ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ

October 12, 2022, ଓଡ଼ିଶା, , Anupambharat News Bureau


ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ
Anupambharat News Bureau
October 12, 2022


ଭୁବନେଶ୍ୱର, ୧୨ା୧୦ (ସ୍ୱତନ୍ତ୍ର ପ୍ରତିନିଧି): ରାଜଧାନୀ ରାସ୍ତାର ହୃତପିଣ୍ଡ ତଥା ଭୁବନେଶ୍ୱର ରେଳଷ୍ଟେସନ ସମ୍ମୁଖରେ ଥିବା ମାଷ୍ଟରକ୍ୟାଣ୍ଟିନ୍‌ ଛକର ରୂପାନ୍ତର ଏବେ ସହରବାସୀ ତଥା ରାଜ୍ୟବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପ୍ରଶାସନର ଅଦୂରଦର୍ଶୀ ନିଷ୍ପତ୍ତି ଫଳରେ ଗୋଲେଇ ଛକର ରୂପ ରାତାରାତି ବଦଳି ଯିବା ସହିତ ରାଜଧାନୀର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଅଣାୟତ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ରାଜପଥକୁ ସଂଯୋଗ କରୁଥିବା ବାଣୀବିହାର ଛକରୁ ରାଜମହଲ ଦେଇ ସହରର ଅନେକ ସ୍ଥାନରେ ପହଞ୍ଚିବା ପାଇଁ ଲୋକମାନେ ଏହି ଛକ ଦେଇ ସୁବିଧାରେ ଯାଉଥିଲେ । ରାଜମହଲ ଛକ ସହରର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ୧ ନମ୍ବର ହାଟ, ୟୁନିଟ୍‌-୨ ମାର୍କେଟ ବିଲଡିଂ ସହିତ ଏଜି ଛକ, ଲିଙ୍ଗରାଜଙ୍କ ମନ୍ଦିର ତଥା ପୁରୁଣା ଭୁବନେଶ୍ୱରକୁ ଯୋଡୁଥିବାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ କେନ୍ଦ୍ର ଭାବେ କାର୍ଯ୍ୟ କରିଥାଏ । ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ ଛକର ଅତି ନିକଟରେ କଂଗ୍ରେସ ଭବନ, ପ୍ରଦର୍ଶନୀ ପଡ଼ିଆ, ରାମମନ୍ଦିର ଓ ବିଜେପି କାର୍ଯ୍ୟାଳୟ ରହିଛି । ରେଳଯାତ୍ରୀମାନେ ଯିବାଆସିବା କରିବା କାରଣରୁ ଏହି ଛକରେ ଦିନରାତି ଜଣା ପଡେନାହିଁ । ସହରାଞ୍ଚଳ ପରିବହନ ସେବା (କ୍ରୂଟ୍‌) ବସ୍‌ଗୁଡିକ ମଧ୍ୟ ଏହି ଛକ ନିକଟବର୍ତ୍ତୀ ସିଟି ବସ୍‌ଷଫାଣ୍ଡରୁ ବାହାରି ଭୁବନେଶ୍ୱରର ବିଭିନ୍ନ ରୁଟରେ ଚାଲେ ।
ଏହାସହିତ ଏଠାରୁ କଟକ, ପୁରୀ ଓ ଖୋର୍ଦ୍ଧାକୁ ବହୁସଂଖ୍ୟାରେ ମୋ ବସ୍‌ ଏବଂ କଟକକୁ ସାଧାରଣ ଯାତ୍ରୀବାହୀ ବସ୍‌ ମଧ୍ୟ ଯାତାୟତ କରେ । ରେଳ ଷ୍ଟେସନ ଓ ସିଟି ବସ୍‌ଷ୍ଟାଣ୍ଡ ଗୋଟିଏ ସ୍ଥାନରେ ରହି ଥିବାରୁ ଏଠାରେ ଜନଗହଳି ସର୍ବଦା ଲାଗି ରହେ । ତେବେ ଛକଟି ଗୋଲାକାର ହୋଇଥିବାରୁ ବସ୍‌, ବାଇକ୍‌, ଅଟୋ ଚାଳକ କିମ୍ବା ପଥଚାରୀ କାହାର କିଛି ଅସୁବିଧା ହେଉ ନଥିଲା । ଏବେ ଗୋଲେଇ ଛକକୁ ହଟାଇ ସେଠାରେ ଭିଡ଼ ନିୟନ୍ତ୍ରଣକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଟ୍ରାଫିକ୍‌ ପୋଷ୍ଟ ବ୍ୟବସ୍ଥା କରାଯାଇଛି । ହେଲେ ଭିଡ଼ ନିୟନ୍ତ୍ରଣ ହେବା ବଦଳରେ ସ୍ଥିତି ଏକପ୍ରକାର ଅଣାୟତ୍ତ ହୋଇ ପଡ଼ିଲାଣି । ଆଗରୁ ଛକଟି ଗୋଲାକାର ଥିବାରୁ ଗାଡ଼ି ଚାଳକମାନେ ଏକ ଅଭ୍ୟାସଗତ ଶୃଙ୍ଖଳାରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ସ୍ୱଚ୍ଛନ୍ଦରେ ଯାତାୟତ କରିପାରୁଥିଲେ । ଏବେ ସେଠାରେ ଟ୍ରାଫିକ୍‌ ପୋଲିସ ମୁତୟନ ହେବା ପରେ ବସ୍‌, କାର୍‌, ଅଟୋ ସହ ବାଇକ୍‌ ଚାଳକମାନଙ୍କୁ ମଧ୍ୟ ବେଳେବେଳେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଚିକିତ୍ସା ପାଇଁ ଯାଉଥିବା ରୋଗୀ, ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟାଳୟକୁ ଯାଉଥିବା କର୍ମଚାରୀ ଓ ବରିଷ୍ଠ ନାଗରିକମାନେ ଉଦ୍ଦିଷ୍ଟ ସ୍ଥାନରେ ର୍ନିଦ୍ଧାରିତ ସମୟରେ ପହଞ୍ଚିବା କାଠିକର ପାଠ ହୋଇ ଯାଉଛି । ଭୁବନେଶ୍ୱରକୁ ପ୍ରତ୍ୟହ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରୁ ହଜାର ହଜାର ଲୋକ ବିଭିନ୍ନ କାମ ପାଇଁ ସଚିବାଳୟ ଓ ଅନ୍ୟ କାର୍ଯ୍ୟାଳୟକୁ ଆସନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ରେଳ ଯୋଗେ ବହୁସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଭୁବନେଶ୍ୱର ଆସନ୍ତି । ଏମାନେ ସମସ୍ତେ ଏବେ ଗୋଲେଇ ଛକର ବିକୃତିକରଣ ଯୋଗୁ ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ଭୁବନେଶ୍ୱର ସହରର ଛବି ମଳିନ ହେବା ସହ ବାହାର ଲୋକଙ୍କ ନଜରରେ ଓଡ଼ିଶା ନିନ୍ଦିତ ହେଉଛି ।
ବହୁବର୍ଷ ଧରି ମାଷ୍ଟରକ୍ୟାଣ୍ଟିନ୍‌ ଛକଟି ଗୋଲାକାର ଆକୃତିର ଥିଲା ଏବଂ ଟ୍ରାଫିକ୍‌ ସମସ୍ୟା ବିଲକୁଲ ନଥିଲେ କହିଲେ ଚଳେ । କିଛି ମାସ ତଳେ ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଅଧିନସ୍ଥ ଟ୍ରାଫିକ୍‌ ଡିସିପିଙ୍କ ଅନୁମୋଦନ କ୍ରମେ ଗୋଲାକାର ଛକଟିକୁ କଦର୍ଯ୍ୟ କରାଯାଇ ଗୋଟିଏ ଟ୍ରାଫିକ ପୋଷ୍ଟ କରାଯାଇଛି । ଏହା ପରଠାରୁ ଟ୍ରାଫିକ୍‌ ସମସ୍ୟା ବହୁ ଗୁଣିତ ହେବା ସହିତ ସାଧାରଣ ଜନତା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ମାଷ୍ଟରକ୍ୟାଣ୍ଟିନ ରାଜମହଲ ଛକ ଏବଂ ଶ୍ରୀୟା ଟକିଜ୍‌ ଛକ ଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ୍‌ ରହୁଛି । ରେଲେୱ ଷ୍ଟେସନ ପହଞ୍ଚିବା ପାଇଁ ବ୍ୟସ୍ତ ଯାତ୍ରୀମାନେ ଉତ୍କଟ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଅନେକ ସମୟରେ ଟ୍ରେନ୍‌ ଫେଲ୍‌ ହେଉଛନ୍ତି । ଏହି ଗୁରୁତର ସମସ୍ୟାର ଆଶୁ ସମାଧାନ କରିବା ପାଇଁ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଦେଖାଯାଉ, କମିଶନରେଟ ପୋଲିସ୍‌ ପ୍ରଶାସନ ଏହି ସମ୍ବେଦନଶୀଳ ସମସ୍ୟା ଦୂର କରିବା ଦିଗରେ କିଭଳି ତ୍ୱରିତ ପଦକ୍ଷେପ ନେଉଛି? ମାଷ୍ଟରକ୍ୟାଣ୍ଟିନ ପ୍ରସିଦ୍ଧ ଗୋଲେଇ ଛକ ନିଜ ପୂର୍ବ ରୂପ ଫେରି ପାଇବ ନା ଏହି ମାନବକୃତ ବିକୃତିଜନିତ ଯାବତୀୟ ଯନ୍ତ୍ରଣା ଭୋଗିବା ପାଇଁ ପ୍ରଶାସନ ଲୋକଙ୍କୁ ପରୋକ୍ଷରେ ବାଧ୍ୟ କରି ଚାଲିବ ଉପରେ ତା’ଉପରେ ଏବେ ସମସ୍ତଙ୍କର ନଜର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

Read More...

ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page