୨୦୨୪କୁ ନବୀନଙ୍କ ନଜର: ଯୁବଗୋଷ୍ଠୀ ଓ ମହିଳାଙ୍କ ପରେ ଚାଷୀଙ୍କୁ ଫୋକସ୍‌

October 27, 2022, ଓଡ଼ିଶା, , Anupambharat News Bureau


୨୦୨୪କୁ ନବୀନଙ୍କ ନଜର: ଯୁବଗୋଷ୍ଠୀ ଓ ମହିଳାଙ୍କ ପରେ ଚାଷୀଙ୍କୁ ଫୋକସ୍‌
Anupambharat News Bureau
October 27, 2022


ଭୁବନେଶ୍ୱର, ୨୭ା୧୦(ସ୍ୱତନ୍ତ୍ର ପ୍ରତିନିଧି): ଧାମନଗର ଉପନିର୍ବାଚନରେ ଯେମିତି ବି ହେଉ ବିଜୟୀ ହେବା ପାଇଁ ଲାଗି ପଡ଼ିଛି ବିଜେଡି । କ୍ଷମତାର ସଦ୍‌ବ୍ୟବହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଉଣ୍ଡି ବିଭିନ୍ନ ଲୋଭନୀୟ ଘୋଷଣା କରୁଛନ୍ତି ଓ ଏହାର ବ୍ୟାପକ ପ୍ରଚାରପ୍ରସାର କରି ଶାସକ ଦଳ ଫାଇଦା ନେବାକୁ ଚେଷ୍ଟା ଚଳାଇଛି ।
ତେବେ ବିରୋଧୀ ପକ୍ଷ ସରକାରଙ୍କ ପ୍ରତ୍ୟେକ ଘୋଷଣା ପଛରେ ରାଜନୀତିର ଗନ୍ଧ ବାରୁଛନ୍ତି । କାର୍ଯ୍ୟକାଳ ସରିବା ପୂର୍ବରୁ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗରରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ଅନୁକମ୍ପାମୂଳକ ଭୋଟ୍‌ ପାଇବାର ସୁଯୋଗ ଥିବାବେଳେ ଏହାକୁ ଟMର୍‌ ଦେବା ପାଇଁ ବିଜେଡି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଭୋଟ୍‌କୁ ପାଥେୟ କରି ଉପନିର୍ବାଚନରେ ବିଜୟ ଲକ୍ଷ୍ୟରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି । ଅବଶ୍ୟ କଂଗ୍ରେସର ସାଂପ୍ରତିକ ସ୍ଥିତିକୁ ଦେଖିଲେ ଏଠାରେ ଦ୍ୱିମୁଖୀ ମୁକାବିଲା ହେବାର ସମ୍ଭାବନା ଥିଲା । ତେବେ ବିଜେଡିରୁ ବହିଷ୍କୃତ ବିଦ୍ରୋହୀ ନେତା ପୂର୍ବତନ ବିଧାୟକ ସ୍ୱରୂପ ଦାସ ସ୍ୱାଧୀନ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇବା ପରେ ସବୁ ଗଣିତ ବିଗିଡ଼ି ଯାଇଛି । ତେବେ ନବୀନଙ୍କ ଜୟଯାତ୍ରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ସରକାରଙ୍କ ତରଫରୁ ନୂଆ ରଣନୀତି ଆରମ୍ଭ ହୋଇଛି ।
ଇତିମଧ୍ୟରେ ରାଜ୍ୟବ୍ୟାପୀ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ‘ମୋ ଫୁଟବଲ୍‌’ ଯୋଜନା ଲାଗୁ କରାଯାଇଛି । ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀ ହକି ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ ହୋଇ ଜାତୀୟ ସ୍ତରରେ ପତିଆରା ବଢାଇଥିବାବେଳେ ବିଜେଡି ସଙ୍ଗଠନ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ମଣିକାଞ୍ଚନ ସଂଯୋଗ ସଦୃଶ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କୁ ଜିଲ୍ଲାୱାରୀ ଭେଟୁଛନ୍ତି ।
