ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

May 24, 2019, କ୍ରୀଡ଼ା, , Anupambharat News Bureau


ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି
Anupambharat News Bureau
May 24, 2019

ଲଣ୍ଡନ,୨୪ ।୫: ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଟାଇଟଲ୍‌ ଦାବିଦାର ଭାରତ ଶନିବାର ନିଜ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ଭେଟିବ । ଅସଲ ମୁକାବିଲା ପୂର୍ବରୁ ଭାରତ ଏହି ଅଭ୍ୟାସ ମ୍ୟାଚ୍‌ରେ ନିଜ ବ୍ୟାଟିଂକ୍ରମର ଚତୁର୍ଥ ନମ୍ବର ସ୍ଥାନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର କରିବାକୁ ଉଦ୍ୟମ କରିବ ।
ନୁ୍ୟଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଭାରତ ପାଇଁ କେବଳ ଏକ ଅଭ୍ୟାସ ମ୍ୟାଚ୍‌ ହେବ ନାହିଁ । ବରଂ ଏହା ଚତୁର୍ଥ ନମ୍ବର ସ୍ଥାନ ନେଇ ସମସ୍ୟାର ସମାଧାନ ପାଇଁ ଭାରତ ପାଇଁ ଆଉ ଏକ ସୁଯୋଗ ହେବ । ନିଜର ଦକ୍ଷ ବୋଲିଂ ଆକ୍ରମଣକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରିବର୍ତ୍ତେ ଏହି ଅଭ୍ୟାସ ମ୍ୟାଚ୍‌ରେ ଚତୁର୍ଥ ନମ୍ବର ସ୍ଥାନ ପାଇଁ ଦାବିଦାର ଥିବା କେଏଲ୍‌ ରାହୁଲ ଓ ବିଜୟ ଶଙ୍କରଙ୍କ ଉପରେ ନଜର ରହିବ ।
ଫର୍ମାଟ୍‌ ଦୃଷ୍ଟିରୁ ୧୯୯୨ ପରେ ଏଥର ବିଶ୍ୱକପ୍‌ ସବୁଠୁ ଚ୍ୟାଲେଞ୍ଜିଂ ବୋଲି କୁହାଯାଉଛି । ତେବେ ଦୁଇ ଥରର ବିଜେତା ଭାରତ ତୃତୀୟ ଥର କ୍ରିକେଟ୍‌ର ଏହି ସମ୍ମାନଜନକ ଟାଇଟଲ୍‌ ଜିତିବାର ଦୃଢ଼ ଆତ୍ମବିଶ୍ୱାସ ନେଇ ବ୍ରିଟେନ୍‌ରେ ପହଞ୍ଚିଛି । ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱ ଚାମ୍ପିୟନ ହୋଇଥିଲା ।
ଇଂଲଣ୍ଡ ପରେ ଆଇସିସି ଦିନିକିଆ ର୍ୟାଙ୍କିଙ୍ଗ୍‌ରେ ଦ୍ୱିତୀୟ ସ୍ଥାନରେ ରହିଥିବା ବିରାଟ ବାହିନୀ ଅନ୍ୟତମ ଟାଇଟଲ୍‌ ଦାବିଦାର ଭାବେ ବିବେଚିତ ହେଉଛି । ଦଳ ଏହାର ଅଭିଯାନ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଆରମ୍ଭ କରିବ । ତେବେ ତା ପୂର୍ବରୁ ଦଳ ଏହି ମେଗା ଇଭେଣ୍ଟର ପ୍ରଥମ ଅନୁଭବ ଆସନ୍ତାକାଲି ନୁ୍ୟଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ପାଇବ । ଏହି ମ୍ୟାଚ୍‌ରୁ ଦଳର ପ୍ରସ୍ତìତି ଆଭାସ ମିଳିବ ।
ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବାକୁ ଥିବାବେଳେ ଦଳର ବୋଲିଂ ଆକ୍ରମଣ ମଧ୍ୟ ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବ । କାରଣ ଏଥର ଭାରତ ନିକଟରେ ଏଭଳି ଏକ ବୋଲିଂ ଲାଇନ୍‌ ଅପ୍‌ ରହିଛି ଯେଉଁଥିରେ ବେଗ ଅଛି, ସୁଇଂ ବି ରହିଛି । ଏବଂ ଏହି ବୋଲିଂ ଆକ୍ରମଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା ଏହା ସବୁ ପରିବେଶରେ ସଫଳ ହେବାର ଦକ୍ଷତା ରଖିଛି ।
