ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼: ସାଧାରଣ ଜନତା କଲବଲ

June 14, 2021, ଓଡ଼ିଶା, , Anupambharat News Bureau


ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼:  ସାଧାରଣ ଜନତା କଲବଲ
Anupambharat News Bureau
June 14, 2021


ଭୁବନେଶ୍ୱର, ୧୪ା୬ (ସ୍ୱତନ୍ତ୍ର ପ୍ରତିନିଧି) : କରୋନା କାଳରେ ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ହେଲେ ବର୍ତ୍ତମାନର ପରିସ୍ଥିିତି ସମ୍ପୂର୍ଣ୍ଣ ପ୍ରତିକୂଳ । ବଜାରରେ ସବୁଠି ଭେଜାଲ ଔଷଧ ଓ ଖାଦ୍ୟସାମଗ୍ରୀର କାରବାର ଚାଲିଛି । ଜରୁରୀ ଆବଶ୍ୟକତା ବେଳେ ଅତ୍ୟାବଶ୍ୟକ ଔଷଧ ନ ଖାଇଲେ ମରିବ, ବଜାରରେ ଖୁଲମ୍‌ଖୁଲ୍ଲା ବିକ୍ରି ହେଉଥିବା ଭେଜାଲ ଔଷଧ କିଣି ଖାଇଲେ ବି ମରିବ । କରୋନା ତଥା ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଲେକମାନେ ନିଜ ଜୀବନର ସୁରକ୍ଷା ପାଇଁ ଜରୁରୀ ଔଷଧ କିଣିବାକୁ ବାଧ୍ୟ । ହେଲେ ବଜାରରୁ କିଣୁ ଥିବା ଔଷଧ ଯେ, ଅସଲ ତାହାର ଗ୍ୟାରେଣ୍ଟିି ଦେବାକୁ ସରକାର ଅସମର୍ଥ । ତେଣୁ ରୋଗୀ ପାଇଁ ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା ଭଳି ବିକଳ ଅବସ୍ଥା । ଭେଜାଲ ବା ନକଲି ଔଷଧ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବା ପାଇଁ ରାଜ୍ୟରେ ଅନେକ ଡ୍ରଗ୍ସ ଇନିସ୍ପେକଫର୍‌ ନିୟୋଜିତ ହୋଇଛନ୍ତି । ସେମାନେ ସରକାରୀ ତହବିଲ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ ଚାଲିଛନ୍ତି କିନ୍ତୁ କଳାବଜାରୀଙ୍କୁ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି । ତଦାରଖ ଓ ଚଢାଉ କରିବା ପାଇଁ ଥିବା ଅଧିକାରୀଙ୍କ ଦୁର୍ନୀତିଖୋର୍‌ ମନୋବୃତ୍ତି ଯୋଗୁ ଭେଜାଲ ଔଷଧ ସର୍ବତ୍ର ବ୍ୟାପକ ଭାବରେ ବିକ୍ରି ହେଉଛି । ଏବେ ମୃତୁ୍ୟ ସହ ଲଢୁ ଥିବା ରାଜ୍ୟର ହଜାର ହଜାର କରୋନା ଆକ୍ରାନ୍ତ ମହାମାରୀ କବଳରୁ ମୁକ୍ତ ହେବା ପାଇଁ ଔଷଧ ଅତ୍ୟନ୍ତ ଆବଶ୍ୟକ । ହେଲେ ଦୋକାନରେ ବିକ୍ରି ହେଉଥିବା ଔଷଧ ଅସଲି ବା ନକଲି ଜାଣିବାର କୌଣସି ଉପାୟ ନାହିଁ । ନିକଟରେ କଟକ ସହରରୁ ଯେତେବେଳେ ଭେଜାଲ କରୋନା ଔଷଧ ର୍ୟାକେଟ୍‌ ଠାବ ହେଲା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପରେ ରାଉରକେଲା ଓ ରାଜ୍ୟର ଆଉ କେତେକ ସହରରେ ନକଲି ଔଷଧ କାରବାର ଧରା ପଡ଼ିବା ଫଳରେ ଭେଜାଲ ଔଷଧ କାରବାରରେ ଲିପ୍ତ କୁଶଳୀ ଅପରାଧୀଙ୍କ କଳା ସାମ୍ରାଜ୍ୟର ଚେର ରାଜ୍ୟସାରା ଲମ୍ବିଥିବା ସ୍ପଷ୍ଟ ହୋଇଛି ।