ସେହିପରି ଠିକା କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାର ବିଜ୍ଞପ୍ତି ଛପାଇ ଟାଣୁଆ ତଥା ଦୀର୍ଘସୂତ୍ରୀ ନିର୍ବାଚନୀ କାର୍ଡ ଖେଳିଛନ୍ତି ରାଜ୍ୟ ସରକାର । ଏ ସମସ୍ତ କାର୍ଯ୍ୟଧାରାରୁ ଅନ୍ତତଃ ଏହା ସ୍ପଷ୍ଟ ଯେ, ନବୀନଙ୍କ ଲୋକପ୍ରିୟତା ଓ ବିଜେଡିର ଗ୍ରହଣୀୟତାକୁ ବଢାଇବାର କୌଣସି ସୁଯୋଗ ହାତଛଡ଼ା କରିବା ପାଇଁ ବିଜେଡି ଚାହୁଁନାହିଁ । ପ୍ରଥମେ ଯୁବଗୋଷ୍ଠୀ ଓ ପରେ ମହିଳାଙ୍କୁ ହାତେଇବା ପରେ ଏବେ କୃଷକଙ୍କ ଉପରେ ଫୋକସ୍‌ କରାଯିବ । ଏସ୍‌ଏଚ୍‌ଜି ମହିଳା ମହାସଂଘଗୁଡ଼ିକୁ ବିଭିନ୍ନ ବ୍ୟାଙ୍କ୍‌ ଜରିଆରେ ସ୍ୱଳ୍ପ ସୁଧରେ ବିପୁଳ ପରିମାଣର ଋଣ ବଣ୍ଟନ କରିବା ପରେ କୃଷକମାନଙ୍କ ପାଇଁ ହାତଖୋଲା କରିବାକୁ ଯାଉଛନ୍ତି ସରକାର ।
ଏହି ଲକ୍ଷ୍ୟ ରଖି ଗତ ବୁଧବାର କମନ୍‌ କ୍ରେଡିଟ୍‌ ପୋର୍ଟାଲ୍‌ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଋଣ ମଞ୍ଜୁରୀକୁ ଆହୁରି ସରଳ କରିବା ପାଇଁ ଉଦ୍ଦିଷ୍ଟ ଏହି ପୋର୍ଟାଲ୍‌ ଦେଶର ପ୍ରଥମ ଅନ୍‌ଲାଇନ୍‌ କୃଷି ଋଣ ପୋର୍ଟାଲ୍‌ ବୋଲି ସରକାରୀ ଭାବେ କୁହାଯାଇଛି । ଏହାଦ୍ୱାରା ଋଣ ପାଇବା ପାଇଁ ବାରଦ୍ୱାର ହେଉଥିବା ଅଭାବୀ ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । କୃଷକଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟରେ ଚଳାଇଥିବା ଆନ୍ଦୋଳନ, ପଦଯାତ୍ରା ଆଦିର ପ୍ରଭାବକୁ ସରକାରଙ୍କ ଏହି ପଦକ୍ଷେପ ଦୁର୍ବଳ କରିବା ସହିତ ଚାଷୀମାନଙ୍କ ମହଲରେ ଛପି ରହିଥିବା ଚାପା ଅସନ୍ତୋଷକୁ ହ ୍ରାସ କରି ଶାସକ ଦଳ ପାଇଁ ଆଗକୁ ନିଶ୍ଚିତ ରୂପେ ଯଥେଷ୍ଟ ଉପାଦେୟ ପ୍ରମାଣିତ ହେବ ।
ତେବେ ରାଜନୈତିକ ସମୀକ୍ଷକମାନଙ୍କ ମତରେ ଯୁବବର୍ଗ ଓ ମହିଳାଙ୍କ ପରେ କୃଷକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡିର ଥିଙ୍କ୍‌ଟ୍ୟାଙ୍କ୍‌ ଯେଉଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ତାହା କେବଳ ଧାମନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇନାହିଁ । ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୨୦୧୯ର ସଫଳତା ଦୋହରାଇବା ହେଉଛି ବିଜେଡିର ଅସଲ ଲକ୍ଷ୍ୟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

Read More...

ଆଚରଣ ବିଧି ଉଲ୍ଳଂଘନ ଅଭିଯୋଗ ଆସିଲେ ୧୦୦ ମିନିଟ୍‌ରେ କାର୍ଯ୍ୟାନୁଷ୍ଠାନ

ଆଚରଣ ବିଧି ଉଲ୍ଳଂଘନ ଅଭିଯୋଗ ଆସିଲେ ୧୦୦ ମିନିଟ୍‌ରେ କାର୍ଯ୍ୟାନୁଷ୍ଠାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page