ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

May 17, 2019, ଓଡ଼ିଶା, , Anupambharat News Bureau


ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ
Anupambharat News Bureau
May 17, 2019

ବାଲେଶ୍ୱର, ୧୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତର୍କ୍ଷେତ୍ରୀୟ ଏକାଭିମୁଖି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଋନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡେଙ୍ଗୁ ଜ୍ୱର ସମ୍ବନ୍ଧିତ ବିଭିନ୍ନ ବିଷୟ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଏହାର ଭୟାବହତା ଏବଂ ସଂକ୍ରମଣ କିପରି ଅନ୍ୟ ରୋଗଠାରୁ ଅଧିକ ଘାତକ ସେ ସଂପର୍କରେ ଗଭୀରଭାବେ ବିଚାର ଆଲୋଚନା କରାଯାଇଥିଲା । ଏଥିପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କିପରି ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗଗୁଡିକ ସାମିଲ ହୋଇ ପାରିବେ ଏବଂ ଏହି ରୋଗର ପ୍ରତିକାର ଓ ନିରାକରଣ ଦିଗରେ ସହଯୋଗ ପ୍ରଦାନ କରିପାରିବେ ସେ ନେଇ ବିଭିନ୍ନ ପଦକ୍ଷେପ ସ୍ଥିର କରାଯାଇଥିଲା । ବୈଠକରେ ଉପସ୍ଥାପିତ ସର୍ଭେ ବିବରଣୀରୁ ଜଣାପଡିଛି ଯେ ୨୦୧୧ ମସିହାରୁ ଆଜି ଯାଏଁ ଡେଙ୍ଗୁ ଉପରେ କରାଯାଇଥିବା ଅନୁଶୀଳନ ଅନୁଯାୟୀ ୨୦୧୭ ମସିହାରେ ସର୍ବାଧିକ ୧୨୯୬ଟି ଡେଙ୍ଗୁ କେସ୍‌ ଆସିଥିବା ବେଳେ ଏଥିରେ ୨ଜଣଙ୍କର ମୃତୁ୍ୟ ଘଟିଥିଲା । କିନ୍ତୁ ୨୦୧୮ ମସିହାରେ ଯଦିଓ ୨୦୩ଟି କେସ୍‌ ପୀକୃତ ହୋଇଛି ତେବେ କୌଣସି ଜୀବନହାନୀ ଘଟି ନାହିଁ । ୨୦୧୭ ମସିହାରେ ଜିଲ୍ଲାର ବାଲିଆପାଳ ଅଂଚଳରେ ଏହି ଜ୍ୱରରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୩୭ ପ୍ରତିଶତ ଲୋକ ୧୬ରୁ ୩୫ ବର୍ଷ ବୟସ ମଧ୍ୟରେ ହୋଇଥିବା ପରିସଂଖ୍ୟାନରୁ ଜଣାପଡିଛି । ଚଳିତ ବର୍ଷ ଜାନୁଆରୀରୁ ଏ ଯାଏଁ କେବଳ ୯୪ଟି କେସ୍‌ ପୀକୃତ କରାଯାଇଛି । ୨୦୧୭ ମସିହା ଠାରୁ ଜିଲ୍ଲାରେ ଏ ବାବଦରେ ଅନେକ ଅନୁଧ୍ୟାନ ଓ ଅନୁଶୀଳନ କରାଯାଇ ଡେଙ୍ଗୁ ଜୀବାଣୁବାହୀ ଏଡିଶ୍‌ ମଶାର ବଂଶ ବିସ୍ତାର ନିମନ୍ତେ ସମ୍ଭାବ୍ୟ ସ୍ଥାନଗୁଡିକ ଚିହ୍ନଟ କରାଯାଇ ସେଥିରେ ଅନେକ ସୁଫଳ ପାଇଥିବା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୁହାଯାଇଛି । ତେବେ ଏହାକୁ ପ୍ରତିହତ କରିବା ପାଇଁ ଅନ୍ତର୍କ୍ଷେତ୍ରୀୟ ସହଯୋଗର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଇଥିଲେ । ଏଥିପାଇଁ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସଂପର୍କ, ପଂଚାୟତିରାଜ, ସ୍କୁଲ ଓ ଗଣଶିକ୍ଷା, ତଫସିଲଭୁକ୍ତ ଜାତି ଓ ଉପଜାତି ଭଳି ପ୍ରମୁଖ ବିଭାଗଗୁଡିକର ସମନ୍ୱୟ ଏବଂ ସକ୍ରିୟ ପଦକ୍ଷେପ ଡେଙ୍ଗୁ ଜ୍ୱରକୁ ନିର୍ମୂଳ କରିବାରେ ସମର୍ଥ ହୋଇପାରିବ ବୋଲି ସେସବୁ ବିଭାଗର ସହଯୋଗ କାମନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡା. ଶଶାଙ୍କ ଶେଖର ଚୌଧୁରୀ, ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ, ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଡା. ପି.ସି. ନନ୍ଦୀ, ଶ୍ରୀ ପି.ପି.ପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

Read More...

ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page