ବ୍ରହ୍ମପୁର,୭ ।୭(ଅନୁପମ ମିଡ଼ିଆ): ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବରାହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବେଶ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ଭୀଡ଼ ଲାଗି ରହିଥିଲା । ସାନ ବଜାର ଛକ ନିକଟରେ ଥିବା ଗୁଣ୍ଡିଚା ମନ୍ଦିରରେ ଖାସ୍ପା ସାହି ସାନ ଜଗନ୍ନାଥ, ବଡ଼ ଜଗନ୍ନାଥ, ବଡ଼ବଜାର ତ୍ରିମୂର୍ତ୍ତି ଜଗନ୍ନାଥ, ପାତାଳେଶ୍ୱର ଜଗନ୍ନାଥଙ୍କ ବରାହ ଅବତାର ଅବସରରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହ ଦୀପଦାନ ଓ ପୂଜାର୍ଚ୍ଚନା କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଏଠାରେ ପୋଲିସ୍ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । । ସେହିପରି ଗୋସାଇଁନୂଆଗାଁ, ବିଜିପୁର, କୋର୍ଟପେଟା, ଗୋଇଲୁଣ୍ଡି, ଲାଞ୍ଜିପଲ୍ଲୀ, ଶିଳ୍ପାଞ୍ଚଳ, ଆର୍.ଡ଼ି.ସି କଲୋନୀ, ପାଲୁରୁ ବଙ୍ଗଳା, ଉତ୍କଳ ଆଶ୍ରମ,ଖୋଡ଼ାସିଂ ସମେତ ଆଖପାଖ ଅଞ୍ଚଳରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ବରାହ ଅବତାର ଦେଖିବା ପାଇଁ ଅନୁରୂପ ଭକ୍ତମାନଙ୍କ ଭୀଡ଼ ଲାଗି ରହିଥିଲା । କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।