ବ୍ୟାଟିଂ ଲାଇନ୍‌ ଅପ୍‌ ନିଃସନ୍ଦେହରେ ଭାରତର ସବୁଠୁ ବଡ଼ ଅସ୍ତ୍ର । ରୋହିତ-ଧାୱନ୍‌ଙ୍କ ଓପନିଂ ଯୋଡ଼ି ପରେ ତୃତୀୟ ସ୍ଥାନରେ କୋହଲିଙ୍କୁ ବିଶ୍ୱର ଶକ୍ତିଶାଳୀ ଟପ୍‌-୩ ଭାବେ ଗଣାଯାଉଛି । ଭେଟେରାନ ମହେନ୍ଦ୍ର ସିଂ ଧୋନି, ଅଲ୍‌ରାଉଣ୍ଡର କେଦାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ର ଗଭୀରତାକୁ ସୂଚାଉଛି । ତେବେ ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ଏଥର ଭାରତୀୟ ଦ୍ରୁତ ବୋଲର୍‌ ପ୍ରତିପକ୍ଷ ଦଳମାନଙ୍କ ଉତ୍କଣ୍ଠା ବଢ଼ାଇଛନ୍ତି । ଦିନିକିଆର ନମ୍ବର ୱାନ୍‌ ବୋଲର୍‌ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତୀୟ ପେସ୍‌ ବାହିନୀର ଅନ୍ୟତମ ତିନି ସଦସ୍ୟ ହେଉଛନ୍ତି ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ । ଏହି ପେସ୍‌ ବାହିନୀ ନିକଟରେ ବେଗ ରହିଥିବାବେଳେ ଏମାନେ ଇଂଲଣ୍ଡ ପରିବେଶରେ ବଲ୍‌କୁ ଉଭୟପଟେ ସୁଇଂ ବି କରିବାକୁ ସମର୍ଥ । ଏହାଛଡ଼ା ସ୍ପିନ୍‌ ଯୋଡ଼ି କୁଲ୍‌ଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ଙ୍କ ଉପସ୍ଥିତି ଭାରତୀୟ ବୋଲିଂ ଲାଇନ୍‌ ଅପ୍‌ର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଛି । ପେସରଙ୍କ ସମେତ ଚହଲ-କୁଲଦୀପ ଯୋଡ଼ି ବିଶ୍ୱକପ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଅଧିନାୟକ କୋହଲି ଆଶା ବ୍ୟକ୍ତ କରିଛନ୍ତି ।
ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବା ଆମ ପାଇଁ ଭଲ ବୋଲି ନୁ୍ୟଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ରସ୍‌ ଟେଲର୍‌ କହିଛନ୍ତି । ଭାରତ ପାଇଁ ମଧ୍ୟ ନୁ୍ୟଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ସହାୟକ ହେବ । କାରଣ ନୁ୍ୟଜିଲାଣ୍ଡ ଭଳି ଲଢ଼ୁଆ ଦଳର ଚ୍ୟାଲେଞ୍ଜ କୋହଲିଙ୍କ ଦଳକୁ ଅସଲ ମୁକାବିଲା ପାଇଁ ପ୍ରସ୍ତìତ କରିବ । ଦକ୍ଷତା ମୁତାବକ ତାଙ୍କ ଦଳ ପ୍ରଦର୍ଶନ କରିବ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ ନୁ୍ୟଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ମଧ୍ୟ ନିଜ ଦଳ ଉପରେ ଭରସା ପ୍ରକଟ କରିଛନ୍ତି ।
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍‌, କେଏଲ ରାହୁଲ, ବିଜୟ ଶଙ୍କର, ଏମ୍‌ଏସ୍‌ ଧୋନି, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ।
ନୁ୍ୟଜିଲାଣ୍ଡ: କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ୍‌, ଟ୍ରେଣ୍ଟ ବୋଲଫ, କଲିନ୍‌ ଡି’ଗ୍ରାଣ୍ଡହୋମ୍‌, ଲକି ଫର୍ଗୁସନ, ମାର୍ଟିନ୍‌ ଗପଫିଲ୍‌, ମ୍ୟାଟ୍‌ ହେନ୍‌ରୀ, ଟମ୍‌ ଲାଥମ୍‌, କଲିନ୍‌ ମୁନ୍‌ରୋ, ଜିମ୍ମି ନିଶାମ୍‌, ହେନ୍‌ରୀ ନିକୋଲ୍ସ, ମିଚେଲ ସାଣ୍ଟନଋ, ଈଶ ସୋଧି, ଟିମ୍‌ ସାଉଦି, ରସ୍‌ ଟେଲର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

Read More...

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page