କରୋନା କଷଣ ସାଙ୍ଗକୁ ବଜାରରେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ପେଟରେ ଲାତ ମାରୁଛି । ଅତ୍ୟାବଶ୍ୟକ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦର ଏବେ ଆକାଶଛୁଆଁ ହୋଇଛି । ବିଶ୍ୱସ୍ତରରେ ଅଶୋଧିତ ତୈଳଦର କମିଲେ ବି ଆମ ଦେଶରେ ତାହାର କୌଣସି ପ୍ରଭାବ ପଡୁ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଣ୍ଟିଚିପା ପିଟୁଣୀ ଟିକସ ଯୋଗୁ ଖଣିଜ ତୈଳ ଦର ଲିଟର୍‌ ପିଛା ୧୦୦ ଟଙ୍କା ଟପି ସାରିଲାଣି । ରୋଷେଇ ଘର ଉପରେ ବି ଦରବୃଦ୍ଧିର ଅସହ୍ୟ ଚାବୁକ୍‌ ମାଡ଼ । କେନ୍ଦ୍ର ସରକାର ଭିତରେ ଭିତରେ ରନ୍ଧନ ଗ୍ୟାସ୍‌ରୁ ରିହାତି କାଟି ଗତ ବର୍ଷକ ମଧ୍ୟରେ ସିଲିଣ୍ଡର୍‌ ପିଛା ଦର ୫୦୦ ଟଙ୍କାରୁ ୮୫୦ ଟଙ୍କା ପର୍ଯ୍ୟନ୍ତ ନେଇ ସାରିଲେଣି । ଖାଇବା ତେଲର ବଜାର ଦର ବି ସମସ୍ତଙ୍କୁ ବାଧୁଛି । ପ୍ରଥମ କଥା ହେଲା ବଜାରରେ ଖାଣ୍ଟି ଖାଇବା ତେଲ ମିଳିବା ସ୍ୱପ୍ନ ପାଲଟିଛି । ଦ୍ୱିତୀୟରେ, ବିଭିନ୍ନ ନାମୀ କମ୍ପାନିର ଶୋରିଷ ଓ ସୂର୍ଯ୍ୟମୁଖୀ ତେଲ ଦର ଏତେ ଅଧିକ ହେଲାଣି ଯେ, ଏହାକୁ କିଣି ଖାଇବା ଆଉ ସମସ୍ତଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ପୂର୍ବରୁ ଗରିବ ଲୋକମାନେ ଯେଉଁ ଶସ୍ତା ରିଫାଇନ୍‌ଡ ପାମ୍‌ ତେଲ ଉପରେ ଭରସା କରି ଚଳୁଥିଲେ ଏବେ ତା’ର ଦର ୧୩୦ ଟଙ୍କାରେ ପହଞ୍ଚଲାଣି । କେବଳ ତେଲ, ମସଲା ନୁହେଁ ହରଡ଼ରୁ ଆରମ୍ଭ କରି ବୁଟ ପର୍ଯ୍ୟନ୍ତ ସବୁ ପ୍ରକାରର ଡାଲି ମଧ୍ୟ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ଦେଢ ଗୁଣ ମହଙ୍ଗା ହୋଇ ସାରିଛି । ମହଙ୍ଗା ମାଡ଼ରେ
ଗ୍ରାମୀଣ ଅର୍ଥନୀତି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ବେଳେ ଗରିବ ଓ ମଧ୍ୟମବର୍ଗଙ୍କ ଆଖିରୁ ଲୁହ ଶୁଖୁନି । କରୋନା ମାଡ଼ରେ ଲୋକେ ରୋଜଗାର ହରାଇ ସଂକଟରେ ଥିବାବେଳେ ଭେଜାଲ ଔଷଧ କାରବାର ସାଙ୍ଗକୁ ଓ ନକଲି ଖାଦ୍ୟସାମଗ୍ରୀର ମୃତୁ୍ୟଯନ୍ତା ପ୍ରଶାସନ ପାଇଁ ବିରାଟ ଆହ୍ୱାନ ସୃଷ୍ଟି କରିଛି । କଲବଲ ହେଉଥିବା ଜନତାଙ୍କ ସୁରକ୍ଷା ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ନେବେ କି ?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

Read More...

ଗୌତମ ଆଦାନୀଙ୍କ ଫ୍ରିଜ୍‌ ହେଲା ୪୩.୫୦୦ କୋଟିର ସେୟାର

ଗୌତମ ଆଦାନୀଙ୍କ ଫ୍ରିଜ୍‌ ହେଲା ୪୩.୫୦୦ କୋଟିର ସେୟାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page