ପୁଣି ଡରାଇଲାଣି କରୋନା: ହୋଲି ପାଳନରେ କଟକଣା

March 19, 2021, ଓଡ଼ିଶା, , Anupambharat News Bureau


ପୁଣି ଡରାଇଲାଣି କରୋନା:  ହୋଲି ପାଳନରେ କଟକଣା
Anupambharat News Bureau
March 19, 2021

କଟକ, ୧୯ା୩(ଅନୁପମ ମିଡ଼ିଆ): କରୋନା ମହାମାରୀ ପୁଣିଥରେ ଲେଉଟି ଥିବାରୁ ହୋଲି ଓ ଦଳ ପର୍ବ ପାଇଁ ରାଜ୍ୟ ସରକାର ନୂଆ କୋଭିଡ କଟକଣା ଜାରି କରିଛନ୍ତି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ପୁରା ମନା କରାଯାଇଛି । ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଘରେ ରହି ପରିବାର ସହ ହୋଲି ଖେଳିବାକୁ ରିଲିଫ କମିଶନର ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି । କୋଭିଡ୍‌ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ । ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ । ପୂର୍ବରୁ କଟକରେ ହୋଲି ଓ ଦଳ ମେଳଣ ନେଇ ଡିସିପି କଟକଣା ଜାରି କରିଥିଲେ । ଏଥର ଦୋଳ ମେଳଣ ପଡିଆରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ପ୍ରତି ବିମାନ ସହ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ସର୍ବାଧିକ ୧୦ ଜଣଙ୍କୁ ରହିବାକୁ ଅନୁମତି ରହିଛି । ଏଥିସହ ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍‌ ଓ ଜନଗହଳି ନ କରିବାକୁ କଡା ନିର୍ଦ୍ଦେଶ ରହିଛି । ମେଳଣ ବେଳେ କେହି ବି ସାଙ୍ଗରେ ଲାଠି ଆଣିପାରିବେ ନାହିଁ ଏବଂ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବ ନାହିଁ ବୋଲି ଡିସିପିଙ୍କ କଡା ନିର୍ଦ୍ଦେଶ ରହିଛି । ସେହିଭଳି ହୋଲି ପାଇଁ ମଧ୍ୟ କଡା ଗାଇଡ ଲାଇନ ଜାରି କରାଯାଇଛି । ଏକାସାଙ୍ଗରେ ବହୁ ସଂଖ୍ୟକ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରାଯାଇଛି । ହୋଲି ଦିନ କେହି ବି ବାହାରକୁ ନ ବାହାରି ନିଜ ଘରେ ହୋଲି ରଙ୍ଗ ଖେଳିବାକୁ କୁହାଯାଇଛି । ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ ଡିସିପି ବାରଣ କରିଛନ୍ତି । କ୍ରମାଗତ ଭାବେ ତିନିଦିନରେ କରୋନା ମାମଲା ହଠାତ୍‌ ବଢିବାରୁ ଡିସିପି ପ୍ରତୀକ ସିଂହ ଚଳିତ ବର୍ଷ ଦୋଳ ଓ ହୋଲି ପର୍ବ ପାଇଁ ନୂଆ ଗାଇଡ ଲାଇନ୍‌ ଜାରି କରିଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ ପୁଣି କରୋନା ଡରାଇବାରେ ଲାଗିଲାଣି । ରାଜ୍ୟରେ ଏବେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ୍‌ । ମାସକ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା୧୦୦ ପାର୍‌ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୦ ଜଣ ଓ ଖୋର୍ଦ୍ଧାରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ରେ ପହଞ୍ଚିଛି ।
ଏବେ ସୁଦ୍ଧା ୩ ଲକ୍ଷ ୩୫ ହଜାର ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୫ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଛ’ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ଦୁଇ, ବରଗଡ଼ରୁ ଚାରି, ଭଦ୍ରକରୁ ଜଣେ, କଟକରୁ ୨୦ , ଦେବଗଡ଼ରୁ ଦୁଇ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଛ’, ଜଗ୍‌ତସିଂହପୁରରୁ ଦୁଇ, ଯାଜପୁରରୁ ପାଞ୍ଚ , ଝାରସୁଗୁଡ଼ାରୁ ଚାରି, କଳାହାଣ୍ଡିରୁ ଦୁଇ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୫, କୋରାପୁଟ୍‌ରୁ ଜଣେ, ମୟୂରଭଞ୍ଜରୁ ନ’, ନବରଙ୍ଗପୁରରୁ ଦୁଇ, ନୂଆପଡ଼ାରୁ ନ’, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ଚାରି, ସୁନ୍ଦରଗଡ଼ରୁ ସାତ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ୧୧୨ ଡାଏଲରେ ମିଳିବ ଜରୁରୀ ସେବା ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା

ଏଣିକି ୧୧୨ ଡାଏଲରେ ମିଳିବ ଜରୁରୀ ସେବା ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା

Read More...

ସାମ୍ବାଦିକଙ୍କୁ ଟିକା ଦେବାକୁ କେନ୍ଦ୍ରକୁ ଚିଠି

ସାମ୍ବାଦିକଙ୍କୁ ଟିକା ଦେବାକୁ କେନ୍ଦ୍ରକୁ ଚିଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page