ରଘୁନାଥଙ୍କ ସ୍ଥାନରେ ଜେଠମାଲନି: ମୋଦି ସରକାରଙ୍କ ଓଡ଼ିଆ ପ୍ରୀତିର ନମୁନା !

June 02, 2021, ଓଡ଼ିଶା, , Anupambharat News Bureau


ରଘୁନାଥଙ୍କ ସ୍ଥାନରେ ଜେଠମାଲନି:  ମୋଦି ସରକାରଙ୍କ ଓଡ଼ିଆ ପ୍ରୀତିର ନମୁନା !
Anupambharat News Bureau
June 02, 2021


ଭୁବନେଶ୍ୱର, ୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାର ସ୍ୱାଭିମାନ ପ୍ରସଙ୍ଗ ଉଠାଇ ବିଜେପି ରାଜ୍ୟରେ ରାଜନୀତି କରୁଛି କିନ୍ତୁ ଦିଲ୍ଲୀରେ ଓଡ଼ିଶାର ପରିଚୟକୁ ନିଷ୍ପ୍ରଭ କରିବାରେ ଲାଗିଛି । ପ୍ରସିଦ୍ଧ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନରେ ମହେଶ ଜେଠମାଲନିଙ୍କୁ ରାଜ୍ୟସଭାକୁ ମନୋନୟନ କରାଯିବା ଏହାର ଏକ ସ୍ପଷ୍ଟ ଉଦାହରଣ ।
ରାଜ୍ୟସଭାକୁ ଓଡ଼ିଶାର ପ୍ରଥମ ‘ମନୋନୀତ’ ସାଂସଦ ହେବାର ବିରଳ ସୌଭାଗ୍ୟ ପାଇଥିବା ରଘୁନାଥ ଗତ ମାସରେ କରୋନାରେ ପ୍ରାଣ ହରାଇଥିଲେ । ଓଡ଼ିଶାର ଗୌରବମୟ ଇତିହାସ ପ୍ରସଙ୍ଗ ଉଠାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଥିଲେ ରଘୁନାଥଙ୍କ ସ୍ଥାନରେ ଓଡ଼ିଶାର କୌଣସି ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କୁୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ପଠାଇ ପାରିଥାନ୍ତେ । କିନ୍ତୁ ବିଡ଼ମ୍ବନାର ବିଷୟ, ରଘୁନାଥଙ୍କ ପରଲୋକ ପରେ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲନିଙ୍କୁ ରାଜ୍ୟସଭାକୁ ମନୋନିତ କରାଯାଇଛି । ଓଡ଼ିଆ ସ୍ୱାଭିମାନକୁ ଜୋର୍‌ ଝଟ୍‌କା ଲାଗିଥିଲେ ବି ରାଜ୍ୟରେ ଚାଲିଥିବା ସଲାସୁତରା ରାଜନୀତି ସମସ୍ତଙ୍କୁ ଚୁପ୍‌ କରି ରଖିଥିବା କୁହାଯାଉଛି ।ରାଜ୍ୟସଭାର ଦୁଇଟି ‘ମନୋନୀତ’ ଆସନ ଇତିମଧ୍ୟରେ ଖାଲି ହୋଇଥିଲା । ଗୋଟିଏ ରଘୁନାଥଙ୍କ ପରଲୋକ ଏବଂ ଅନ୍ୟଟି ସ୍ୱପନ ଦାସଗୁପ୍ତାଙ୍କ ଇସ୍ତଫାରୁୁ ଖାଲି ପଡ଼ିଥିଲା । ୨୦୧୬ରେ ରାଜ୍ୟସଭାକୁ ମନୋନୀତ ସାଂସଦ ସ୍ୱପନ ଦାସଗୁପ୍ତା ବିଜେପି ଟିକେଟ୍‌ରେ ପଶ୍ଚିମବଙ୍ଗର ତାରକେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ପୁଣି ଦଳୀୟ ଟିକେଟ୍‌ରେ ଲଢି ଦାସଗୁପ୍ତା ବିବାଦୀୟ ହୋଇଥିଲେ । ବିଧାନସଭା ନିର୍ବାଚନରେ ହାରିବା ପରେ ତାଙ୍କୁ ୨୦୨୨ ଏପ୍ରିଲ୍‌ ୨୪ ପର୍ଯ୍ୟନ୍ତ ଅବଶିଷ୍ଟ ୧୦ ମାସର କାର୍ଯ୍ୟକାଳ ପାଇଁ ପୁଣି ରାଜ୍ୟସଭାକୁ ମନୋନୀତ କରାଯାଇଛି । ଅନ୍ୟପକ୍ଷରେ ରଘୁନାଥଙ୍କ ଆକସ୍ମିକ ମୃତୁ୍ୟ ପରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଓଡ଼ିଆଙ୍କୁ ମନୋନୀତ ନ କରି କେନ୍ଦ୍ର ସରକାର ଓଡ଼ିଶାର ସ୍ୱାଭିମାନକୁ ଆଘାତ ଦେଇଛନ୍ତି ।
ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲନି ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ରାମ ଜେଠମାଲନୀଙ୍କ ପୁଅ । ତାଙ୍କ ଦକ୍ଷତାକୁ ନେଇ କାହାର କିଛି କହିବାର ନାହିଁ । ହେଲେ, ପ୍ରଣମ୍ୟ ସ୍ଥପତି ରଘୁନାଥଙ୍କ ପରଲୋକ ପରେ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ଦିଲ୍ଲୀ ବାସିନ୍ଦା ମହେଶଙ୍କୁ ରାଜ୍ୟସଭାକୁ ମନୋନୟନ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଓଡ଼ିଶାବସୀଙ୍କୁ କେଉଁ ବାର୍ତ୍ତା ଦେଇଛନ୍ତି ? ରାଜ୍ୟସଭାକୁ ମନୋନୟନ ପାଇଁ କ’ଣ ଓଡ଼ିଶାରୁ କେହି ଯୋଗ୍ୟ ନୁହନ୍ତି ? କଳା, ସଂସ୍କୃତି, କ୍ରୀଡ଼ା, ସାମ୍ବାଦିକତା, ସମାଜସେବା, ଶିକ୍ଷା ଓ ଆଇନ ଆଦି ବିଭିନ୍ନ କ୍ଷେତ୍ରରୁ ୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୟନ କରିବା ପାଇଁ ରାଷ୍ଟ୍ରପତି କ୍ଷମତାପ୍ରାପ୍ତ । ସାମ୍ବିଧାନିକ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଆଧାରରେ ଏହା କରାଯାଏ । ବିଜେପି ଚାହିଁଥିଲେ ରଘୁନାଥଙ୍କ ପରେ ଖାଲି ସ୍ଥାନରେ ଜଣେ ଯୋଗ୍ୟ ଓଡ଼ିଆଙ୍କୁ ମନୋନୀତ କରି ପାରିଥାଆନ୍ତା । ହେଲେ ସେହି ସ୍ଥାନରେ ଜେଠମାଲନିଙ୍କ ଚୟନ ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ବିଜେପି ଅବଶ୍ୟ ପୂର୍ବରୁ ମଧ୍ୟ ଏକାଧିକ ଅଣଓଡ଼ିଆଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟ ରୂପେ ପଠାଇ ସାରିଛି । ତେବେ ରାଜ୍ୟସଭାକୁ ମହେଶ ଜେଠମାଲନିଙ୍କ ମନୋନୟନ, ରାଜ୍ୟରେ କ୍ଷମତା ଦଖଲ କରିବା ପାଇଁ ସ୍ୱପ୍ନ ଦେଖୁଥିବା ବିଜେପିର କୁହାଳିଆ ନେତାମାନଙ୍କ ରାସ୍ତାରେ କଣ୍ଟା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦିନ ବର୍ଷା ସମ୍ଭାବନା

ତିନି ଦିନ ବର୍ଷା ସମ୍ଭାବନା

Read More...

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page