ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା

March 23, 2021, ଓଡ଼ିଶା, , Anupambharat News Bureau


ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା
Anupambharat News Bureau
March 23, 2021


ଭୁବନେଶ୍ୱର, ୨୩ା୩ (ସ୍ୱତନ୍ତ୍ର ପ୍ରତିନିଧି): ଉପରକୁ ସ୍ପଷ୍ଟ ଭାବରେ ଜଣା ପଡୁ ନଥିଲେ ବି ଭିତରେ ଭିତରେ ଆସନ୍ତା ନିର୍ବାଚନ ପାଇଁ ଚାଲିଛି ଜୋରଦାର ସଜବାଜ । କେତେବେଳେ ଶାସକ ବିଜେଡି ପାଦେ ଆଗେଇ ଗଲାଣି ତ କେତେବେଳେ ମୁଖ୍ୟ ବିରୋଧୀ ଦଳ ବିଜେପି ଚଳାଇଲାଣି ନୂଆ ରାଜନୈତିକ ଚାଲ୍‌ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାନଚକୁ ଦୃଷ୍ଟିରେ ରଖି ଉଭୟ ବିଜେଡି ଓ ବିଜେପି ଏବେଠାରୁ ସଜବାଜ ହେଉଥିବା କୁହାଯାଇଛି । ରାଜନୈତିକ ମଇଦାନର ପୁରୁଖା ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁରତାର ସହ ଆଞ୍ଚଳିକ କାର୍ଡ ଖେଳୁଥିବା ବେଳେ ପଦ୍ମଦଳ ମଧ୍ୟ ଏ ଦିଗରେ ବିଶେଷ ପଛରେ ପଡ଼ିନାହିଁ । ସମସ୍ତେ ଜାଣନ୍ତି, ଗତ କିଛି ବର୍ଷ ତଳୁ ନବୀନ ନକ୍ସଲ୍‌ ପ୍ରବଣ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ବିଛିନ୍ନାଞ୍ଚଳକୁ ଗୁରୁପ୍ରିୟା ସେତୁ ଉପହାର ଦେଇ ଏହାକୁ ସ୍ୱାଭିମାନ ଅଞ୍ଚଳର ନୂଆ ପରିଚୟ ଦେଇଥିଲେ । ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳକୁ ବିଜୁ ଗାଁ ଗାଡ଼ି ଚଳାଇ ଦୁର୍ଗମ ଅଞ୍ଚଳବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲେ ନବୀନ । ଏବେ ପଶ୍ଚିମ-ଓଡ଼ିଶା ଉପରେ ସ୍ୱତନ୍ତ୍ର ଫୋକସ୍‌ କରି ନବୀନ ନୂଆ ରାଜନୈତିକ ଗୋଟି ଚାଳନା କରିଛନ୍ତି । ସରକାର ପ୍ରଥମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ରୂପରେଖ ବଦଳାଇ ଦେଲେ । ଗତ ବର୍ଷ ଡିସେମ୍ବର୍‌ ଶେଷ ଆଡକୁ ତାଙ୍କର ଅନ୍ୟତମ ପ୍ରିୟ ପ୍ରଶାସକ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପରିଷଦର ଅଧ୍ୟକ୍ଷ ପଦରେ ବସାଇ ନବୀନ ସମସ୍ତଙ୍କ ଅଲକ୍ଷ୍ୟରେ ମିଶନ୍‌ ପଶ୍ଚିମ ଓଡ଼ିଶା ଫୋକସ୍‌ ଆରମ୍ଭ କରିଦେଲେ । ଏହା ପରେ କ’ଣ ହେଲା ସମସ୍ତେ ଜାଣନ୍ତି । ରାଜ୍ୟର ସବୁଠୁ ପଛୁଆ ଜିଲ୍ଲା ରୂପେ ପରିଗଣିତ ନୂଆପଡ଼ାରୁ ଆରମ୍ଭ ହେଲା ମିଶନ । ନବୀନ ଲୋୟର୍‌ ଇନ୍ଦ୍ର ପ୍ରକଳ୍ପ ସମେତ ୨ ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା ପାଇଁ ନୂଆପଡ଼ାରେ ବି ପହଞ୍ଚି ଗଲେ । ସେପଟେ ବିଜେଡିର ଫୋକସ୍‌ ପଶ୍ଚିମ-ଓଡ଼ିଶା ଗେମ୍‌ପ୍ଲାନ୍‌ର ମୁକାବିଲା କରିବାକୁ ପଦ୍ମଦଳ ଇତିମଧ୍ୟରେ ଖେଳିଛି ମାଷ୍ଟର୍‌ଷ୍ଟ୍ରୋକ୍‌ । ବିଜେଡିର ରଣନୀତିକୁ ଟMର୍‌ ଦେବାକୁ ଯାଇ କେନ୍ଦ୍ରୀୟ ବ୍ୟୟବରାଦରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ଫୋକସ୍‌ କଲା ବିଜେପି । ରାଉରକେଲା ଇସ୍ପାତ କାରଖାନାରେ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ ଉଦ୍‌ଘାଟିତ ହେଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ହସ୍ପିଟାଲ୍‌ ଉଦ୍‌ଘାଟନ ବରିବା ବେଳେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ବି ଉପସ୍ଥିତ ଥିଲେ । ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ ପରି ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବି ପୂରଣ କରିବା ସହ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିବା ଓ କେନ୍ଦ୍ରୀୟ ପାଣwିରୁ ବ୍ୟୟବରାଦ କରିବାର ସମସ୍ତ ଶ୍ରେୟ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୋଷ୍ଟର୍‌ ବୟ ଧର୍ମେନ୍ଦ୍ର ପ୍ରଧାନ ପାଇଲେ । ରାଜ୍ୟରେ ବିଜେପିକୁ ଯାହା ଫାଇଦା ମିଳିବା କଥା ମିଳିଲା । ଆଉ କିଛି ହେଉ ବା ନ ହେଉ, ପଶ୍ଚିମ ଓଡ଼ିଶାକୁ କେବଳ ବିଜେଡି ନୁହେଁ ବିଜେପି ମଧ୍ୟ ବେଶ୍‌ ଗୁରୁତ୍ୱ ଦେଉଛି ବୋଲି ଅନ୍ତତଃ ଏକ ସ୍ପଷ୍ଟ ରାଜନୈତିକ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିଲା । ନିର୍ବାଚନୀ ତଥ୍ୟ ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ଗତ କିଛି ବର୍ଷ ମଧ୍ୟରେ ବିଜେପିର
ଆଖିଦୃଶିଆ ଶକ୍ତିବୃଦ୍ଧି ଘଟିଛି । ଏହାକୁ ରୋକିବା ପାଇଁ ବିଜେଡି ଚାଣକ୍ୟମାନେ କରିଥିବା ଯୋଜନା ଅନୁଯାୟୀ ସରକାର ମିଶନ ପଶ୍ଚିମ ଓଡ଼ିଶା ଆରମ୍ଭ କରିଛନ୍ତି । ବିଜେପି ମଧ୍ୟ ଚୁପ୍‌ ନରହି ନିଜର ସାମର୍ଥ୍ୟ ଅନୁଯାୟୀ ଶାସକ ଦଳକୁ ପାଲଟା ଯବାବ ଦେବାକୁ ସକ୍ଷମ ହୋଇଛି । ଏହି ଛକାପrା ଆଗକୁ ଆହୁରି ଜୋର୍‌ଦାର୍‌ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ

ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ

Read More...

ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ

ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page