ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

June 19, 2019, ଓଡ଼ିଶା, , Anupambharat News Bureau


ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
Anupambharat News Bureau
June 19, 2019

ପୋଲସରା,୧୯ା୬(ଅନୁପମ ମିଡ଼ିଆ): ପୋଲସରା ଥାନା ସ୍ଥିତ ଇଚ୍ଛାପୁରରେ ଗୋଷ୍ଠୀ ସଂଘର୍ଷରେ ସୁଶାନ୍ତ କୁମାର ନାୟକଙ୍କ ମୃତୁ୍ୟ ଘଟିଥିବା ବେଳେ ଆଠଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଏଯାବତ୍‌ ଥାନାରେ ଏତଲା ହୋଇନଥିବା ବେଳେ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି । ତେବେ ଘଟଣାକୁ ନେଇ ପୁଣି କିଛି ଅଘଟଣ ଆଶଙ୍କା କରି ଗ୍ରାମରେ ଦୁଇ ପ୍ଳାଟୁନ ପୋଲିସ ମୁତୟନ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ଇଚ୍ଛାପୁରର ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ସହ ସେହି ଗ୍ରାମର ପୂର୍ଣ୍ଣ ନାୟକ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା । ବିଭିନ୍ନ ସମୟରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଥାନାରେ ମାମଲା ରୁଜୁ ପର୍ଯ୍ୟନ୍ତ କଥା ଯାଇଛି । ଗତକାଲି ରାତିରେ ଗ୍ରାମର ଉପେନ୍ଦ୍ର ବେହେରାଙ୍କୁ ପୂର୍ଣ୍ଣଙ୍କ ପୁଅ ରଙ୍କ କୌଣସି କଥାକୁ ନେଇ ତାଗିଦ କରିଥିଲା । ଏହି ବିଷୟକୁ ଦଣ୍ଡପାଣିଙ୍କ ପୁଅ ସୁଶାନ୍ତଙ୍କୁ କହିଥିଲା ଉପେନ୍ଦ୍ର । ଏହାପରେ କୁଆଡ଼େ ସୁଶାନ୍ତ ଚାରିଟି ବାଇକ୍‌ରେ ମାରଣାସ୍ତ୍ର ଧରି ନିଜର ସହଯୋଗୀଙ୍କ ସହ ପୂର୍ଣ୍ଣଙ୍କ ଘର ଆଗରେ ପହଞ୍ଚି ଗାଳି ଗୁଲଜ କରି ଆତଙ୍କ ସୃଷ୍ଟି କରିଥିଲେ । ଏହି ସମୟରେ ଘରେ ଥିବା ପୂର୍ଣ୍ଣ ପଦାକୁ ଆସି ଘଟଣା ସମ୍ପର୍କରେ ପଚାରିବୁଝିବା ବେଳେ ସେ ଆକ୍ରମଣର ଶିକାର ହୋଇଥିଲେ । ତେବେ ପୂର୍ଣ୍ଣଙ୍କୁ ଆକ୍ରମଣ ଖବର ପ୍ରଚାର ମାତ୍ରେ ତାଙ୍କ ଗୋଷ୍ଠୀ ମେଳି ହୋଇଥିଲେ । ଏହାପରେ ସେମାନେ ସୁଶାନ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିବାରେ ଲାଗିଥିଲେ । ଫଳରେ କିଛି ସମୟ ପାଇଁ ବଡ଼ ଇଛାପୁର ରଣକ୍ଷେତ୍ର ପାଲଟିବାରେ ଲାଗିଥିଲା ।
ତେବେ ପୋଲିସ ପହଞ୍ଚିବାରେ ବିଳମ୍ବ ଘଟିବାରୁ ଗ୍ରାମର ମହିଳାମାନେ ୧୦୮କୁ ଛାଡ଼ିନଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ସଂଘର୍ଷରେ ଆହତଙ୍କୁ ପୋଲସରା ଡାକ୍ତରଖାନାକୁ ପଠାଇଥିଲେ । ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁଶାନ୍ତ ନାୟକ, ପ୍ରମୋଦ ନାୟକ, ଉପନ୍ଦ୍ରେ ବେହେରା, ପୂର୍ଣ୍ଣ ନାୟକଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିଲା ।
ତେବେ ଚିକିତ୍ସା ସମୟରେ ସୁଶାନ୍ତଙ୍କ ମୃତୁ୍ୟ ଘଟିଥିଲା । ଆହତଙ୍କ ମଧ୍ୟରୁ ଆଉ ୫ଜଣ କେଉଁଠି ଚିକିତ୍ସିତ ହେଉଛନ୍ତି ଜଣାପଡିନାହିଁ । ଉଭୟଙ୍କ ପକ୍ଷରୁ ପୋଲସରା ଥାନାରେ ଏତଲା ହୋଇନାହିଁ । ପୋଷ୍ଟ ମର୍ଟମ୍‌ ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚିବା ପରେ ଛତ୍ରପୁର ଅତିରିକ୍ତ ଏସ୍‌ପି ସୀତାରାମ ଶତପଥୀ, ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ନିମାଇଁ ଚରଣ ସେଠୀ, ଛତ୍ରପୁର ଆଇଆଇସି ପ୍ରିୟାଶୁଂ ଛୋଟରାୟ, ବୁଗୁଡ଼ା ଆଇଆଇସି ସୀତାଶୁଂ ମାନ୍ଧତା, କବିସୂର୍ଯ୍ୟନଗର ଆଇଆଇସି ତପନ ପତି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗ୍ରାମରେ ଦୁଇ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି । ଆଉ ଅଧିକା ୩ପ୍ଲାଟୁନ୍‌ ପୋଲିସ ମଗା ଯାଇଥିବା ଅତିରିକ୍ତ ଏସ୍‌ପି ଶତପଥୀ ସୂଚନା ଦେଇଛନ୍ତି । ଆଜି ୧୨ଟା ବେଳେ ଗଞ୍ଜାମ ଏସ୍‌ପି ବି୍ରଜେଶ୍‌ କୁମାର ରାଏ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ପୋଲସରା ଘଟଣାସ୍ଥଳରୁ ୪ଟି ବାଇକ୍‌ ସହ ଖଣ୍ଡା, ବୋମା ଜବତ କରିଛନ୍ତି । ଇଚ୍ଛାପୁର ଗ୍ରାମ ଶୂନ୍ୟ ହୋଇପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

Read More...

ମହେଶ୍ୱର ହତ୍ୟା ମାମଲା,  ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ମହେଶ୍ୱର ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page