ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍କୁ କଂସରୋ ରେଳ ଷ୍ଟେସନ୍ରେ ଅଟକାଇ ଯାଇପାରିଥିଲା ।
ଏହା ପରେ ରାଜାଜୀ ଟାଇଗର୍ ରିଜର୍ଭର ଅଧିକାରୀ ଏବଂ ରେଳ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ଲୋକୋ ପାଇଲଟ୍ ଆପତଃକାଳୀନ ବ୍ରେକ୍ ଲଗାଇ ଜଙ୍ଗଲରେ ହିଁ ଟ୍ରେନ୍କୁୁ ଅଟକାଇ ଦେଇଥିଲେ । ତତ୍କାଳ କୋଚ୍ ସି-୫କୁ ଯଥା ଶିଘ୍ର ଖାଲି କରାଯାଇଥିଲା ।
ଏଥିସହିତ ନିଆଁ ଲାଗିଥିବା କୋଚ୍କୁ ଅନ୍ୟ କୋଚ୍ ଗୁଡ଼ିକ ଠାରୁ ଅଲଗା କରାଯାଇ ସୁରକ୍ଷିତ ରଖାଯାଇଥିଲା । ଏହି କୋଚ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଯାତ୍ରୀମାନଙ୍କୁ ଅନ୍ୟ ଏକ କୋଚ୍କୁ ସ୍ଥାନାନ୍ତର କରାଯାଇଛି । ଯାହା ପରେ ଟ୍ରେନଫି ଡେରାଡୁନ୍ ଯିବା ପାଇଁ ବାହାରିଥିଲା । ରାଜାଜୀ ଟାଇଗର ରିଜର୍ଭ ଅଞ୍ଚଳରେ ନିଆଁ ଲାଗିଥିବାରୁ ମୋବାଇଲ୍ ନେଟ୍ୱାର୍କ ସେବା ଉପଲବ୍ଧ ହୋଇନଥିଲା । ଯେଉଁ କାରଣରୁ ଘଟଣା ବିଷୟରେ ସୂଚନା ଦେବାପାଇଁ ସମୟ ଲାଗିଥିଲା । କୁହାଯାଉଛି ଯେ, ବଗିରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ । ଏହି ଘଟଣା ଶନିବାର ୧୨.୨୦ ମିନିଟ୍ ପାଖାପାଖି ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନାରୁ ସର୍ଟସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିଥିବା କୋଚରେ ଯାତ୍ରା କରୁଥିବା ସମସ୍ତ ୩୫ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଦିଆଯାଇଛି । ରାୟବାଲା ଏବଂ କଂସରାବ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରେନର ୮ନମ୍ବର କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପରେ ନିଆଁ ଲାଗିଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯାଇଛି ।