ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

October 11, 2022, ଓଡ଼ିଶା, , Anupambharat News Bureau


ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ
Anupambharat News Bureau
October 11, 2022


ଭୁବନେଶ୍ୱର, ୧୧ା୧୦(ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବା ଲକ୍ଷ୍ୟରେ ବାରମ୍ବାର ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସେପ୍‌ଟେମ୍ବର୍‌ ୨୭ରେ ବେଙ୍ଗାଲୁରୁ ଯାଇ ନବୀନ ସେଠାରେ ଆଇଟି ହବ୍‌ରେ ଯୋଗ ଦେବା ସହ ଚାମ୍ବର୍‌ ଅଫ୍‌ କମର୍ସ ପ୍ରତିନିଧି ଓ ନିବେଶକଙ୍କ ସହ ଆଲୋଚନା କରିଥିଲେ । ପୁଞ୍ଜି ନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ ବୋଲି ସେମାନଙ୍କୁ ବୁଝାଇ ଥିଲେ । ଏହାପୂର୍ବରୁ ସେପ୍‌ଟେମ୍ବର୍‌ ୧୩ରେ ନବୀନ ମୁମ୍ବାଇକୁ ୩ଦିନିଆ ଗସ୍ତରେ ଯାଇ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଉଭୟ ଗସ୍ତର ଏକମାତ୍ର ଉଦ୍ଦେଶ୍ୟ ଆସନ୍ତା ନଭେମ୍ବର୍‌ ୩୦ରୁ ଡିସେମ୍ବର୍‌ ୪ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ମେକିଂ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାଙ୍କୁ ଆମନ୍ତ୍ରଣ ଜଣାଇବା ।
ଗତ କିଛି ବର୍ଷ ହେଲା ଏଭଳି କନ୍‌କ୍ଲେଭ୍‌ ବା ସମ୍ମିଳନୀ ଆୟୋଜନ କରି ରାଜ୍ୟବାସୀଙ୍କୁ ବ୍ୟାପକ ଶିଳ୍ପାୟନର ସ୍ୱପ୍ନ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର । ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ଦେଶର ପ୍ରମୁଖ ସହରକୁ ଯାଇ ନିବେଶକଙ୍କୁ ଭେଟି ଆଲୋଚନା କରୁଛନ୍ତି । ସରକାରଙ୍କ ଏହି ପ୍ରୟାସକୁ ଜାତୀୟ ଗଣମାଧ୍ୟମ ବ୍ୟାପକ ଭାବେ ପ୍ରସାରଣ କରୁଥିବାବେଳେ ଓଡ଼ିଶାର ଛାପା କିମ୍ବା ବୈଦୁ୍ୟତିକ ଗଣମାଧ୍ୟମ ପ୍ରତିନିଧଙ୍କୁ ଗସ୍ତରେ ସାମିଲ୍‌ କରାଯାଉ ନାହିଁ । ବିଭାଗୀୟ ପ୍ରେସ୍‌ନୋଟ୍‌ ଆଧାରରେ ଉପରଠାଉରିଆ ଭାବେ ସମ୍ବାଦ ପ୍ରକାଶ ପାଉଛି ସତ ଆଲୋଚନାର ଟିକିନିଖି ବିବରଣୀ ସାଧାରଣ ଲୋକ ଜାଣି ପାରୁନାହାନ୍ତି ।
ଓଡ଼ିଶା ପରି ରାଜସ୍ଥାନ ସରକାର ମଧ୍ୟ ଏଭଳି କନ୍‌କ୍ଲେଭ୍‌ ଅୟୋଜନ କରୁଛନ୍ତି ହେଲେ ବାହାର ରାଜ୍ୟରେ ନ କରି ରାଜସ୍ଥାନରେ କରୁଛନ୍ତି । ରାଜସ୍ଥାନ ମଡେଲ୍‌କୁ ଆପଣାଇ ଓଡ଼ିଶା ସରକାର ଯଦି ନିବେଶକମାନଙ୍କୁ ଆମନ୍ତ୍ରଣ କରି ଓଡ଼ିଶା ଭିତରେ ଆଲୋଚନା ଓ ସମୀକ୍ଷା କରନ୍ତେ ତେବେ ଏଥିରୁ ଅଧିକ ଫାଇଦା ମିଳିପାରନ୍ତା ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । କାରଣ ଅନ୍ୟ ରାଜ୍ୟକୁ ଯାଇ ଶିଳ୍ପପତି ଓ ନିବେଶକମାନଙ୍କ ଆଲୋଚନା କରିବାରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହାର ପ୍ରତ୍ୟକ୍ଷ ସକାରାତ୍ମକ ପ୍ରଭାବ ଶିଳ୍ପାୟନ ଉପରେ ପଡ଼ିପାରୁ ନାହିଁ । ଚୁକ୍ତି ପରେ ଚୁକ୍ତି ହେଉଛି କିନ୍ତୁ ରାଜ୍ୟରେ ନୂତନ ବୃହତ ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହୋଇପାରୁ ନାହିଁ । ଡୁଇଂ ଇନ୍‌ ବିଜ୍‌ନେସ୍‌ ମାନଦଣ୍ଡ ଅନୁଯାୟୀ ଶିଳ୍ପାୟନକୁ ସୁହାଇବା ଭଳି ପରିବେଶ ଯୋଗାଇବାରେ ଓଡ଼ିଶା ଜାତୀୟ ସ୍ତରରେ ଏବେ ବି ପଛରେ ରହିଛି ।
ଏହି କାରଣରୁ ଅନେକ ସଂସ୍ଥା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି କରିବା ପରେ ବହୁ ସଂସ୍ଥା ପରବର୍ତ୍ତୀ ସମୟରେ ଓହରି ଯିବାର ନଜିର୍‌ ରହିଛି । ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି କମ୍ପାନିକୁ ହସ୍ତାନ୍ତର କରି ନ ପାରିବାରୁ ଦକ୍ଷିଣ କୋରିଆର ମେଗା ଇସ୍ପାତ କମ୍ପାନି ପସ୍କୋ ଜଗତସିିଂହପୁର ଜିଲ୍ଲାର ଢିଙ୍କିଆ ଅଞ୍ଚଳରେ କିଛି ବର୍ଷ ଡ଼େରା ପକାଇବା ପରେ ପେଡ଼ିପୁଟୁଳି ବାନ୍ଧି ନିଜ ଦେଶକୁ ଫେରି ଯିବା ପାଇଁ ବାଧ୍ୟ ହୋଇଥିଲା ।
ଅତୀତରେ ଓଡ଼ିଶା ସରକାରଙ୍କ ତରଫରୁ ବିଦେଶରେ ରୋଡ୍‌ସୋଦର ଆୟୋଜନ ସହ ସମ୍ଭାବ୍ୟ ପୁଞ୍ଜି ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରାଜ୍ୟରେ ବିପୁଳ ନିବେଶ ଓ ବୃହତ ଶିଳ୍ପ ସୁନିଶ୍ଚିତ ବୋଲି ବାରମ୍ବାର ପ୍ରଚାର କରାଯାଇଛି । ହେଲେ ଶିଳ୍ପାୟନ କ୍ଷେତ୍ରରେ ବାସ୍ତବ ସ୍ଥିତି ସମ୍ଭାବନାମୟ ହୋଇ ପାରିନାହିଁ ।
ଜିନ୍ଦଲ୍‌ ଓ ଆଦିତ୍ୟ ବିର୍ଲା ଭଳି କିଛି ଶିଳ୍ପସଂସ୍ଥା ଅବଶ୍ୟ ସେମାନଙ୍କ କାରଖାନାର ଉପିାଦନ କ୍ଷମତା ବଢାଇଛନ୍ତି ହେଲେ ଏହି ସଂପ୍ରସାରଣ ସମୁଦ୍ରକୁ ଶଙ୍ଖେ । ଓଡ଼ିଶାରେ ବିପୁଳ ପରିମାଣର ଖଣିଜ ସଂପଦ ଥିବାବେଳେ ଶିଳ୍ପ ପାଇଁ ଆବଶ୍ୟକ ଲୁହାପଥର, କ୍ରୋମାଇଟ୍‌, ମାଙ୍ଗନିଜ୍‌ ଓ କୋଇଲା ବେଶ୍‌ ସୁଲଭ । ଅଧିକ ବୃହତ ଶିଳ୍ପ ପ୍ରତିଷ୍ଠା ହେଲେ ସ୍ୱାଭାବିକ ଭାବେ ଅନେକ କ୍ଷୁଦ୍ରଶିଳ୍ପ ଗଢି ଉଠିବା ସହ ଆଇଟିଆଇ, ଡିପ୍ଲୋମା ଓ ବି.ଟେକ୍‌ ପାସ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରନ୍ତା । ଏହାଦ୍ୱାରା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇ ପାରନ୍ତା । ରାଜ୍ୟ ସରକାର ଏ ଦିଗରେ ଅଧିକ ଆନ୍ତରିକତାପୂର୍ଣ୍ଣ ପ୍ରୟାସ କରିବାର ଆବଶ୍ୟକତା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶରୀରକୁ ୫୬ ଖଣ୍ଡ କରି ଖାଇଲେ

ଶରୀରକୁ ୫୬ ଖଣ୍ଡ କରି ଖାଇଲେ

Read More...

 କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page