ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା

July 23, 2021, ଓଡ଼ିଶା, , Anupambharat News Bureau


ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି  :ନୀଳାଦ୍ରି ବିଜେ ନୀତି ସମ୍ପନ୍ନ, ଆଜିଠୁ ନୀଳାଚଳ ଅବଢ଼ା
Anupambharat News Bureau
July 23, 2021


ପୁରୀ,୨୩ା୭(ଅନୁପମ ମିଡ଼ିଆ) :ଜନ୍ମବେଦୀରୁ ଫେରିବା ପରେ ଆଜି ନୀଳାଦ୍ରି ବିଜେ ହୋଇ ରତ୍ନ ସିଂହାସନାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନ ଯାତ୍ରା ଶେଷ କରି ସିଂହଦ୍ୱାରକୁ ଫେରିବା ପରେ ୩ଦିନ ଧରି ସିଂହଦ୍ୱାର ସମ୍ମୁଖରେ ମାନବୀୟଲୀଳା କରି ଶ୍ରୀଜିଉମାନେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଲାଗି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କର ଏହି ନୀଳାଦ୍ରି ବିଜେ ପହଣ୍ଡି ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଛନ୍ତି । ସ୍ନାନ ପୂର୍ଣ୍ଣିମା ଠାରୁ ୧୪ଦିନ ଧରି ଅନବସରରେ ରହିଥିବାରୁ ମହାପ୍ରଭୁଙ୍କ ନିକଟରେ ଅନ୍ନ ମହାପ୍ରସାଦ ଭୋଗ ହୋଇନଥିଲା । ଏହାପରେ ନବଦିନ ଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦ ରନ୍ଧନ ହେଉନଥିଲା । ଦୀର୍ଘ ୨୭ଦିନ ପରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭୋଗ କରାଯିବ ଅନ୍ନ ମହାପ୍ରସାଦ । ଆସନ୍ତାକାଲି ଶ୍ରୀମନ୍ଦିରରେ ଉପଲବ୍ଧ ହେବ ନିଳାଚଳ ଅବଢା । ଆଜି ପ୍ରତୁ୍ୟଷରୁ ରଥ ଉପରେ ସକାଳ ୬ଟା ମଧ୍ୟରେ ସମ୍ପନ୍ନ ହୋଇଥିଲା ମଙ୍ଗଳଆଳତୀ । ମଇଲମ, ତଡପଲାଗି, ଅବକାଶ, ବେଶ ପରେ ସକାଳ ୮ଟା ସୁଦ୍ଧା ଗୋପାଳବଲ୍ଲଭ ଓ ୧୦ଟା ୧୦ ମିନିଟ୍‌ ସୁଦ୍ଧା ଶେଷ ହୋଇଥିଲା ସକାଳଧୂପ । ପରେ ମଇଲମ୍‌, ମହାସ୍ନାନ, ସର୍ବାଙ୍ଗ ଓ ୧୧ଟା ୫୦ସୁଦ୍ଧା ଶେଷ ହୋଇଥିଲା ମଧ୍ୟାହ୍ନଧୂପ ।୧୨ଟା୫୫ ସୁଦ୍ଧା ସନ୍ଧ୍ୟାଆଳତୀ ଓ ଦିନ ଗୋଟାଏ ସୁଦ୍ଧା ସନ୍ଧ୍ୟାଧୂପ ପରେ ଅପରାହ୍ନ ୩ଟା ୫ ସୁଦ୍ଧା ତିନି ରଥରେ ଚାର ବନ୍ଧା ଯାଇଥିଲା । ସିଂହାସନ ମାର୍ଜନା ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ପହଣ୍ଡି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ରଥ ଉପରୁ ବିଜେ ହୋଇ ଶ୍ରୀମନ୍ଦିରକୁ ଯାଇଥିଲେ । ଏହାପରେ ୪ଟା ୩୦ରେ ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପରେ ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା । ଘଣ୍ଟ ଧ୍ୱନି ମଧ୍ୟରେ ସୁଦୃଶ୍ୟ ଟୋପର ପରିହିତ ଶ୍ରୀସୁଦର୍ଶନ ରଥରୁ ଚାରମାଳ ଦେଇ ଅବତରଣ କରିଥିଲେ । ପ୍ରଭୁ ବଳଭଦ୍ରଙ୍କୁ ବିଭିନ୍ନ ପୁଷ୍ପ, ସୋଲ ଓ ଜରିଜମ୍ବୁରାରେ ନିର୍ମିତ ଟାହିଆ ଲାଗି କରାଯାଇଥିଲା । ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ଶୋଭା ପାଇଥିଲା ଟୋପର । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନ ସିଂହାସନାରୂଢ ହେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ମହାପ୍ରଭୁ ରଥ ସିଂହାସନରୁ ଚାରମାଳ ଉପରକୁ ଆସିବା ପରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଯାଇଥିଲେ । ଏହାପରେ ବିଧି ଅନୁଯାୟୀ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର କଂଶା କବାଟକୁ ବନ୍ଦ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦ୍ୱାର ଫିଟିଥିଲା । ମହାପ୍ରଭୁ ବାଇଶିପାହାଚ ଦେଇ
ଜୟବିଜୟଦ୍ୱାର ସମ୍ମୁଖକୁ ଯାଇଥିଲେ । ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିବା ପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେଇଥିଲେ । ପରମ୍ପରା ଅନୁଯାୟୀ ସେଠାରେ ବଚନିକା ହୋଇଥିଲା । ପତିତପାବନ ଧର୍ମ ପରିହାର କରି ପାରିବେ ନାହିଁ ବୋଲି ମହାପ୍ରଭୁ କଠୋର ହୋଇ କହିବା ପରେ ରୁଷ୍ଟା ମହାଲକ୍ଷ୍ମୀ ତୁଷ୍ଟା ହୋଇ କବାଟ ଖୋଲିଥିଲେ । ପରସ୍ପର ଭେଟ ହେବା ପରେ ପତି ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳହ ପ୍ରଶମିତ ହୋଇଥିଲା । ଏହି ମହାମିଳନର ସ୍ମାରକୀ ସ୍ୱରୂପ ପରସ୍ପର ମୁଖରେ ମିଠା ଦିଆନିଆ ହୋଇ ମହାପ୍ରଭୁ ରତ୍ନ ସିଂହାସନରେ ବିଜେ କରିଥିଲେ । ପହଣ୍ଡି ସମୟରେ ଟାହିଆର ଅପୂର୍ବ ଦୋଳନ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ବନାଟି ବୁଲା ପ୍ରଦର୍ଶନ ଭାବ ଉଦ୍ଦୀପକ ପରିବେଶ ସୃଷ୍ଟି କରିଥିଲା । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେବାୟତ ଓ ପ୍ରଶାସନିକ ଅଧିକାରୀମାନେ କିଭଳି ମହାପ୍ରଭୁଙ୍କ ନୀତି ତ୍ୱରାନ୍ୱିତ ହେବ ସେଥିପାଇଁ ତପିରଥିବା ଦେଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ

ଯୁକ୍ତ ୩ରେ‘ବିପର୍ଯ୍ୟୟ ପରିଚାଳନା’ ସାମିଲ

Read More...

୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ

୧୪ ପ୍ରକଳ୍ପର ଉ୍‌ଦଘାଟନ ଓ ଶିଳାନ୍ୟାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page