ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

January 11, 2022, ଓଡ଼ିଶା, , Anupambharat News Bureau


ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌
Anupambharat News Bureau
January 11, 2022


ଭୁବନେଶ୍ୱର, ୧୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି । ଅନୁସୂଚୀତ ଜାତି ଓ ଜନଜାତି, ଏସ୍‌ଇବିସି ଓ ମହିଳା ଆଶାୟୀଙ୍କ ପାଇଁ ଏହାକୁ ଆହୁରି ପାଞ୍ଚ ବର୍ଷ କୋହଳ କରାଯାଇଛି । ଏହାଫଳରେ ସାଧାରଣ ବର୍ଗର ଚାକିରି ଆଶାୟୀମାନେ ୩୮ ବର୍ଷ ଓ ଅନ୍ୟ ବର୍ଗର ଆଶାୟୀମାନେ ୪୩ ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚାକିରି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେବା ପରେ କୋହଳ ବୟସସୀମା ତିନି ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ତେବେ ଠିକ୍‌ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା କ୍ଷମତାସୀନ ବିଜେଡି ସରକାର ଗୋଟିଏ ଗୁଳିରେ ଏକାଧିକ ଶିକାର କରିବାକୁ ଲକ୍ଷ୍ୟ ରଖିଛି । ସବୁଠୁ ବଡ଼ କଥା ହେଲା କରୋନାର ଆବିର୍ଭାବ ପରେ ରାଜ୍ୟରେ ସରକାରୀ ନିଯୁକ୍ତି ପ୍ରାୟ ବନ୍ଦ ହୋଇ ଯାଇଥିଲା । ନୀତି ଆୟୋଗଙ୍କ ପରାମର୍ଶ କ୍ରମେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ କେନ୍ଦ୍ରୀୟ ନିଯୁକ୍ତି ମୋଟାମୋଟି ଭାବେ ବନ୍ଦ ରହିଥିବାବେଳେ ରାଜ୍ୟରେ ମଧ୍ୟ ସରକାରୀ କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇ ଯାଇଥିଲା । ହଜାର ହଜାର ନିଯୁକ୍ତି ଆଶାୟୀ ଯୁବକଯୁବତୀ କରୋନାଜନିତ ସଙ୍କଟପୂର୍ଣ୍ଣ କାଳରେ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଥିଲେ । କାରଣ ଇତିମଧ୍ୟରେ ସେମାନେ ସରକାରୀ ଚାକିରି ପାଇଁ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସସୀମାକୁ ଟପି ସାରିଥିଲେ । ଏପରିକି ସରକାରୀ ଚାକିରିର ଦ୍ୱାର ସେମାନଙ୍କ ପାଇଁ ବନ୍ଦ ହୋଇଗଲା ବୋଲି ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସର ବିଭାଜନ ରେଖାକୁ ଟପିଥିବା ସବୁ ବର୍ଗର ଆଶାୟୀମାନେ ଧରି ନେଇଥିଲେ । ତେବେ ନବୀନଙ୍କର ଏହି ମାଷ୍ଟର୍‌ଷ୍ଟ୍ରୋକ୍‌ ସେମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ଦୂର କରିବା ସହ ସେମାନଙ୍କୁ ନିଶ୍ଚିତ ଭାବେ ସାମୟିକ ଭାବେ ଆଶ୍ୱସ୍ତ କରିଥିବ ଏଥିରେ କୌଣସି ସନ୍ଦେହ ନାହିଁ । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାର ଠିକ୍‌ ପୂର୍ବଦିନ ରାଜ୍ୟ କ୍ୟାବିନେଟ୍‌ରେ ଏଭଳି ନିଷ୍ପତ୍ତି ଗ୍ରହଣ କରିବା ମଧ୍ୟ ବେଶ୍‌ ତାପର୍ଯ୍ୟପୂର୍ଣ୍ଣ କାରଣ ଏହା ଦ୍ୱାରା ଶାସକ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଭରପୁର ପ୍ରୟାସ କରିଛି । ସୂଚନାଯୋଗ୍ୟ, ରାଜ୍ୟରେ ନିଯୁକ୍ତି ବୟସସୀମା ବୃଦ୍ଧି କରିବା ପାଇଁ ଦୀର୍ଘ ଦିନ ହେଲା ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ ହୋଇ ଆସୁଥିଲା । ସରକାର ଦୀର୍ଘଦିନ ନୀରବ ରହିବା ପରେ ହଠାତ୍‌ ଯୋଜାନାବଦ୍ଧ ଭାବରେ ଠିକ୍‌ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହାକୁ ଗ୍ରହଣ କରି ନେବା ଫଳରେ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପଛକୁ ଯୁବଗୋଷ୍ଠୀଙ୍କ ସମର୍ଥନକୁ ଯେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ହୋଇ ଯାଇଛି । ଏଭଳି ପଦକ୍ଷେପରେ ଯୁବକଯୁବତୀମାନେ ସରକାରଙ୍କ ପ୍ରତି କୃତଜ୍ଞ ରହିବା ସହ ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ କ୍ଷମତାସୀନ ବିଜେଡିକୁ ଭଲ ପାଇବା ନିହାତି ସ୍ୱାଭାବିକ । ସେମାନଙ୍କ ଭଲ ପାଇବା ଯଦି ମତଦାନରେ ରୂପାନ୍ତରିତ ହୁଏ, ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳତା ଗ୍ରାଫ୍‌ ଆହୁରି ଉଚ୍ଚକୁ ଯିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

Read More...

ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page