ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

July 22, 2019, ଓଡ଼ିଶା, , Anupambharat News Bureau


ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
Anupambharat News Bureau
July 22, 2019

ଭୁୁବନେଶ୍ୱର, ୨୨ ।୭ (ଅନୁପମ ମିଡିଆ): ନାବାଳିକା ନିଖୋଜ ସହ ଦୁଷ୍କର୍ମର ଶୀକାର ହେବା ଘଟଣାକୁ ନେଇ ସୋମବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ସରକାରଙ୍କୁ ନିର୍ଦ୍ଦିଷ୍ଟ ରୁଲିଂ ଦେବା ଦାବି କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ । ଏଥିନେଇ ଗୃହରେ ଦେଖାଦେଇଥିବା ଅଚଳାବାସ୍ଥାକୁ ଦୂର କରିବାପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୨ ଥର ମୁଲତବୀ ରଖିଥିଲେ । ଗୃହରେ ଅଚଳାବସ୍ଥା ଯୋଗୁଁ ଆଜି ଆଲୋଚନା ହେବାକୁ ଥିବା ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଦେବା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଉପରେ ଆଲୋଚନା ହୋଇପାରିନଥିଲା ।
ତେବେ ପ୍ରଶ୍ନୋତର କାର୍ଯ୍ୟକାଳ ସ୍ୱାଭାବିକ ରହିଥିଲା । ଗୃହର ଦ୍ୱିତୀୟାର୍ଦ୍ଧ ବୈଠକରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା । ଫଳରେ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ।
ସୋମବାର ବିଧାନସଭାରେ ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉପରୋକ୍ତ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ, ରାଜ୍ୟରୁ ନାବାଳକ ଓ ନାବାଳିକା ନିଖୋଜ ହୋଇଯାଉଛନ୍ତି । ଏହା ପଛର କଣ କାରଣ ରହିଛି । ସେମାନଙ୍କୁ କିଏ , କ’ଣ ପାଇଁ ଓ କେଉଁ ଆଡେ ନେଉଛନ୍ତି ତାର ଅନୁଧ୍ୟାନ ହେବା ଉଚିତ୍‌ । ଛୋଟ ଝିଅ ମାନଙ୍କୁ ଇଞ୍ଜେକସନ୍‌ ଦେଇ ପ୍ରାପ୍ତ ବୟସ୍କ କରାଯାଇ ଦେହ ବ୍ୟବସାୟରେ ଲଗାଯାଉଛି କିମ୍ବା ସେମାନଙ୍କ ଅଙ୍ଗ ପ୍ରତ୍ୟେଙ୍ଗ ପାଇଁ ସେମାନଙ୍କୁ ନିଆଯାଉଛି । ଗତକାଲି ଅନୁଗୁଳରେ ଏକ ୮ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରି ଅଳିଆଗଦାରେ ଫିଙ୍ଗି ଦେଇଥିଲେ ।
ବର୍ତ୍ତମାନ ନାବାଳିକା ସ୍ୱାସ୍ଥ୍ୟ ସଙ୍କଟାପନ୍ନ ରହିଛି । ସେହିପରି ଭବାନୀପାଟଣାର ଆଶ୍ରୟ ଗୃହରେ ଜଣେ ନାବାଳିକାଙ୍କୁ ସେହି ଆଶ୍ରୟ ଗୃହର ନିର୍ଦ୍ଦେଶକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏତେ ଘଟଣା ଘଟିବା ସତ୍ତେ୍ୱ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଶିଶୁ , ମହିଳା ଯୁବକ ଯୁବତୀ କେହି ସୁରକ୍ଷିତ ନୁହନ୍ତି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବାକୁ ନାୟକ ଦାବି କରିଥିଲେ । ସେହିପରି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଏହି ବିଧାନସଭା କଣ ପାଇଁ ବସୁଛି । ଏଠାରେ ଯେଉଁସବୁ ଆଲୋଚନା ହେଉଛି ତାର ଅର୍ଥ କଣ । ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଛନ୍ତି । ଏଠାରେ ମୂଲ୍ୟହୀନ ଆଲୋଚନା ହେଉଛି ବୋଲି ସାଧାରଣ ଲୋକଙ୍କ ହୃଦବୋଧ କଲେନି । ଯାହା ଆଲୋଚନା ହେଉଛି ସରକାର ଉପରେ ତାର ପ୍ରଭାବ ପଡୁନାହିଁ । ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ନୁହେଁ ଭୁଶୁଡି ଯାଇଛି । ତା ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃ୍ୟଙ୍ଖଳା ପରିସ୍ଥିତି ଠିକ୍‌ ରହିଛି ବୋଲି କହୁଛନ୍ତି । ରାଜ୍ୟରେ ନାବାଳିକା ନିଖୋଜ ଓ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ନାହିଁ ।
