସହାୟତା ପାଉଥିବାବେଳେ ଅନେକ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି । ସେହିପରି, ଫସଲ ହାନି ଘଟିଲେ ଚାଷୀଙ୍କୁ ସହାୟତା ପ୍ରଦାନ ଲାଗି ପ୍ରଚଳିତ ବ୍ୟବସ୍ଥାରେ ଫସଲ ବୀମାର ଅଜବ ନିୟମ ଅନ୍ତରାୟ ସୃଷ୍ଟି କରିଛି । ଫସଲ ଅତି କମ୍‌ରେ ୫୦% କ୍ଷତିଗ୍ରସ୍ତ ହୋଇଥିବା ନେଇ କୃଷି ଅଧିକାରୀ ରିପୋର୍ଟ ଦେଲେ କ୍ଷତିଗ୍ରସ୍ତ ଚାଷୀ ବୀମା କମ୍ପାନିଠାରୁ କ୍ଷତିପୂରଣ ରାଶି କିମ୍ବା କୌଣସି ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେଉଛି । ଏପରିକି ଫସଲର ୪୦-୪୫% ନଷ୍ଟ ହୋଇଥିବାର ରିପୋର୍ଟ ଗଲେ ବି ବୀମା କମ୍ପାନୀଠାରୁ ଗୋଟିଏ ଟଙ୍କା ପାଇବାକୁ ଚାଷୀ ସକ୍ଷମ ହୋଇ ପାରୁନାହିଁ । ଅଧିକାଂଶ ଚାଷୀ ବର୍ଷ ବର୍ଷ ଧରି ଫସଲ ବୀମା କରି କିସ୍ତି ଭରୁଛନ୍ତି, ହେଲେ ଫସଲ ଉଜୁଡ଼ି ଗଲେ ବି କ୍ଷତିପୂରଣ ରାଶି ପାଉନାହାନ୍ତି । ସରକାର ଯଦି ବାସ୍ତବରେ ଧାନଚାଷୀଙ୍କ ମଙ୍ଗଳ ପାଇଁ ଚିନ୍ତା କରୁଥାଆନ୍ତି, ତେବେ ସ୍ଥିତି ଅନୁଧ୍ୟାନ ପାଇଁ କ୍ରପ୍‌ କଟିଂ (ଫସଲ ଅମଳ) ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା କିଛି ନାହିଁ । ସଦ୍ୟତମ ସ୍ଥିତି ଅନୁଧ୍ୟାନ ପାଇଁ ସରକାର ବିଭାଗୀୟ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ସାଂପ୍ରତିକ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଦିଅନ୍ତୁ ।
ଫସଲର ୫୦% ବା ଅଧିକ କ୍ଷତିଗ୍ରସ୍ତ ନ ହେଲେ ବୀମା କ୍ଷତିପୂରଣ ରାଶି ଆଦୌ ମିଳିବ ନାହିଁ ବୋଲି ଯେଉଁ ଏକପାଖିଆ ବ୍ୟବସ୍ଥା ରହିଛି ତା’କୁ ଉଚ୍ଛେଦ କରନ୍ତୁ । ଯେତିକି କ୍ଷତି ସେହି ଅନୁପାତରେ କ୍ଷତିପୂରଣ ରାଶି ଦେବାର ବ୍ୟବସ୍ଥା କରନ୍ତୁ । ଫସଲ ଥରେ ସମ୍ପୂର୍ଣ୍ଣ ଉଜୁଡ଼ି ଗଲେ ପୁଣି ବିହନ ସଂଗ୍ରହ କରିବା ଚାଷୀ ପାଇଁ ସବୁଠୁ ବଡ଼ ସମସ୍ୟା । ତେଣୁ, ସରକାର ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ବିହନ ଯୋଗାଣ ସୁନିଶ୍ଚିତ କରନ୍ତୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

Read More...

ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page