ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌, ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ

May 23, 2020, ଦେଶ, , Anupambharat News Bureau


ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌,  ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ
Anupambharat News Bureau
May 23, 2020

ନୂଆଦିଲ୍ଲୀ,୨୩ା୫: ମାତ୍ର କିଛି ଦିନ ଧରି ସ୍ୱାଭାବିକ ସ୍ଥିତିରେ ରହିବା ପରେ ପଞ୍ଜାବରେ ପୁଣି କରୋନା ବା କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯଦିଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରେକର୍ଡରେ ହେବାରେ ଲାଗିଛି ଅନ୍ୟପକ୍ଷରେ ପଞ୍ଜାବରେ ମଧ୍ୟ କରୋନା ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ହଠାତ୍‌ ୧୬ ଜଣ ନୂଆ କୋଭିଡ଼-୧୯ ପଜିଟିଭ ସଂଖ୍ୟା ଯୋଡ଼ି ହୋଇଥିବା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪୫କୁ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୯କୁ ପହଞ୍ଚିଛି । ମହାରାଷ୍ଟ୍ରରେ ସମୁଦାୟ କରୋନା ବା କୋଭିଡ଼-୧୯ ପଜିଟିଭ ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୨୬୦୮ ସଂଖ୍ୟକ ନୂଆ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଆତଙ୍କର ବାତାବରଣ ଖେଳାଇ ଦେଇଛି । କାରଣ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସର୍ବାଧିକ ୧୫୭୭କୁ ପହଞ୍ଚିଛି । ଯଦିଓ ରାଜ୍ୟରେ ୧୩,୪୦୪ ସଂଖ୍ୟକ ଲୋକ ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତେବେ ମଧ୍ୟ ସ୍ଥିତି ଅତି ଗମ୍ଭୀରଜନକ ରହିଛି ।
ସୂଚନାଯେ, ସମଗ୍ର ଭାରତବର୍ଷରେ ଶନିବାର ସକାଳ ସୁଦ୍ଧା ହସ୍ତଗତ ହୋଇଥିବା କରୋନା ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ସର୍ବାଧିକ ୬୬୫୪ ସଂଖ୍ୟକ ନୂଆ କୋଭିଡ଼-୧୯ ପଜିଟିଭ ବୃଦ୍ଧି ପାଇଥିବା ଘଟଣା ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଏହାକୁ ମିଶାଇ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୧୦୧ କୁ ପହଞ୍ଚିଛି । ଅର୍ଥାତ୍‌ ୧ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱକୁ ଆକ୍ରାନ୍ତଙ୍କ ସଂଖ୍ୟା ଟପି ଯାଇଥିଲେ ମଧ୍ୟ ସରକାରଙ୍କ ତାଲାବନ୍ଦ ନୀତି ବର୍ତ୍ତମାନ ସ୍ଥିତିରେ ନିଷ୍କ୍ରିୟ ହୋଇଯାଇଥିବା ମନେ ହେଉଛି । କାରଣ ଲକ୍‌ଡ଼ାଉନ୍‌କୁ କେତେକ ରାଜ୍ୟରେ କୋହଳ କରାଯିବା ସହିତ ଯାନବାହାନ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି । ଯାହାକି ଦେଶରେ ସଂକ୍ରମଣକୁ ଅଧିକ ବିପଦଜନକ କରିବାରେ ଲାଗିଛି । ଯଦିଓ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩୭୨୦କୁ ପହଞ୍ଚିଛି ତେବେ ଏହି ରୋଗରେ ମାତ୍ର ୫୧,୭୮୩ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ମହାରାଷ୍ଟ୍ର ଭଳି ତାମିଲନାଡ଼ୁରେ ମଧ୍ୟ ସ୍ଥିତି ଗମ୍ଭୀରଜନକ ରହିଛି । ଆଜି ହଠାତ୍‌ ରାଜ୍ୟରେ ୭୮୬ ସଂଖ୍ୟକ କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତ ଯୋଡ଼ି ହୋଇଯାଇଛନ୍ତି । ଗୁଜୁରାଟରେ ମଧ୍ୟ ୩୬୩ ସଂଖ୍ୟକ ଲୋକ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି । ଠିକ୍‌ ସେହିଭଳି ଦିଲ୍ଲୀରେ ମଧ୍ୟ ଆଜି ୬୬୦ ଜଣ ଲୋକ ନୂତନ ଭାବେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳକ ହୋଇଛି ଯେ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣ ଲୋକ କରୋନା ରୋଗରେ ପ୍ରାଣ ହରାଇବା ଫଳରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି । ଏହାର ପ୍ରକୃତ ଔଷଧ ଅଭାବ ଯୋଗୁଁ ସାମାଜିକ ଦୂରତାକୁ ହିଁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ନିୟମାବଳୀ ଜାରି ରହିଛି ।
ଗୋଟିଏ ପଟରେ କୋଭିଡ଼-୧୯କୁ ପରାସ୍ତ କରିବା ପାଇଁ ସାମାଜିକ ଦୂରତା ଜନିତ ସଂଘର୍ଷ ଜାରି ରହିଛି ଅନ୍ୟପଟରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ପରେ ଜୁନ୍‌ ମାସର ଅନ୍ତରିଣ ସମୟ କିମ୍ବା ଜୁଲାଇ ମାସରେ ଭାରତରୁ ଆନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି । ମଇ ମାସ ୨୫ ତାରିଖ ଠାରୁ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ମିଳିଥିବା ପରେ କେନ୍ଦ୍ର ସରକାର ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କୋଭିଡ଼-୧୯ ମହାମାରୀ ରୋଗ ସଂକ୍ରମଣ ଜାରି ରହିଥିଲେ ମଧ୍ୟ ବହୁ ସତର୍କତା ଅବଲମ୍ବନ କରାଯାଇ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏହି ସମ୍ପର୍କରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍‌ଦିପ ସିଂ ପୁରୀ ଏହି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଣି ଭାରତରେ ଅଟକି ରହିଥିବା ଶ୍ରମିକ ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ୨୬୦୦ ଅତିରିକ୍ତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଚାଲୁ କରାଯିବ ବୋଲି ଭାରତୀୟ ରେଳ ନିଷ୍ପତ୍ତି କରିଛି । ଯଦିଓ କରୋନା ରୋଗକୁ ପରାସ୍ତ କରିବା ପାଇଁ ଏକ ବୃହତ୍ତ ସଂଘର୍ଷ ଜାରି ରହିଛି ତେବେ ମଧ୍ୟ ଶ୍ରମିକମାନଙ୍କୁ ନିଜନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ପଦକ୍ଷେପ ଜାରି ରହିଛି । ସମଗ୍ର ଦେଶରେ ବିଭିନ୍ନ ଅଞ୍ଚଳରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଅଟକି ରହିଛନ୍ତି, ଯେଉଁମାନେ କି ଏହି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ କରାଗଲେ ଉପକୃତ ହୋଇପାରିବେ । ମଇ ମାସ ପହିଲାରୁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ପାଇଁ ଭାରତୀୟ ରେଳ ଚିନ୍ତା କରିଛି । ମୁଖ୍ୟତଃ ପ୍ରବାସୀ ଶ୍ରମିକମାନଙ୍କୁ, ଧାର୍ମିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ବୋଲି ସୂଚନାରୁ ଜଣାପଡିଛି । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଗୁଡିକର କୌଣସି ରହଣି ରହିବ ନାହିଁ । ଗୋଟିଏ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଅନ୍ୟ ଷ୍ଟେସନରେ ସିଧାସଳଖ ପହଞ୍ଚିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା

ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା

Read More...

ଅନଲାଇନ୍‌ରେ ମିଳିବ ମଦ

ଅନଲାଇନ୍‌ରେ ମିଳିବ ମଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page