ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

April 10, 2020, ଓଡ଼ିଶା, , Anupambharat News Bureau


ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ
Anupambharat News Bureau
April 10, 2020

କଟକ,୧୦ା୪ (ଅନୁପମମିଡ଼ିଆ): ‘କରୋନା’ ଲକଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ । ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତ । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । ଏଥିପାଇଁ ସେମାନଙ୍କୁ ତିନିଥର ଯାଏ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯାଇପାରିବ । ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକଡାଉନ୍‌ ନିର୍ଦ୍ଦେଶ ଲାଗୁ ହେବ । ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ । ତେବେ କୋବିଡ୍‌-୧୯ ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଡ଼ି ନେଇକି ଯାଉଥିଲେ, ସେମାନଙ୍କ ପରିଚୟପତ୍ର ଦେଖି ଛାଡ଼ିଦେବାକୁ କୁହାଯାଇଛି । ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ୍‌ ଓ ଅତିରିକ୍ତ ଆଡଭୋକେଟ ଜେନେରାଲ୍‌ ଡିକେ ମହାନ୍ତି ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି । ଏନେଇ ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଓ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି । ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉକି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏନେଇ ଏକ ଆବେଦନର ଶୁଣାଣି କରି ଲୋକଙ୍କ ଗାଡ଼ି ଜବତ କରିପାରିବ ନାହିଁ ଏବଂ ଜବତ ଗାଡ଼ି ଶୀଘ୍ର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ପୁଣି ପୂର୍ବ ରାୟର ସଂଶୋଧନ ପୂର୍ବକ କୋର୍ଟ ଉପରୋକ୍ତ ରାୟ ଦେଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇରୁ  ଆସିଲା ଟେଷ୍ଟ କିଟ୍‌

ମୁମ୍ବାଇରୁ ଆସିଲା ଟେଷ୍ଟ କିଟ୍‌

Read More...

ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page