ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): ରାଜ୍ୟରେ ଗତ ଦୁଇ ଦିନ ମଧ୍ୟରେ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସି ନାହିଁ । ଅନ୍ୟ ପକ୍ଷରେ ଭୁବନେଶ୍ୱର ସହର କରୋନାର ହଟ ସ୍ପଟ ହୋଇଛି ଓ ସହରରେ ମୋଟ ୪୬ଟି କରୋନା ମାମଲା ସାମନାକୁ ଆସିଛି । ତେଣୁ ଭୁବନେଶ୍ୱର ସହରକୁ ସୁରକ୍ଷିତ କରିବା ପାଇଁ ଆଗାମୀ ସାତ ଦିନ ମଧ୍ୟରେ ୫ ହଜାର ନମୁନାର ପରୀକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରା ଯାଇଥିବା ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ଏହି କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ଲୋକ ମାନଙ୍କୁ ନିବେଦନ କରିଛନ୍ତିା ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ ରୋଗୀ ଆସିଥିବାରୁ ଭୁବନେଶ୍ୱର ପାଇଁ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଯାଏ ଭୁବନେଶ୍ୱରରେ ୧୯୫୮ ନମୁନା ପରୀକ୍ଷା କରାଯାଇଛି ଯାହା ମୋଟ ନମୁନାର ୩୮ ପ୍ରତିଶତ । ଅଧିକ ନମୁନା ପରୀକ୍ଷା କଲେ ସ୍ପଷ୍ଟ ଚିତ୍ର ଆସି ପାରିବ । ତେଣୁ ଏହି କ୍ରମରେ ଆଗାମୀ ସାତ ଦିନରେ ପାଞ୍ଚ ହଜାର ନମୁନା ପରୀକ୍ଷା କରା ଯିବ । ସର୍ବାଧିକ ଆଶଙ୍କା ଥିବା ଲୋକଙ୍କର ପରୀକ୍ଷଣ କରିବା ପାଇଁ ନମୁନା ସଂଗ୍ରହ କରିବାକୁ ଷ୍ଟାଟିକ କ୍ୟାମ୍ପ ସହ ଭ୍ରାମ୍ୟମାଣ କ୍ୟାମ୍ପ ମଧ୍ୟ କରା ଯିବ । ଏଥି ପାଇଁ ରାଜ୍ୟର ପରୀକ୍ଷାଗାର ଗୁଡିକୁ ଅପଗ୍ରେଡ କରାଯିବ । ସେ କହିଛନ୍ତି ଯେ ଯେଉଁ ମାନଙ୍କର ବିଦେଶ ବା ଅନ୍ୟ ରାଜ୍ୟର ଗସ୍ତର ବିବରଣୀ ରହିଛି, କିମ୍ବା ଲକ୍ଷଣ ରହିଛି ବା ଯେଉଁ ମାନେ କୋବିଡ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବେ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରାଯିବ । ସେହିପରି କୋବିଡ ମୁକାବିଲାରେ ଲାଗିଥିବା ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମୀ ଓ ପରିମଳ ପାଇଁ କାମ କରୁଥିବା କର୍ମୀ ମାନଙ୍କର ପରୀକ୍ଷା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ । ସେହିପରି ବୟସ୍କ ବ୍ୟକ୍ତିଙ୍କ ନମୁନା ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ରାଣ୍ଡମ ସାମ୍ପଲିଂ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯାହାଙ୍କୁ ନମୁନା ପରୀକ୍ଷଣ ପାଇଁ କୁହାଯିବ ସେମାନଙ୍କୁ ସହଯୋଗ ପୂର୍ବକ ନମୁନା ଦେବାକୁ ଟେଷ୍ଟିଂ କ୍ୟାମ୍ପକୁ ଆସିବାକୁ ପଡିବ । ଯଦି କେହି ଏପରି ନ କରିବେ ତେବେ ପ୍ରଶାସନ ଓ ପୋଲିସର ସହାୟତା ନିଆଯିବ ବୋଲି ସେ କହିଛନ୍ତି ।