ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା

October 07, 2022, ଓଡ଼ିଶା, , Anupambharat News Bureau


ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା
Anupambharat News Bureau
October 07, 2022


ଭୁବନେଶ୍ୱର, ୭ା୧୦(ସ୍ୱତନ୍ତ୍ର ପ୍ରତିନିଧି): ଅକେଫାବର୍‌ ପହିଲାରେ ଦେଶରେ ୫ଜି ମୋବାଇଲ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲା, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ମହାନଗରୀ ସହିତ ଆଇଟି ସହର ଭାବେ ପରିଚିତ ବେଙ୍ଗାଲୁରୁ ଓ ପୁଣେ ସହିତ ଚଣ୍ଡୀଗଡ଼, ଲକ୍ଷ୍ନୌ, ଗୁରୁଗ୍ରାମ (ଗୁର୍‌ଗାଓଁ) ହାଇଦ୍ରାବାଦ, ଅହମ୍ମଦାବାଦ, ଗାନ୍ଧୀନଗର ଓ ଜାମନଗର ସହରରେ ପ୍ରଥମ ଦଫାରେ ୫ଜି ସେବା ଉପଲବ୍ଧ ହେଲା । କେନ୍ଦ୍ର ରେଳ ତଥା ସୂଚନାପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ଭୁବନେଶ୍ୱର ମଧ୍ୟ ପ୍ରଥମ ଦଫାରେ ୫ଜିର ସ୍ପର୍ଶ ପାଇବ ବୋଲି ଆଶା କରାଯାଉଥିଲା ।
ଏପରିକି ନିଜେ ବୈଷ୍ଣବ କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବାବେଳେ କହିଥିଲେ ଯେ, ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଅତ୍ୟାଧୁନିକ ୫ଜି ସେବା ଯୋଗାଇ ଦିଆଯିବ । ଗତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ‘ପୂର୍ବୋଦୟ’ ନାରା ଦେଇ ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଲଗାତର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲା । ହେଲେ ଗୁଜରାଟର ତିନି ପ୍ରମୁଖ ସହର ଅହମ୍ମଦାବାଦ, ଗାନ୍ଧୀନଗର ଓ ଜାମନଗରକୁ ପ୍ରଥମ ଦଫାରେ ୫ଜି ମିଳି ଯାଇଥିବାବେଳେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷାରେ ପୂର୍ବାଞ୍ଚଳରେ ଶିକ୍ଷାର ପେଣ୍ଠ (ଏଜୁକେସନ୍‌ ହବ୍‌) ଭୁବନେଶ୍ୱରକୁ ଏହା ମିଳିପାରିଲା ନାହିଁ ।
ଭିତ୍ତିଭୂମି ହେଉ କିମ୍ବା ଅନ୍ୟ କୌଣସି ମାନଦଣ୍ଡରେ ଭୁବନେଶ୍ୱର ଏଥିପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ଥିଲେ ମଧ୍ୟ ଚଳିତବର୍ଷ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବାର ସ୍ୱପ୍ନ ସେମିତି ସ୍ୱପ୍ନରେ ରହିଗଲା । ସବୁଠୁ ଲଜ୍ଜାଜନକ କଥା ହେଉଛି, ଆମ ରାଜ୍ୟର ଅନେକ ଉପାନ୍ତ ଅଞ୍ଚଳରେ ୪ଜି ସେବା ଦୂରେ ଥାଉ ଏବେ ବି ସର୍ବନିମ୍ନ ୨ଜି ସେବା ମଧ୍ୟ ପହଞ୍ଚିପାରି ନାହିଁ । କରୋନା ସମୟରେ ଅନ୍‌ଲାଇନ୍‌ ପାଠ ପଢିବା ପାଇଁ ପିଲାମାନେ କେମିତି ପାହାଡ଼ ଚଢୁଥିଲେ ତାହା ସମସ୍ତଙ୍କର ନିଶ୍ଚୟ ମନେଥିବ । ୪ଜି ନେଟୱର୍କରେ ଗୁରୁତର ସମସ୍ୟା ଯୋଗୁ ଏବେ ବି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇଁ ଅନ୍‌ଲାଇନ୍‌ ଆବେଦନ କରିବାରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ବୈଷ୍ଣବଙ୍କ ଅମଳରେ ଆରମ୍ଭ ହୋଇଥିବା ୫ଜିକୁ ନେଇ ଓଡ଼ିଶାବାସୀ ଅବଶ୍ୟ ଉଲ୍ଲସିତ ହୋଇ ପଡ଼ିଥିଲେ । ଅବଶ୍ୟ ଟେଲିକମ୍‌ ମନ୍ତ୍ରାଳୟ ଚତୁରତାର ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ମୟୂରଭଞ୍ଜ ଜିଲ୍ଲାର କେତେଜଣ ପିଲାଙ୍କୁ ୫ଜି ସେବାର ନମୁନା ଦେଖାଇ ଗଣମାଧ୍ୟମରେ ଏହାକୁ ପ୍ରଚାର କରି ଓଡ଼ିଶାବାସୀଙ୍କୁ ଅନାୟାସରେ ଭକୁଆ ବନାଇଲା ।
ଏଥିରୁ ଅନ୍ତତଃ ଏତିକି ସ୍ପଷ୍ଟ ହୋଇଗଲା ଯେ, କେନ୍ଦ୍ର ସରକାର କେବଳ କଥାରେ ‘ପୂର୍ବୋଦୟ’ ମନ୍ତ୍ର ଘୋଷୁଛନ୍ତି ହେଲେ ବାସ୍ତବରେ ପୂର୍ବାଞ୍ଚଳ ଅନ୍ତର୍ଗତ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉ ନାହାନ୍ତି । ଭୁବନେଶ୍ୱରରେ ଟିସିଏସ୍‌, ଇନ୍‌ଫୋସିସ୍‌, ୱିପ୍ରୋ ଭଳି ଦେଶର ପ୍ରମୁଖ ଆଇଟି ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସହର ପ୍ରତି କେନ୍ଦ୍ରର ଧ୍ୟାନ ନାହିଁ ।
ଓଡ଼ିଶା ଟେଲିକମ୍‌ କ୍ଷେତ୍ରରେ ଆଣେwଇ ପଡ଼ିଥିବା ରେଳବାଇ କ୍ଷେତ୍ରରେ ଗୁରୁଣ୍ଡୁଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମେତ ବହୁ ପ୍ରକଳ୍ପର ଗତି ଅତି ମନ୍ଥର । ନୂଆପଡ଼ା-ଗୁଣୁପୁର ରେଳପଥ ଆଗକୁ ଏକ କିମି ବଢୁ ନଥିବାବେଳେ ଓଡ଼ିଶାର ଅନେକ ଅଞ୍ଚଳକୁ ଏବେ ମଧ୍ୟ ରେଳପଥ ଛୁଇଁ ପାରିନାହିଁ । ଟେଲିକମ୍‌ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ଆମ ରାଜ୍ୟର ଦୟନୀୟ ସ୍ଥିତି କ’ଣ ପୂର୍ବୋଦୟର ପ୍ରକୃତ ନମୁନା ? ପୂର୍ବାଞ୍ଚଳର ବିକାଶକୁ ବୃହତ୍‌ ପ୍ରସଙ୍ଗ ରୂପେ ଉପସ୍ଥାପିତ କରି ବିପୁଳ ଜନସମର୍ଥନ ପାଇବା ପରେ ‘ପୂର୍ବୋଦୟ’କୁ କେନ୍ଦ୍ର ସରକାର କ’ଣ ଶୀତଳଭଣ୍ଡାରରେ ନିକ୍ଷେପ କରିଦେଲେ ? ଏହା ପଛରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ କୌଣସି ସ୍ୱତନ୍ତ୍ର ରାଜନୈତିକ ମୂଲଚାଲର ଭୂମିକା ନାହିଁ ତ ?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆହୁରି ଦୁଇ ଦିନ ବର୍ଷିବ

ଆହୁରି ଦୁଇ ଦିନ ବର୍ଷିବ

Read More...

 ୧୦ ନୂଆ ପ୍ରକଳ୍ପ ଅନୁମୋଦନ : ସୃଷ୍ଟି ହେବ ୫୧୭୦ ନିଯୁକ୍ତି

୧୦ ନୂଆ ପ୍ରକଳ୍ପ ଅନୁମୋଦନ : ସୃଷ୍ଟି ହେବ ୫୧୭୦ ନିଯୁକ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page