ଭୋଜିଭାତକୁ ନେଇ ଗଣ୍ଡଗୋଳ, ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ

July 08, 2019, ଓଡ଼ିଶା, , Anupambharat News Bureau


ଭୋଜିଭାତକୁ ନେଇ ଗଣ୍ଡଗୋଳ,  ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ
Anupambharat News Bureau
July 08, 2019

ମାହାଙ୍ଗା,୮ା୭(ଅନୁପମ ମିଡିଆ): ବିବାହ ଭୋଜି ଭାତକୁ ନେଇ ବରଯାତ୍ରୀଙ୍କର ଉନ୍ମତକାଣ୍ଡରେ ଜଣେ ମହିଳା ଗୁରୁତର ଆହତ ହେବା ପରେ ବର ଓ ବରଯାତ୍ରୀ ଅଟକ ରହିବା ସହ କନ୍ୟାର ଅନ୍ୟତ୍ର ବିବାହ ଏବଂ ବର ଶିଶୁପାଳ ହେବା ଘଟଣା ମାହାଙ୍ଗା ଥାନା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ ମାହାଙ୍ଗା ଥାନା ଅନ୍ତର୍ଗତ ବରାହୀପୁର ପଂଚାୟତ ଦେବରିଓ ଗ୍ରାମର ବଳରାମ ପ୍ରଧାନଙ୍କ କନ୍ୟା ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କର କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ଥାନା ଷାଠିଏବାଟି ଗ୍ରାମର ବିଜୟ ଜେନାଙ୍କ ପୁଅ ପ୍ରିୟରଂଜନ ଚୌଧୁରୀଙ୍କ ସହିତ ବୈଦିକ ରୀତିରେ ବିବାହ ହେବା ପାଇଁ ସ୍ଥିର ହୋଇଥିଲା । ଗତ ରବିବାର ୭ ତାରିଖ ଦିନ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
ପ୍ରଥମେ ସୁନାଚେନ୍‌କୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । କନ୍ୟାପକ୍ଷ ବର ପକ୍ଷକୁ ୧୬ ଗ୍ରାମ୍‌ର ଚେନ୍‌ ପଠାଇଥିବା ସମୟରେ ବର ପକ୍ଷ ତରଫରୁ ୨୫ ଗ୍ରାମର ଚେନ୍‌ ଦିଆନଗଲେ ବର ଯିବ ନାହିଁ ବୋଲି ରୋକ୍‌ ଠୋକ୍‌ କୁହାଯାଇଥିଲା । ପରବର୍ତ୍ତୀ ସମୟରେ କନ୍ୟା ପକ୍ଷରୁ ୨୫ ଗ୍ରାମର ସୁନା ଚେନ୍‌ ପଠାଯାଇଥିଲା । ପରେ ବର ଓ ବରଯାତ୍ରୀ ସହ ଗତ କାଲି ରାତ୍ରିରେ ଦେବରିଓ ଗ୍ରାମରେ ପହଂଚିବା ପରେ ରୋଷଣୀ ସହିତ କନ୍ୟାପକ୍ଷଙ୍କ ଘରେ ପହଂଚିଥିଲେ । ସେଠାରେ ବରଯାତ୍ରୀମାନଙ୍କର ମଟନ୍‌ ଖାଇବାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଖାଇବାକୁ ନେଇ ବର ପ୍ରିୟରଂଜନ ଚୌଧୁରୀ ଉତ୍‌କ୍ଷିପ୍ତ ହୋଇ ନିଜେ ପିନ୍ଧିଥିବା ଫୁଲହାର ଆଦିକୁ ଛିଣ୍ଡାଇ ଫିଙ୍ଗିଦେବା ସହ ରୋକ୍‌ଠୋକ୍‌ ଭାବରେ ଏଠି ବିବାହ କରିବ ନାହିଁ ବୋଲି କହି ବରଯାତ୍ରୀଙ୍କ ସହ ଗଣ୍ଡଗୋଳରେ ସାମିଲ ହୋଇଥିଲେ । ସେଠାରେ ଥିବା ଚେୟାର ଟେବୁଲ ଆଦିକୁ ଭଙ୍ଗାରୁଜା କରିଥିଲେ । ଝିଅର ଖୁଡୀ ଝୁନୀବାଳା ପ୍ରଧାନ ତାଙ୍କୁ ବୁଝାସୁଝା କରୁଥିଲା ବେଳେ ସେ ବରଯାତ୍ରୀଙ୍କର ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ପଛପାଖ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ଦ୍ୱାରା ପ୍ରଥମେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ପଠାଯାଇଥିବା ଜଣାଯାଇଛି । ବରଯାତ୍ରୀଙ୍କର ଏହି କାଣ୍ଡ ଚାଲିଥିଲା ବେଳେ ବାଧ୍ୟ ହୋଇ ଗ୍ରାମବାସୀମାନେ ସେଠାରେ ପହଂଚି ସେମାନଙ୍କୁ କାବୁ କରି ଅଟକ ରଖିଛନ୍ତି । ଅପରପକ୍ଷରେ ଏଭଳି ବିଶୃଙ୍ଖଳିତ ଆଚାରଣ ପାଇଁ ଝିଅ ମଧ୍ୟ ଏଭଳି ପୁଅକୁ ବିବାହ କରିବ ନାହିଁ ବୋଲି ରୋକ୍‌ ଠୋକ୍‌ କହିବା ପରେ ଘଟଣା ଭିନ୍ନ ମୋଡ ନେଇଥିଲା । ମଙ୍ଗୁଳା ଝିଅକୁ ବିବାହ ଦେବା ପାଇଁ ପରିବାର ଉପରେ ଆଉ ଏକ ବୋଝ ସୃଷ୍ଟି ହୋଇଥିଲା । ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ (କୁଣ୍ଡିମୁହଁ) ଗ୍ରାମର ଜଣେ ଶିକ୍ଷିତ ଯୁବକ ଘଟଣା ସଂପର୍କରେ ଜାଣିଲା ପରେ ମଙ୍ଗୁଳା ଝିଅକୁ ବିବାହ ପାଇଁ ସମ୍ମତି ପ୍ରଦାନ କରିବା ସହ ପରେ ସୋମବାର ସଂଧ୍ୟାରେ ବିବାହର ଆୟୋଜନ କରାଯାଇଛି । ଅପରପକ୍ଷରେ ବରପକ୍ଷ ନେଇଥିବା ଯୌତୁକ ଅର୍ଥ, ସୁନା ଚେନ୍‌ , ମୁଦି ସହିତ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅର୍ଥ ପଇଠ ନକରିବା ଯାଏ ବର , ବରାଯାତ୍ରୀ ଓ ବରପକ୍ଷର ଲୋକମାନଙ୍କୁ ଛଡା ଯିିବ ନାହିଁ ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣ ରୋକ୍‌ଠୋକ୍‌ ଭାବେ ମନା କରିଦେବା ପରେ ସେମାନେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ ସେମାନେ ଅଟକ ଥିବା ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ଘଟଣା ଉପରେ ନଜର ରଖିଥିବା ପ୍ରକାଶ । ଏଭଳି ଏକ ବିଶୃଙ୍ଖଳିତ ପୁଅକୁ ଜଣେ ଉଚ୍ଚ ଶିକ୍ଷିତା ଝିଅ ବିବାହ ନକରିବା ପାଇଁ ମନା କରିଦେବା ଫଳରେ ବର ଶିଶୁପାଳ ହେବାକୁ ପଡିଛି ବୋଲି ଏ ଅଂଚଳରେ ବେଶ୍‌ ଆଲୋଚନା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

Read More...

ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ

ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page