ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର

August 12, 2022, ଓଡ଼ିଶା, , Anupambharat News Bureau


 ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର
Anupambharat News Bureau
August 12, 2022


ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଯୋଜନା ଓ ସଂଯୋଜନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି ଏବଂ ଜଳସମ୍ପଦ ବିଭାଗ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି । ପ୍ରସ୍ତାବ ଗୁଡିକ ମଧ୍ୟରେ ଆଦିବାସୀ ଅଞ୍ଚଳରେ ମିଲେଟ୍‌ର ପ୍ରସାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଢେଙ୍କାନାଳ ଜିଲ୍ଲାରେ ୪ଟି ପାନୀୟ ଜଳ ପ୍ରକଳ୍ପ, କେନ୍ଦ୍ରାପଡା ଜିଲ୍ଲା ପାଇଁ ୩ ଟି ପାନୀୟ ଜଳ ପ୍ରକଳ୍ପ ଓ ବାଲେଶ୍ୱର ଜିଲ୍ଲା ପାଇଁ ୨ ଟି ପାନୀୟ ଜଳ ପ୍ରକଳ୍ପ ଅନ୍ତର୍ଭୁକ୍ତ ।
ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଆଦିବାସୀ ଅଞ୍ଚଳରେ ପୁଷ୍ଟିଶସ୍ୟ ଓ ପୁନଃ ପ୍ରଚଳନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଡିଶା ମିଲେଟ୍ସ୍‌ ମିଶନ ପାଇଁ ୬ ବର୍ଷ ଲାଗି (୨୦୨୧-୨୨ରୁ ୨୦୨୬-୨୭) ୨୮୦୮.୩୯ କୋଟି ଟଙ୍କାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୧୯ ଟି ଜିଲ୍ଲାର ୧୪୨ ବ୍ଲକ୍‌ ରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାରେ ୪ ଟି ପାଇପ୍‌ ଯୋଗେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କେନ୍ଦ୍ରାପଡା ଜିଲ୍ଲାରେ ୪୧୬ କୋଟି ୫୭ ଲକ୍ଷ ୨୯ ହଜାର ୧୮୫ ଟଙ୍କାରେ ୩ ଟି ପାନୀୟ ଜଳ ପ୍ରକଳ୍ପ ଏବଂ ବାଲେଶ୍ୱର ଜିଲ୍ଲାରେ ୨୯୧ କୋଟି ୬୨ ଲକ୍ଷ ୭୭ ହଜାର ଟଙ୍କାର ୨ ଟି ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ଏହି ପ୍ରକଳ୍ପ ଗୁଡିକ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ, ୬ଟି ବୃହତ୍ତର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଭୂତଳ ପାଇପ ଦ୍ୱାରା ଜଳସେଚନ ବ୍ୟବସ୍ଥାର ପର୍ଯ୍ୟବେକ୍ଷଣ ପାଇଁ ଏକ ପିଏମସି ନିୟୋଜିତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୧୫,୭୬,୮୮,୦୦୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ୩୬ ମାସ ମଧ୍ୟରେ ପ୍ରକଳ୍ପଟି ଶେଷ ହେବ ।
ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ପାଇଁ ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ୍‌ ର ଖଲପାଳ ଗ୍ରାମରେ ଏକ ଆନିକଟ୍‌ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ପାଇଁ ୨୧୯ କୋଟି ୫୦ ଲକ୍ଷ ଟଙ୍କା ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ପାଇଁ ଦେଢ ଲ କ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁୁରୀ ଦେଇଛି । ଏହି ପ୍ରକଳ୍ପକୁ ୩୩ ମାସରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ସେହିପରି କୋଏଲ ନଦୀର ସୁନ୍ଦରଗଡ ଜିଲ୍ଲା ହମୀରପୁରଠାରେ ଏକ ଆନିକଟ ନିର୍ମାଣ କରାଯିବ । ଏଥିପାଇଁ ୩୦୯ କୋଟି ଟଙ୍କା ଏବଂ ରକ୍ଷଣାବେକ୍ଷଣା ପାଇଁ ୪ କୋଟି ୧୧ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ପ୍ରକଳ୍ପ ଟି ୩୦ ମାସ ମଧ୍ୟରେ ଶେଷ କରାଯିବ ।
ଓଡିଶା ଯାନ୍ତ୍ରିକ ସେବା ଅଧିନସ୍ଥ କ୍ଷୁଦ୍ର ଜଳସେଚନ ସମ୍ଭର୍ଗର ପୁନବିନ୍ୟାସକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି । ଉଦବୃତ ବର୍ଷା ଜଳର ସଂରକ୍ଷଣ ପାଇଁ ଛାତ୍ର ଉପର ବର୍ଷାଜଳ ଅମଳ ପଦ୍ଧତିରେ ଛାତ ନାମରେ ଏକ ନୂତନ ଯୋଜନାର ଆରମ୍ଭ କରିବେ ରାଜ୍ୟ ସରକାର । ଏହି ଯୋଜନା ରାଜ୍ୟର ଜଳକ୍ଲିଷ୍ଟ ୫୨ଟି ବ୍ଲକ୍‌ ଏବଂ ୨୨ ଟି ସହରାଞ୍ଚଳରେ ୨୭୦ କୋଟି ଟଙ୍କା ବ୍ୟୟରେ ୨୯,୫୦୦ ବ୍ୟକ୍ତିଗତ କୋଠା ଏବଂ ୧୯୨୫ ଟି ସରକାରୀ କୋଠାରେ ଆଗାମୀ ୫ ବର୍ଷରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ବ୍ୟକ୍ତିଗତ କୋଠା ଲାଗି ସର୍ବାଧିକ ୫୫ ହଜାର ଟଙ୍କା ବା ବ୍ୟୟ ଅର୍ଥର ୫୦% ଯେଉଁଟି କମ୍‌ ହେବ ପ୍ରଦାନ କରାଯିବ । ସେହିଭଳି ­ ଇଣ୍ଟିଗ୍ରେଟେଡ ମାଇନ୍ସ
ଏଣ୍ଡ ମିନେରାଲ ମନିଟରିଂ ଯୋଜନାକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯିବ । ଏହି ଯୋଜନାକୁ ୨୦୨୭ ଯାଏ ବୃଦ୍ଧି କରିବାକୁ ୩୨୬.୭୯ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରା ଯାଇଥିବା ଜଣା ପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ଲଘୁଚାପ

ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ଲଘୁଚାପ

Read More...

ଲେଖକ ରସିଦଙ୍କୁ ଛୁରା ମାଡ଼

ଲେଖକ ରସିଦଙ୍କୁ ଛୁରା ମାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page