ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ

March 23, 2021, ଓଡ଼ିଶା, , Anupambharat News Bureau


ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ
Anupambharat News Bureau
March 23, 2021

ଭୁବନେଶ୍ୱର , ୨୩ା୩(ଅନୁପମ ମିଡ଼ିଆ): ଅନେକ ଦେଶରେ କୋଭିଡର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଭୟଙ୍କର ହେଉଛି । ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି । ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ । ତେଣୁ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା । ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସ୍‌ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓକନ୍‌ଫରେନ୍ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ୱିତୀୟ ସଂକ୍ରମଣର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଦ୍ୱିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ସହିତ ସଚେତନତା ଓ ସମନ୍ୱୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟାପକ ପ୍ରଚାର ଓ ଆଇଇସି କ୍ୟାମ୍ପେନ୍‌ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସମ୍ପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନ୍ସ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆବଶ୍ୟକ ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ ପାଇଁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସମ୍ପର୍କରେ କହିଥିଲେ ଯେ, ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି । ସୁନ୍ଦରଗଡ, ମୟୂରଭଞ୍ଜ, କଟକ ଓ ଖୋର୍ଦ୍ଧା ­ ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବା କହିଛନ୍ତି । ଟିକାକରଣ ସମ୍ପର୍କରେ ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ୧୮.୮୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇସାରିଛି । ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପିକେ ଜେନା, କୃଷି ଉତ୍ପାଦନ କମିଶନର ଆର କେ ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା

Read More...

୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା

୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page