ଏହି ଘଟଣା ଉପରେ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫୦୮ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ପୋଲିସ୍‌ ୭୯ ଜଣ ନାବାଳିକାଙ୍କ ସନ୍ଧାନ ପାଇ ଉଦ୍ଧାର କରିଛି । ଅନ୍ୟମାନଙ୍କୁ ଖୋଜି ବାହାର କରାଯାଇନାହିଁ । ପ୍ରତିଦିନ କେତେ ଝିଅଙ୍କୁ ଦୁଷ୍କର୍ମ କରାଯାଉଛି ତାର ହିସାବ ନାହିଁ । ରକ୍ଷକ ଭକ୍ଷକ ହେଲେ କାହାକୁ କହିବା । ଯାହା ବିରୁଦ୍ଧରେ ଅଭିଯୋଗ ହେଉଛି ତା ସାମ୍ନାରେ ପୀଡିତାକୁ ପଚରାଉଚରା କରାଯାଉଛି । ଗୋଟିଏ ଦୁଷ୍କର୍ମ ଘଟଣାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଭାଙ୍ଗିଥିଲା । ତତକାଳୀନ ଆଡଭୋକେଟ୍‌ ଜେନେରାଲଙ୍କୁ ଜେଲ୍‌ ଯିବାକୁ ପଡିଥିଲା । ଦୈନିକ ୭ ଜଣ ମହିଳା ଧର୍ଷଣର ଶୀକାର ହେଉଛି । ସେପଟେ ମାକୁ ସମ୍ମାନଦିଆଯାଉଛି ବୋଲି ସରକାର କହୁଛନ୍ତି ।
ବିଧାନସଭାରେ ବିରୋଧୀ ଦଳ ଯାହା ପ୍ରଶ୍ନ କରୁଛନ୍ତିି ତାର ଉତ୍ତର ମିଳୁନାହିଁ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ବଲାଙ୍ଗୀରର ଝିଅ କଳାହାଣ୍ଡିର ଏକ ଆଶ୍ରୟ ଗୃହରେ ରହିଥିଲା । ଝିଅଟି ଏଚଆଇଭି ପଜିଟିଭ୍‌ ହୋଇଥିବା ବେଳେ ଆଶ୍ରୟ ଗୃହର ନିର୍ଦ୍ଦେଶକ ସଂଜୟ ଦାସ ଉକ୍ତ ଝିଅ ସମେତ ଆହୁରି ୧୩ ଜଣଙ୍କ ସହ ଦୁଷ୍କର୍ମ କରିଛି । ଭବାନୀପାଟଣା ପୋଲିସ୍‌ ପୀଡିତା ଓ ତାର ମାକୁ ସେଠାରୁ ନେଇ ଅଭିଯୁକ୍ତ ସାମ୍ନାରେ ଜେରା କରିଛନ୍ତିି । ସରକାର ଏଦିଗରେ କଣ ପଦକ୍ଷେପ ନେଇଛନ୍ତିି ଜଣାନ୍ତୁ ବୋଲି ସେ ଦାବି କରିଥିଲେ ।ବାଚସ୍ପତି ଏହା ଉପରେ ପ୍ରଥମେ ରୁଲିଂ ଦେଇ କହିଥିଲେ ଯେ ରାଜ୍ୟରେ ନାବାଳିକା ଅପହରଣ ଓ ଅସଦାଚରଣ ନେଇ ବିରୋଧୀ ଦଳ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗରେ ସରକାର କଣ ପଦକ୍ଷେପ ନେଇଛନ୍ତି ଗୃହକୁ ଜଣାନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିରୋଧୀ ଦଳ ସଦସ୍ୟମାନେ ଏଥିରେ ସହମତ ନହୋଇ ହଟ୍ଟଗୋଳ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବାଚସ୍ପତି ବାଧ୍ୟ ହୋଇ ୧୨ ଟା ୧୭ରୁ ୧୨ ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଗୃହର କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁନର୍ବାର ହୋହଲ୍ଳା ଓ ନାରାବାଜୀ ଦୋହରାଇଥିଲେ । ବାଚସ୍ପତି ଏଥିରୁ ନିବୃତ ରହି ଗୃହ କାର୍ଯ୍ୟରେ ସହଯୋଗ କରିବାପାଇଁ ନିବେଦନ କରିଥିଲେ । ଆଜି ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଆଲୋଚନା ରହିଥିବାରୁ ସହଯୋଗ କରିବାକୁ କହିଥିଲେ । ମାତ୍ର ଉଭୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ଆଡକୁ ମାଡି ଆସିବାରୁ ବାଚସ୍ପତି ବାଧ୍ୟ ହୋଇ ୧୨ ଟା ୩୨ ରୁ ୩ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଅପରାହ୍ନ ୩ ଟାରେ ଗୃହର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ହଙ୍ଗାମା ଆରମ୍ଭ କରିଥିଲେ । ଗୃହ ନଚାଲିବାରୁ ବାଚସ୍ପତି ପ୍ରଥମେ ୩ଟା ୫ ରୁ ୩ ଟା ୩୫ ଓ ୩ଟା ୩୮ରୁ ୪ ଟା ୮ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ମଧ୍ୟ ସ୍ଥିତିରେ ସୁଧାର ନଆସିବାରୁ ବାଚସ୍ପତି ପାତ୍ର ତାଙ୍କ ପ୍ରକୋଷ୍ଠରେ ସର୍ବ ଦଳୀୟ ବୈଠକ ଡାକିଥିଲେ । ଏଥିରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା, କଂଗ୍ରେସ ଦଳ ନେତା, ଅର୍ଥମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଶାସକ ଦଳ ଉପମୁଖ୍ୟ ସଚେତକଙ୍କୁ ଡାକିଥିଲେ । ଏଥିପାଇଁ ଗୃହ ୪ ଟା ୧୨ ରୁ ୫ ଟା ୧୨ ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରଥୀଙ୍କୁ ମିଳିଲା ଜାମିନ

ସାରଥୀଙ୍କୁ ମିଳିଲା ଜାମିନ

Read More...

ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page