ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

June 17, 2021, ଓଡ଼ିଶା, , Anupambharat News Bureau


ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !
Anupambharat News Bureau
June 17, 2021

ଭୁବନେଶ୍ୱର, (ସ୍ୱତନ୍ତ୍ର ପ୍ରତିନିଧି): କରୋନାକାଳରେ ଅଧିକାଂଶ ଲୋକ ବେରୋଜଗାର ପାଲଟି ଥିବାବେଳେ ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ବିଦୁ୍ୟତ ଦେୟ ୬ ମାସ ମଧ୍ୟରେ ଦୁଇ ଦୁଇ ଥର ବଢିଲା । ବିଦୁ୍ୟତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ଗଠିତ ଓଡ଼ିଶା ବିଦୁ୍ୟତ ନିୟାମକ ସଂସ୍ଥା (ଓଇଆର୍‌ସି) ବିତରକ କମ୍ପାନିକୁ ସୁହାଇବା ଭଳି ବ୍ୟବସ୍ଥା କରିବା ଯୋଗୁ ଉପଭୋକ୍ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ।
ରାଜ୍ୟ ସରକାର ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜି ସମ୍ପୂର୍ଣ୍ଣ ହାତ ଟେକି ଦେବା ଫଳରେ ଘରୋଇ ଉପଭୋକ୍ତା ହନ୍ତସନ୍ତ ହେଲେ ଏବଂ ବିତରକ କମ୍ପାନିକୁ ଅପ୍ରତ୍ୟାଶିତ ଫାଇଦା ମିଳିଲା । ଅନ୍ୟ ଏକ ଘଟଣାକ୍ରମରେ ବିଦୁ୍ୟତ-ବଳକା ରାଜ୍ୟ ଓଡ଼ିଶାରେ ଏହା ମହଙ୍ଗା ଅଥଚ ବିଦୁ୍ୟତ୍‌-ଅଭାବୀ ରାଜ୍ୟ ଛତିଶଗଡ଼ରେ ସୁଲଭ ହେବାର ନାଟକୀୟ ପରିସ୍ଥିିତି ସୃଷ୍ଟି ହେଲା । ରାଜ୍ୟବାସୀଙ୍କ ସ୍ୱାର୍ଥଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଫେଇ ଦେଇ କହିଲେ ଯେ, କେନ୍ଦ୍ରୀୟ ଟେଣ୍ଡର୍‌ରେ ଥିବା ସର୍ତ୍ତ କାରଣରୁ ଛତିଶଗଡ଼କୁ ହୀରାକୁଦ ଜଳଭଣ୍ଡାରରୁ ଉପିାଦିତ ବିଦୁ୍ୟତ ଶସ୍ତାରେ ଯୋଗାଇ ଦେବାକୁ ଓଡ଼ିଶା ଆଇନତଃ ବାଧ୍ୟ ହେଉଛି । ଏଥିପାଇଁ କେନ୍ଦ୍ରୀୟ ବିଦୁ୍ୟତ ନିୟାମକ ସଂସ୍ଥା (ସିଇଆର୍‌ସି) ଦାୟୀ ଏବଂ ଏଥିରେ ରାଜ୍ୟ ସରକାର କିଛି ବି କରି ପାରିବେ ନାହିଁ । ପଡ଼ୋଶୀ ରାଜ୍ୟକୁ ଶସ୍ତା ଦରରେ ବିଜୁଳି ଯୋଗାଣ ପ୍ରସଙ୍ଗରେ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ଝାଡ଼ିଝୁଡ଼ି ହୋଇ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଛବିକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ତେବେ କରୋନାକାଳ ତଥା ଗ୍ରୀଷ୍ମଋତୁ ଭଳି ଜଟିଳ ସମୟରେ ବର୍ଷକ ଭିତରେ ଦୁଇ ଦୁଇ ଥର ବିଦୁ୍ୟତ୍‌ ଦର ବଢାଇବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହୋହଲ୍ଲା ପରେ ରାଜ୍ୟ ସରକାର ସାମାନ୍ୟ ନରମି ଯାଇଥିଲେ । ଜନଆକ୍ରୋଷରୁ ବଞ୍ଚିବା ପାଇଁ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଓଇଆର୍‌ସିକୁ ଆନୁଷ୍ଠାନିକ ଭାବରେ ପତ୍ର ଲେଖାଯିବ । ବିଦୁ୍ୟତ୍‌ ଦରବୃଦ୍ଧି ଉପରେ ପୁନର୍ବିଚାର କରି ଉପଭୋକ୍ତାଙ୍କ ଉପରେ ଲାଗୁ କରାଯାଇଥିବା ବର୍ଦ୍ଧିତ ଦରରୁ ରିହାତି ଦେବା ପାଇଁ ସୁପାରିଶ କରାଯିବ । ତେବେ ଯେଉଁ ଚିଠି ଲେଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ସେହି ଚିଠି ଲେଖା କେତେ ଦୂର ଗଲା ? ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘନ ଘନ ଚିଠି ଲେଖି ସବୁବେଳେ ଚର୍ଚ୍ଚାରେ ରହିବାରେ ଆମ ମୁଖ୍ୟମନ୍ତ୍ରୀଙ୍କ ସହ ସମକକ୍ଷ ଅନ୍ୟ କୌଣସି ରାଜନେତା ସମଗ୍ର ଦେଶରେ ନାହାନ୍ତି । ପ୍ରଶ୍ନ ଉଠୁଛି, ଦିଲ୍ଲୀକୁ ଚିଠି ଲେଖିବା ସହଜ ହେଉଛି ହେଲେ ରାଜ୍ୟ ସରକାର ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଓଡ଼ିଶା ବିଦୁ୍ୟତ୍‌ ନିୟାମକ ସଂସ୍ଥାକୁ ଚିଠି ଲେଖିବା ପାଇଁ ଏପର୍ଯ୍ୟନ୍ତ ସମୟ ପାଉ ନାହାନ୍ତି ! ଇତିମଧ୍ୟରେ ଓଇଆର୍‌ସିକୁ ଚିଠି ଲେଖିବା ନେଇ ମନ୍ତ୍ରୀ ବୟାନ ଦେବାକୁ ୧ ମାସ ପୂରି ସାରିଲାଣି । ଅଥଚ ସରକାର କିମ୍ବା ବିରୋଧୀ କେହି ଆଉ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉ ନାହାନ୍ତି । ବର୍ଦ୍ଧିତ ବିଜୁଳି ବିଲ୍‌ କମାଇବା ଦୂରର କଥା ଏପର୍ଯ୍ୟନ୍ତ ଚିଠିଟିଏ ଲେଖି ନପାରିବା ରାଜ୍ୟ ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେଇଛି । ଏହା ସରକାରୀକଳ ପାଇଁ ଅତି ଲଜ୍ଜାଜନକ ହୋଇଥିବା ବେଳେ ବିଦୁ୍ୟତ୍‌ ଉପଭୋକ୍ତାଙ୍କ ପାଇଁ ବିଡ଼ମ୍ବନା ପାଲଟିଛି । ରାଜ୍ୟ ସରକାର ଜନହିତରେ ଅଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ କମ୍ପାନିକୁ ସୁହାଇବା ଭଳି କାର୍ଯ୍ୟ ନିରନ୍ତର କରି ଚାଲିଛନ୍ତି । ପ୍ରଶ୍ନ ଉଠୁଛି, ସରକାରଙ୍କର ଯଦି ଅହେତୁକ କମ୍ପାନି ପ୍ରୀତି ନାହିଁ ତେବେ ଚିଠିଟିଏ ଲେଖିବାକୁ ଏତେ ବିଳମ୍ବ କାହିଁକି ? ରାଜ୍ୟ ସରକାର ଉପଭୋକ୍ତାଙ୍କ ସ୍ୱାର୍ଥ ଜଗନ୍ତୁ ବା ନ ଜଗନ୍ତୁ, ଅନ୍ତତଃ ଚିଠି ଲେଖି ନିଜ ସମ୍ମାନ ତ ରଖି ପାରନ୍ତେ !





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ

କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ

Read More...

ନକଲି ଔଷଧ କାରବାର ଘଟଣା:  କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ନକଲି ଔଷଧ କାରବାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page